ଜୟନ୍ତୀଙ୍କୁ ପୁଣି ସ୍ୱର୍ଣ୍ଣ; ପଙ୍କଜଙ୍କୁ ତୃତୀୟ ରୌପ୍ୟ

ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ

ଭୁବନେଶ୍ୱର: ହରିଆନାର ପଞ୍ଚକୁଳାଠାରେ ଚାଲିଥିବା ଅଷ୍ଟାଦଶ ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ଦ୍ୱିତୀୟ ଦିବସ ଭଳି ତୃତୀୟ ଦିବସରେ ମଧ୍ୟ ୩ ପଦକ ମିଳିଛି। ଏଥିରେ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ସାମିଲ ରହିଛି। ମଙ୍ଗଳବାର ଟି-୪୭ ବର୍ଗରେ ଉଭୟ ୧୦୦ ଓ ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜୟନ୍ତୀ ବେହେରା ବୁଧବାର ୪୦୦ ମିଟର ଦୌଡ଼ରେ ୫୯.୦୫ ସେକେଣ୍ଡ୍‌ ସମୟ ନେଇ ପୁଣି ସ୍ୱର୍ଣ୍ଣ କବ୍‌ଜା କରିଥିଲେ। ଏଥି ସହ ଜୟନ୍ତୀ ଚଳିତ ପ୍ରତିଯୋଗିତାରେ ହ୍ୟାଟ୍ରିକ୍‌ ସ୍ୱର୍ଣ୍ଣ ହାସଲ କରିବା ସହ ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ ହେବାର ଗୌରବ ପାଇଥିଲେ। ଏଥିସହ ୨୦୧୬ରୁ ୨୦୧୮ ଲଗାତାର ଭାବେ ଏହି ତିନି ଶୃଙ୍ଖଳରେ ସେ ସ୍ୱର୍ଣ୍ଣ ନିଜ ନାମରେ କରିବାର କୀର୍ତି କରିଛନ୍ତି। ଜୟନ୍ତୀଙ୍କ ୩ ସ୍ୱର୍ଣ୍ଣ ବ୍ୟତୀତ ଟି-୧୩ ବର୍ଗରେ ପଙ୍କଜ ଭୁଏ ବ୍ୟକ୍ତିଗତ ତୃତୀୟ ରୌପ୍ୟ ପଦକ ହାସଲ କରିଛନ୍ତି। ପୂର୍ବରୁ ୧୦୦ ମିଟର ଏବଂ ଲମ୍ବ ଡିଆଁରେ ରୌପ୍ୟ ଜିତିଥିବା ପଙ୍କଜ ବୁଧବାର ଉଚ୍ଚ ଡିଆଁରେ ୫.୩୮ ଫୁଟ ଲମ୍ପ ଦେଇ ଦ୍ୱିତୀୟ ସ୍ଥାନରେ ରହି ଆଉ ଏକ ରୌପ୍ୟ ପଦକ ହାସଲ କରିଥିଲେ।  ପଙ୍କଜ ଗତ ୨୦୧୬ ଓ ୨୦୧୭ରେ ଉଭୟ ଉଚ୍ଚ ଡିଆଁ ଓ ଲମ୍ବ ଡିଆଁରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ଆଉଜଣେ ଓଡ଼ିଆ ଖେଳାଳି ଅକ୍ଷୟ ସାହୁ ଏଫ୍‌-୪୭ ବର୍ଗ ଉଚ୍ଚ ଡିଆଁରେ ୫.୯ ଫୁଟ ଡେଇଁ କାଂସ୍ୟ ପଦକ ପାଇଛନ୍ତି। ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଏହି ବର୍ଗରେ ଅକ୍ଷୟ ସ୍ୱର୍ଣ୍ଣ ପଦକ ଜିତି ଆସୁଥିଲେ। କିନ୍ତୁ ଚଳିତ ବର୍ଷ ସ୍ୱର୍ଣ୍ଣିମ ସଫଳତା ଦୋହରାଇବାରେ ବିଫଳ ହୋଇଥିଲେ। ଆସନ୍ତାକାଲି ପୁନିଲ ମାନ୍‌ସିଂହ, ସୁଶାନ୍ତ ମଲ୍ଲିକ, ନିକ୍‌ଲାସ୍‌ ପ୍ରଧାନ ଓ ଗୋବିନ୍ଦ ଦୁବେ ୧୦୦ ଗୁଣା ୪ ଏବଂ ୪୦୦ ଗୁଣା ୪ ରିଲେ ଦୌଡ଼ରେ ଅଂଶଗ୍ରହଣ କରିବେ। ସମସ୍ତ ପ୍ରତିଯୋଗୀଙ୍କୁ ଓଡ଼ିଶା ପାରାଲିମ୍ପିକ୍‌ ସଂଘର ସଂପାଦକ ବିଷ୍ଣୁ ଚରଣ ସାହୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର