ପୁଣି କେନ୍ଦ୍ରାପଡ଼ାକୁ ଓଟିପିଏଲ୍‌ ଟ୍ରଫି

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଦ୍ବିତୀୟ ସଂସ୍କରଣ ଓଡିଶା ଟେନିସ୍ ପ୍ରିମିୟର୍ ଲିଗ୍‌ (ଓଟିପିଏଲ୍‌) ରବିବାର ଅପରାହ୍ନରେ ଶେଷ ହୋଇଛି। ରବିବାରର ଏକତରଫା ଫାଇନାଲ୍‌ରେ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ ୩-୨ରେ ପୁରୀ ୱେଭର୍ସକୁ ହରାଇ ଦେଇଥିଲା। ୨୬-୨୦ ଗେମ୍‌ରେ କେନ୍ଦ୍ରାପଡ଼ା ଜିତିଥିଲା। ପୁରୁଷ ଏକକରେ ଆଲେକ୍ସ ସୋଲାଙ୍କୀ ୭-୧ରେ ଓଡ଼ିଆ ଖେଳାଳି ଆଶୁତୋଷ ଦାସଙ୍କୁ ଏବଂ ମହିଳା ଏକକରେ ଅଭିକା ସଜ୍ବଳ ସମାନ ୭-୧ ଗେମ୍‌ରେ ଅନମ ଅଲମାସଙ୍କୁ ହରାଇ ଦେବାରୁ କେନ୍ଦ୍ରାପଡ଼ା ୨-୦ରେ ଆଗୁଆ ହୋଇଯାଇଥିଲା। ପୁରୁଷ ଯୁଗଳରେ କିନ୍ତୁ ସୁରଜ ଆର୍ ପ୍ରବୋଧ-ଜଗଦୀଶ ତନୱର ୭-୫ରେ ନିଶାନ୍ତ ଗୋଏଲ-ଜଗମିତ୍ ସିଂହଙ୍କୁ ହରାଇ ପୁରୀକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ହେଲେ ମିଶ୍ରିତ ଯୁଗଳରେ ଅଭିକା ସଜ୍ବଳ-ଆଲେକ୍ସ ସୋଲାଙ୍କୀ ୭-୪ରେ ଅନମ ଅଲମାସ-ଜଗଦୀଶ ତନୱରଙ୍କୁ ମାତ୍ ‌ଦେଇ ମୁଖ୍ୟ ଲଢ଼େଇ ପୂର୍ବରୁ କେନ୍ଦ୍ରାପଡ଼ା ବିଜୟକୁ ନିଶ୍ଚିତ କରିଥିଲେ। ଏଥି ସହିତ ମୁଖ୍ୟ କୁହାଯାଉଥିବା ଦ୍ବିତୀୟ ପୁରୁଷ ଏକକ ଗୁରୁତ୍ବହୀନ ହୋଇପଡ଼ିଥିଲା। ପୁରୀର ସୁରଜ ଆର୍ ପ୍ରବୋଧ ୭-୦ରେ ଜଗମିତ ସିଂହଙ୍କୁ ହରାଇ କେବଳ ସାନ୍ତ୍ବନା ଅର୍ଜନ କରିଥିଲେ। ଏଥି ସହିତ କେନ୍ଦ୍ରାପଡ଼ା ଲଗାତାର ଦ୍ବିତୀୟ ବର୍ଷ ପାଇଁ ଏହି ଅଭିନବ ଫର୍ମାଟ ଲିଗ୍‌ ମୁକୁଟ ଜିତି ନେଇଛି। ଗତବର୍ଷ କେନ୍ଦ୍ରାପଡ଼ା ଫାଇନାଲରେ ସମ୍ବଲପୁରକୁ ହରାଇ ବିଜେତା‌ ହୋଇଥିଲା।

ଉଦ୍‌ଯାପନୀ ଉତ୍ସବରେ ଭୁବନେଶ୍ବର (ଉତ୍ତର) ବିଧାୟକ ପ୍ରିୟଦର୍ଶି ମିଶ୍ର, ଜିଲ୍ଲାପରିଷଦ ସଦସ୍ୟ କୁନାଲ ରାଉତ, ଶ୍ରାବଣୀ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ବିଜେତା କେନ୍ଦ୍ରାପଡ଼ା ଦଳ ମାଲିକ ଡକ୍ଟର ପ୍ରକାଶ କୁମାରଙ୍କୁ ୨ ଲକ୍ଷ ଟଙ୍କା ଏବଂ ଉପ ବିଜେତା ପୁରୀ ତଥା ଏହାର ମାଲିକ ଅରୁଣ ଅଗ୍ରୱାଲଙ୍କୁ ୧ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ନୀଳାଚଳ ସ୍ପୋର୍ଟସ ଫାଉଣ୍ଡେସନ୍‌ (ଏନଏସଏଫ)ର ଟ୍ରଷ୍ଟି ଦିଲୀପ କୁମାର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶା ଟେନିସ୍‌ ସଂଘକୁ ଆୟୋଜକ ଏନ୍‌ଏସ୍‌ଏଫ୍‌ ପକ୍ଷରୁ ୧୦ଟି ଟେନିସ୍‌ ରୢାକେଟ୍‌ ପ୍ରଦାନ କରାଯାଇଥିଲା। ଓଟିଏ ପ୍ରବଂଧକ ପ୍ରକାଶ ପଟ୍ଟନାୟକ ଏହା ଗ୍ରହଣ କରିଥିଲେ। ରେଫରି ପ୍ରବୀଣ କୁମାର ନାୟକ ପ୍ରତିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର