ପୁଣି ପ୍ରମୋଦ ଚମକ ! ବର୍ଷର ଶ୍ରେଷ୍ଠ ପାରାବ୍ୟାଡ୍‌ମିଣ୍ଟନ୍ ଖେଳାଳି ମନୋନୟନ ତାଲିକାରେ ସାମିଲ

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ପାରାବ୍ୟାଡ୍‌ମିଣ୍ଟନ୍ ତାରକା ପ୍ରମୋଦ ଭଗତ ସଫଳତାର ଆଉ ଏକ ଅଧ୍ୟାୟ ସୃଷ୍ଟିଛନ୍ତି। ଓଡ଼ିଶା କ୍ରୀଡ଼ା ଜଗତ ସହ ନିଜ ଜାଜ୍ଜୁଲ୍ୟମାନ ଖେଳ ଜୀବନରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ପ୍ରମୋଦ। ଭାରତର ପ୍ରଥମ ଖେଳାଳି ଭାବେ ସେ ବିଶ୍ବ ବ୍ୟାଡମିଣ୍ଟନ୍ ମହାସଂଘ (ବିଡବ୍ଲ୍ୟୁଏଫ୍) ଦ୍ବାରା ‘ବର୍ଷର ଶ୍ରେଷ୍ଠ ପୁରୁଷ ପାରାବ୍ୟାଡ୍‌ମିଣ୍ଟନ୍ ଖେଳାଳି’ ମନୋନୟନ ତାଲିକାରେ ସ୍ଥାନ ପାଇଛନ୍ତି। ସାରା ବିଶ୍ବର ମାତ୍ର ଚାରି ଜଣ ପାରାବ୍ୟାଡ୍‌ମିଣ୍ଟନ୍ ଖେଳାଳି ଏହି ସମ୍ମାନଜନକ ତାଲିକାରେ ଅଛନ୍ତି। ପ୍ରମୋଦ ହେଉଛନ୍ତି ଭାରତରୁ ଏକମାତ୍ର। ଚଳିତ ମାସ ୯ ତାରିଖରେ ଚୀନ୍‌ର ଗୁଆଁଝୁଠାରେ ବିଜେତାଙ୍କ ନାମ ଘୋଷଣା କରାଯିବ। ଏଥିଲାଗି ପ୍ରମୋଦଙ୍କୁ ଫ୍ରାନ୍ସର ଲୁକାସ ମାଜୁର, ଚୀନ୍‌ର କ୍ୟୁ ଜିମୋ ଏବଂ ଇଣ୍ଡୋନେସିଆର ଧିବା ଆନ୍ରିମୁସ୍ଥିଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ହେବ। ଚଳିତ ବର୍ଷ ମାଜୁର ୯ ସ୍ବର୍ଣ୍ଣ, ୬ ରୌପ୍ୟ ଏବଂ ୩ କାଂସ୍ୟ ପଦକ ଜିତିଥିଲା ବେଳେ ଜିମୋ ୧୨ ସ୍ବର୍ଣ୍ଣ ପଦକ ଅମଳ କରିଛନ୍ତି। ପ୍ରମୋଦ ୧୦ ସ୍ବର୍ଣ୍ଣ, ୪ ରୌପ୍ୟ ଏବଂ ୨ କାଂସ୍ୟ ପଦକ ଜିତି ମୋଟ ପଦକ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଆନ୍ରିମୁସ୍ଥି ୯ ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି। ପ୍ରମୋଦ ଚଳିତ ବର୍ଷ ଏହା ପୂର୍ବରୁ ଅଷ୍ଟମ ଓଡ଼ିଆ ଖେଳାଳି ଭାବେ ସମ୍ମାନଜନ ଅର୍ଜୁନ ପୁରସ୍କାର ଜିତି ସାରିଛନ୍ତି। ୧୯୮୮ ମସିହା ଜୁନ୍ ୪ ତାରିଖରେ ବରଗଡ଼ ଜିଲ୍ଲାର ଅତାବୀରା‌ରେ ଜନ୍ମଗ୍ରହଣ କରିଥିବା ପ୍ରମୋଦ ଚଳିତ ବର୍ଷ ବହୁ ଐତିହାସିକ ସଫଳତା ଲାଭ କରିଛନ୍ତି। ନିକଟରେ ଜାପାନରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସ ଟେଷ୍ଟ୍‌ ଇଭେଣ୍ଟରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ବାସେଲଠାରେ ଅନୁଷ୍ଠିତ ବିଶ୍ବ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ପ୍ରମୋଦ ଯୁଗଳ ସ୍ବର୍ଣ୍ଣ ହାସଲ କରିଥିଲେ। ସେ ମଧ୍ୟ ରାଜ୍ୟର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଲାଭ କରି ସାରିଛନ୍ତି।

ଶ୍ରେଷ୍ଠ ଉଦୀୟମାନ ଖେଳାଳି ତାଲିକାରେ ସାତ୍ବିକ-ଚିରାଗ
ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଶ୍ବ ବ୍ୟାଡ୍‌ମିଣ୍ଟନ୍ ମହାସଂଘ ଦ୍ବାରା ପ୍ରସ୍ତୁତ ଶ୍ରେଷ୍ଠ ଉଦୀୟମାନ ବା ବିକଶିତ ଖେଳାଳି ପୁରସ୍କାର ମନୋନୟନ ତାଲିକାରେ ସ୍ଥାନ ପାଇଛନ୍ତି। ଚଳିତବର୍ଷର ଚମକପ୍ରଦ ପ୍ରଦର୍ଶନ ପାଇଁ ବିଡବ୍ଲ୍ୟୁଏଫ୍ ଉଭୟଙ୍କୁ ଏହି ପୁରସ୍କାର ଲାଗି ବାଛିଛି। ୨୦୧୯ କ୍ୟାଲେଣ୍ଡର ବର୍ଷରେ ସାତ୍ବିକ ଓ ଚିରାଗ ଫ୍ରେଞ୍ଚ ଓପନ୍ ସୁପର ୫୦୦ ଟ୍ରଫି ଜିତିବା ସହ ଫ୍ରେଞ୍ଚ ଓପନ ସୁପର ୭୫୦ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଥିଲେ। ଏହି ବର୍ଗର ମନୋନୟନ ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମା‌ନେ ହେଲେ କାନାଡାର ମହିଳା ଏକକ ଖେଳାଳି ମିଚେଲ ଲି, କୋରିଆ ମହିଳା ଯୁଗଳ ଯୋଡ଼ି କିମ୍ ସୋ ୟଙ୍ଗ୍ ଓ କଙ୍ଗ୍ ହି ୟଙ୍ଗ, ଇଣ୍ଡୋନେସିଆ ମିଶ୍ରିତ ଯୁଗଳ ଯୋଡ଼ି ପ୍ରବୀଣ ଜୋର୍ଡାନ ଓ ମେଲାଟି ଡାଏଭା। ବିଡବ୍ଲ୍ୟୁଏଫ୍ ଏଥର ଦୁଇଟି ପାରାବ୍ୟାଡମିଣ୍ଟନ୍ ବର୍ଗ ସହ ମୋଟ ୬ ବର୍ଗର ବଛାବଛା ଖେଳାଳିଙ୍କୁ ପୁରସ୍କୃତ କରିବ। ବର୍ଷର ଶ୍ରେଷ୍ଠ ମହିଳା‌ ଖେଳାଳି ମନୋନୟନ ତାଲିକାରେ କିନ୍ତୁ ବିଶ୍ବ ବିଜୟିନୀ ପିଭି ସିନ୍ଧୁ ସ୍ଥାନ ପାଇନାହାନ୍ତି। ବିଶ୍ବ ପ୍ରତିଯୋଗିତା ଛଡ଼ା ଚଳିତ ବର୍ଷ ସେ ଅନ୍ୟ କୌଣସି ବଡ଼ ପ୍ରତିଯୋଗିତା ଜିତି ନଥିବାରୁ ତାଲିକାରେ ତାଙ୍କୁ ନିଆଯାଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର