ପୁଣି କ୍ରିକେଟ୍‌ରେ ଲାଞ୍ଚ: ରାଜୀବ ଶୁକ୍ଳାଙ୍କ ସହକାରୀ ନିଲମ୍ବିତ

ନୂଆଦିଲ୍ଲୀ: ପୁଣି କ୍ରିକେଟ୍‌କୁ ଫେରିଛି ଲାଞ୍ଚ ପ୍ରସଙ୍ଗ। ରାହୁଲ ଶର୍ମାଙ୍କୁ ଉତ୍ତରପ୍ରଦେଶ ଦଳରେ ସାମିଲ ପାଇଁ ହୋଇଥିବା ପ୍ରୟାସ ପଦାରେ ପଡ଼ିଛି। ଏଥି ସହିତ ଉତ୍ତର ପ୍ରଦେଶ ଲାଞ୍ଚ ମାମଲା ନୂଆ ମୋଡ଼ ନେଇଛି। ରାଜ୍ୟ ଦଳରେ ଖେଳାଳି ବାଛିବାରେ ଉତ୍କୋଚ କାରବାର କରିଥିବା ଅଭିଯୋଗରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଅଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ ବ୍ୟକ୍ତିଗତ ସହକାରୀଙ୍କୁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଗୁରୁବାର ନିଲମ୍ବିତ କରିଛି। ରାହୁଲ୍‌ ଶର୍ମାଙ୍କୁ ଦଳରେ ସାମିଲ କରିବା ପାଇଁ ଶୁକ୍ଳାଙ୍କ ସହକାରୀ କାର୍ଯ୍ୟନିର୍ବାହୀ ଆକ୍ରାମ୍‌ ସୈଫି ଅର୍ଥ କାରବାର କରିଥିବାର ଅଭିଯୋଗ ବିସିସିଆଇ ପାଖରେ ପହଞ୍ଚିଥିଲା। ଏନେଇ ଉଭୟ ଆକ୍ରାମ ଓ ରାହୁଲଙ୍କ ଟେଲିଫୋନ୍‌ ବାର୍ତାଳାପକୁ ଏକ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ୍‌ରେ ପ୍ରସାରଣ କରିଥିଲା। ଶୁକ୍ଳା ଏବେ ଉତ୍ତର ପ୍ରଦେଶ କ୍ରିକେଟ୍‌ ସଂଘର ସଂପାଦକ ରହିଛନ୍ତି। ତାଙ୍କର ଜଣେ ଘନିଷ୍ଠ ତଥା ସହକାରୀ କାର୍ଯ୍ୟନିର୍ବାହୀଙ୍କ ଲାଞ୍ଚ ମାମଲାରେ ଜଡ଼ିତ ଥିବା ଅଭିଯୋଗ ଉଠିବା ପରେ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ନିଯୁକ୍ତ ସିଓଏ (ପ୍ରଶାସନିକ ସମିତି) ଓ ବିସିସିଆଇ କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନାଙ୍କ ମଧ୍ୟରେ ଟେଲି କନ୍‌ଫରେନ୍ସ ପରେ ଆକ୍ରାମ ସୈଫିଙ୍କୁ ନିଲମ୍ବନ କରାଯିବା ସାଙ୍ଗକୁ ତାଙ୍କଠୁ ସ୍ପଷ୍ଟୀକରଣ ମଗାଯାଇଛି। ତାଙ୍କ ଜବାବ ନବ ନିଯୁକ୍ତ କମିସନର୍‌ଙ୍କ ଦ୍ୱାରା ତର୍ଜମା କରାଯିବ। ବିସିସିଆଇ ସଭାପତି ସିକେ ଖାନ୍ନା ୪୮ ଘଣ୍ଟା ମଧ୍ୟରେ କମିସନର୍‌ଙ୍କୁ ନିଯୁକ୍ତ କରିବେ ଏବଂ ସେ ହିଁ ଏହି ମାମଲାର ବିଚାର କରିବେ। କମିସନର୍‌ ମଧ୍ୟ ୧୫ ଦିନ ମଧ୍ୟାର ତାଙ୍କ ରିପୋର୍ଟ ଦାଖଲ କରିବେ। ଏହି ରିପୋର୍ଟକୁ ବିସିସିଆଇର ଶୃଙ୍ଖଳାଗତ ସମିତି ଅନୁମୋଦନ ଦେବା ପରେ ଆକ୍ରାମ୍‌ଙ୍କ ବିପକ୍ଷରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏହି ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ଆକ୍ରାମଙ୍କ ଉପରେ ନିଲମ୍ବନ ବଳବତ୍ତର ରହିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଅବଶ୍ୟ ଏଭଳି ଅଭିଯୋଗ ସଂପର୍କରେ ଶୁକ୍ଳା କିମ୍ବା ରାହୁଲ କିଛି ପ୍ରତିକ୍ରିୟା ଦେଇନାହାନ୍ତି।

ଅନ୍ୟପକ୍ଷରେ ଯେଉଁ ହିନ୍ଦି ଚାନେଲ୍‌ ଏହି ରାହୁଲ-ସୈଫିଙ୍କ ବାର୍ତାଳପକୁ ପଦାକୁ ଆଣି ବିବାଦର ସୂତ୍ରପାତ କରିଛି ତାଠାରୁ ବିସିସିଆଇର ଦୁର୍ନୀତି ନିବାରଣ ମୁଖ୍ୟ ଅଜିତ ସିଂହ ସମ୍ପୃକ୍ତ ଟେପ୍‌ ମାଗିଛନ୍ତି। କିନ୍ତୁ ଘଟଣା ସମ୍ପର୍କରେ ପୁଙ୍ଖାନୁପଙ୍ଖ ତଦନ୍ତ ନ ସରିବା ପର୍ଯ୍ୟନ୍ତ କିଛି କହିବା ସମ୍ଭବ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ସୈଫ ସବୁ ଅଭିଯୋଗକୁ ଖଣ୍ଡନ କରି ଚାଲିଛନ୍ତି। ଆମେ ସବୁ ତଦନ୍ତକୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ୟୁପିସିଏ ଯୁଗ୍ମ ସମ୍ପାଦକ ଯୁଦ୍ଧବୀର ସିଂହ। କିନ୍ତୁ ସେମାନଙ୍କ ବ୍ୟକ୍ତିଗତ ବାର୍ତାଳପକୁ ନେଇ ମୁଁ କିଛି କହିବାର ନାହିଁ ବୋଲି ସେ ମନା କରି ଦେଇଥିଲେ। ଉତ୍ତରପ୍ରଦେଶ କ୍ରିକେଟ୍‌ରେ ସବୁବେଳେ ସ୍ୱଚ୍ଛତାର ସହ ଦଳ ଚୟନ ହୁଏ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ରାହୁଲ ଶର୍ମା ଉତ୍ତରପ୍ରଦେଶ ଦଳ କି ଭାରତୀୟ ଦଳରୁ ଅଦ୍ୟାବଧି ମ୍ୟାଚ୍‌ଟିଏ ଖେଳିନାହାନ୍ତି। ସୈଫି କିନ୍ତୁ ବିବିସିଆଇଠାରୁ ଦରମା ପାଆନ୍ତି ବୋଲି ସ୍ପଷ୍ଟ ହୋଇଛି। ଶୁକ୍ଳା ଏବେ ଉତ୍ତରପ୍ରଦେଶ କ୍ରିକେଟ୍‌ ନିର୍ଦ୍ଦେଶକ ଅଛନ୍ତି। ଉତ୍ତରପ୍ରଦେଶକୁ ୨୦୦୫-୦୬ ଋତୁରେ ପ୍ରଥମ ଥର ରଣଜୀ ବିଜେତା କରାଇଥିବା ମହମ୍ମଦ କୈଫ ଏଭଳି ଅଭିଯୋଗକୁ ନେଇ ମର୍ମାହତ ବୋଲି କହିଛନ୍ତି। ଏହାର ତଦନ୍ତ ହେବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ସପ୍ତାହ ପ୍ରାରମ୍ଭରେ କୈଫ କ୍ରିକେଟ୍‌କୁ ଅଲବିଦା କହିଥିଲେ।

ଚୟନକର୍ତାଙ୍କୁ ଦେହଜୀବୀ ଯୋଗାଉଥିବା ଅଭିଯୋଗ
ଲଣ୍ଡନ: ଉତ୍ତର ପ୍ରଦେଶ କ୍ରିକେଟ୍‌ ସଂଘର ମୁଖ୍ୟ ରାଜୀବ ଶୁକ୍ଳାଙ୍କ ସହଯୋଗୀ ମହମ୍ମଦ ଆକ୍ରମ ସୈଫିଙ୍କ ବିରୋଧରେ ରାହୁଲ ଶର୍ମାଙ୍କ ସହ ଆଉ କେତେକ କ୍ରିକେଟର ମଧ୍ୟ ଲଜ୍ଜାଜନକ ଏବଂ ଗୁରୁତର ଅଭିଯୋଗ ଆଣିଛନ୍ତି। ଉତ୍ତର ପ୍ରଦେଶ କ୍ରିକେଟ୍‌ ଦଳର ବିଭିନ୍ନ ବୟସ ବର୍ଗ ପାଇଁ ଘୋଷିତ ହେଉଥିବା ଦଳରେ ନିଜ ପସନ୍ଦର ଖେଳାଳିଙ୍କୁ ସ୍ଥାନ ଦେବା ଲାଗି ସୈଫି ଚୟନକର୍ତାଙ୍କୁ ଦେହଜୀବୀ ଯୋଗାଉଥିଲେ ବୋଲି ରାହୁଲ କହିଛନ୍ତି। ଏପରିକି ସୈଫି ପାଖକୁ ବାଧ୍ୟହୋଇ ସେ ୧୨ ଜଣ ଝିଅଙ୍କୁ ପଠାଇଥିବା ଭଳି ବିସ୍ଫୋରକ ବୟନ ଆଜି ରାହୁଲ ଦେଇଛନ୍ତି। ସେହିଭଳି ଯେଉଁ ପିଲାମାନେ ଚୟନକର୍ତାଙ୍କୁ ମୋଟା ଅଙ୍କର ଲାଞ୍ଚ ଏବଂ କାର୍‌ ଉପହାର ଦେଉଛନ୍ତି ସେହିମାନେ ହିଁ ଏବେ ଉତ୍ତର ପ୍ରଦେଶ ଦଳରେ ସୁଯୋଗ ପାଉଛନ୍ତି। ଯେତେ ଭଲ ଖେଳିଲେ ମଧ୍ୟ ଗରିବ ପରିବାରର ପିଲାମାନଙ୍କୁ ସୁଯୋଗ ଦିଆଯାଉ ନାହିଁ। ସେମାନଙ୍କୁ ଜାଣି ଶୁଣି ଅଖଦେଖା କରାଯାଉଛି ବୋଲି ସେ କହିଛନ୍ତି। ଏହି ଲାଞ୍ଚ କାରବାର ମୁଖ୍ୟତଃ ସୌଫିଙ୍କ ମାଧ୍ୟମରେ ହେଉଛି ବୋଲି ରାହୁଲ ସୂଚନା ଦେଇଛନ୍ତି। ଭୂପେନ୍ଦ୍ର ସିଂହ ନାମକ ଜଣେ ଉଦୀୟମାନ କ୍ରିକେଟର ବି ରାହୁଲଙ୍କୁ ସମର୍ଥନ କରିଛନ୍ତି। ଚୟନକର୍ତାମାନେ ମୋତେ ୨ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ ବୋଲି ସେ କହିଛନ୍ତି। ସେପଟେ ସୈଫି ତାଙ୍କଠାରୁ ପାଖା ପାଖି ୫ ଲକ୍ଷ ଟଙ୍କା ନେଇଛନ୍ତି ବୋଲି ରାହୁଲ କହିଛନ୍ତି। ସୈଫି ପିଲାମାନଙ୍କ ପାଇଁ ଜାଲ ବୟସ ପ୍ରମାଣପାତ୍ର ଯୋଗାଡ଼ କରୁଥିବା ମଧ୍ୟ ରାହୁଲ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର