ଶେଷ ଟେ୍ଵଣ୍ଟି-୨୦ରେ ନ୍ୟୁଜିଲାଣ୍ଡ ପରାସ୍ତ

ଶୃଙ୍ଖଳା ସହ ପାକିସ୍ତାନ ପୁଣି ଏକ ନମ୍ବର

ମାଉଣ୍ଟ୍‌ ମଉନ୍‌ଗନୁ: କଷ୍ଟକର ନ୍ୟୁଜିଲାଣ୍ଡ୍‌ ଗସ୍ତରେ କିନ୍ତୁ ଶେଷ ହସ ପାଇଛି ପାକିସ୍ତାନ। ଗୋଟିଏ ଗୁଳିରେ ଦୁଇଟି ଶିକାର ମଧ୍ୟ କରିଛି। ରବିବାର ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଟେ୍ଵଣ୍ଟି-୨୦ରେ ନ୍ୟୁଜିଲାଣ୍ଡ୍‌କୁ ୧୮ ରନ୍‌ରେ ହରାଇ ପାକିସ୍ତାନ ୨-୧ରେ ଶୃଙ୍ଖଳା ଜିତିବା ସହ ପୁଣି ଥରେ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରି ନେଇଛି। ବେ’ ଓଭାଲ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଫକର ଜମନ (୪୬, ୩୬ ବଲ୍‌, ୫ ଚୌକା, ୧ ଛକା)ଙ୍କ ବିସ୍ଫୋରକ ଆରମ୍ଭ ପରେ ଅହମ୍ମଦ ସେହଜାଦ (୧୯, ୧୮ ବଲ୍‌), ବାବର ଆଜମ (୧୮, ୧୭ ବଲ୍‌), ସର୍ଫରାଜ ଅହମ୍ମଦ (୨୯, ୨୧ ବଲ୍‌), ହାରିସ୍‌ ସୋହେଲ୍‌ (୨୦*, ୭ ବଲ୍‌, ୩ ଛକା) ଏବଂ ଆମିର୍‌ ୟାମିନ୍‌ (୧୫*, ୬ ବଲ୍‌) ଦଳକୁ ୧୮୧/୬ରେ ପହଞ୍ଚାଇ ଦେଇଥିଲେ। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ଈଶ ସୋଢ଼ୀ ଏବଂ ମିଚେଲ ସାଣ୍ଟନର୍‌ ୨-୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ବୋଲ୍‌ଟ ଓ ଗ୍ରାଣ୍ଡ୍‌ହୋମ୍‌ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ମାର୍ଟିନ୍‌ ଗପ୍ଟିଲ୍‌ (୫୯, ୪୩ ବଲ୍‌, ୨ ଚୌକା, ୪ ଛକା) ସତ୍ତ୍ୱେ ୧୬୩/୬ରେ ସୀମିତ ରହିଥିଲା। ଟିସି ବ୍ରୁସ୍‌ ୨୨, ରସ୍‌ ଟେଲର୍‌ ୨୫ (୧୧ ବଲ୍‌, ୩ ଛକା) ଏବଂ ମିଚେଲ ସାଣ୍ଟନର୍‌ ୨୪* (୧୨ ବଲ୍‌, ୩ ଚୌକା, ୧ ଛକା) ଲଢ଼ିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରିନଥିଲେ। ପାକିସ୍ତାନ ପକ୍ଷରୁ ଚମତ୍କାର ବୋଲିଂ କରିଥିବା ସ୍ପିନର୍‌ ସାଦବ ଖାନ୍‌ (୪-୦-୧୯-୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଆମିର୍‌ ୟାମିନ, ରୁମନ୍‌ ରାଇସ୍‌, ମହମ୍ମଦ ଆମିର୍‌, ଫହିମ୍‌ ଅସ୍ରଫ୍‌ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ମହମ୍ମଦ ଆମିର୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ।

ସମ୍ବନ୍ଧିତ ଖବର