ରିଭ୍ୟୁରେ ପୁଣି ବିଫଳ ହେଲେ ଋଷବ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ଭାରତ ୭ ୱିକେଟ୍‌ରେ ହାରିବା ପରେ ଯୁବ ତାରକା ଋଷବ ପନ୍ତଙ୍କ ପ୍ରଦର୍ଶନ ପୁଣି ଥରେ ଚର୍ଚାକୁ ଆସିଛି। ପ୍ରଥମତଃ ତାଙ୍କ ଦୁର୍ବଳ ରନିଂ ବିଟୁଇନ୍ ୱିକେଟ୍ ପାଇଁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ରନ୍ ଆଉଟ୍ ହୋଇଥିଲେ। ଦ୍ବିତୀୟରେ ତାଙ୍କ ତ୍ରୁଟିପୂର୍ଣ୍ଣ ଆକଳନ ପାଇଁ ଭାରତ ଠିକଣା ସମୟରେ ବହୁମୂଲ୍ୟ ରିଭ୍ୟୁ ହରାଇଥିଲା। ବ୍ୟାଟରେ ମଧ୍ୟ ସେ ମେସିତି କିଛି କମାଲ କରି ପାରି ନଥିଲେ। ବାଂଲା‌ଦେଶ ପାଳିର ଦଶମ ଓଭରରେ ପନ୍ତ ଅଧିନାୟକ ରୋହିତ ଶର୍ମାଙ୍କୁ କହି ସୌମ୍ୟ ସରକାରଙ୍କ ବିରୋଧରେ ଡିଆରଏସ୍ ନେଇଥିଲେ। ବଲ୍ ସରକାରଙ୍କ ବ୍ୟାଟରେ ବାଜି ତାଙ୍କ ହାତକୁ ଯାଇଥିବା‌ ରୋହିତଙ୍କୁ ପନ୍ତ ଜଣାଇଥିଲେ। ହେଲେ ରିଭ୍ୟୁରେ ବଲ୍ ବ୍ୟାଟ୍‌କୁ ଆଦୌ ଛୁଇଁ ନଥିବା ଜଣାପଡ଼ିଥିଲା। ଭାରତ ଏଥିଲାଗି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ମୁସଫିକର ରହିମଙ୍କ ବିରୋଧରେ ରିଭ୍ୟୁ ନେଇ ପାରି ନଥିଲା। ରିଭ୍ୟୁ ଥି‌ଲେ ରହିମ ୬୦* ରନର ମ୍ୟାଚ୍ ବିଜୟୀ ପାଳି ପୂର୍ବରୁ ଦୁଇ ଥର ଏଲବିଡବ୍ଲ୍ୟୁ ଆଉଟ୍ ହେବାର ସମ୍ଭାବନା ଥିଲା। ମ୍ୟାଚ୍ ପରେ ଭାରତ ରିଭ୍ୟୁ ନେବାରେ ଗୁରୁତର ତ୍ରୁଟି କରିଥିଲା ବୋଲି ମଧ୍ୟ ରୋହିତ ସ୍ବୀକାର କରିଥିଲା। ପନ୍ତ ରିଭ୍ୟୁରେ ବିଫଳ ହେବା ପରେ ସାମାଜିକ ଗଣମାଧ୍ୟମରେ କ୍ରିକେଟ୍ ପ୍ରେମୀ ତାଙ୍କୁ ଧୋନିଙ୍କ ସହ ତୁଳନା କରିବା ଆରମ୍ଭ କରି ଦେଇଥିଲେ। ଧୋନିଙ୍କ ସହ ସମାନ ହେବା ଲାଗି ତାଙ୍କୁ ଆହୁରି ଅନେକ ବର୍ଷ ସଂଘର୍ଷ କରିବାକୁ ପଡ଼ିବ ବୋଲି କେହି କେହି ମତ ରଖିଥିଲେ।

ସମ୍ବନ୍ଧିତ ଖବର