ବିଶ୍ବ କ୍ରିକେଟ ଯେଉଁ ଅଳ୍ପ କେତେଜଣ ଭାରତୀୟ ଖେଳାଳିଙ୍କୁ ସର୍ବକାଳୀନ ଶ୍ରେଷ୍ଠ (ଇଂରାଜୀରେ Greatest Of All Time ବା ସଂକ୍ଷେପରେ GOAT) ସ୍ତରର ମାନ୍ୟତା ଦିଏ, ସେମାନଙ୍କ ତାଲିକା ନିର୍ଦ୍ବନ୍ଦ୍ବରେ ଯେ କେହି କରିଦେଇପାରିବେ। ଗାଭାସ୍କର, କପିଳଦେବ, ସଚିନ ଓ କୋହଲିଙ୍କୁ ଏକ ସ୍ବତନ୍ତ୍ର ତାଲିକାରେ ରଖାଯାଉଥିବା ବେଳେ ଦ୍ରାବିଡ଼, କୁମ୍ବଲେ, ସେହବାଗ, ଧୋନି ଓ ଅଶ୍ବିନ୍ଙ୍କୁ ମଧ୍ୟ ବିଶ୍ବ ସ୍ତରର ବୋଲି କୁହାଯାଏ। ଧୋନୀଙ୍କୁ କିଛି ବିଶେଷଜ୍ଞ ସେହି ସ୍ବତନ୍ତ୍ର ତାଲିକାର ପ୍ରଥମ ଚାରି ଜଣଙ୍କ ସହ ସାମିଲ୍ ମଧ୍ୟ କରନ୍ତି। ଆଉ କେହିକେହି ରୋହିତ ଶର୍ମ୍ମାଙ୍କୁ ମଧ୍ୟ ମହାନତା ପାଇସାରିଥିବା ଖେଳାଳିର ମର୍ଯ୍ୟାଦା ଦିଅନ୍ତି। ସପ୍ତମ ଦଶକର ଆମ ସ୍ପିନ୍-ତ୍ରିମୂର୍ତ୍ତିଙ୍କ ପରି ବିଶ୍ବନାଥ, ଆଝାରୁଦ୍ଦିନ, ଲକ୍ଷ୍ମଣ, ଗାଙ୍ଗୁଲି, ଶ୍ରୀନାଥ, ହରଭଜନ ମଧ୍ୟ ବହୁତ ଭଲ ଖେଳାଳି।
ତେବେ ଏମାନେ ଉପରୋକ୍ତ ତାଲିକାଦ୍ବୟରେ ସର୍ବସମ୍ମତି ଭାବେ ସ୍ଥାନ ପାଆନ୍ତି ନାହିଁ। ବିଶ୍ବ କ୍ରିକେଟ ସମୁଦାୟ ଯାହା କହୁ ନା କାହିଁକି ଆଲୋଚିତ ପ୍ରତ୍ୟେକ ଖେଳାଳିଙ୍କ ପ୍ରଶଂସକମାନେ ନିଜ ନିଜ ଆଦର୍ଶ ଖେଳାଳିଙ୍କ ସପକ୍ଷରେ ସାମାଜିକ ଗଣମାଧ୍ୟମରେ ଯୁକ୍ତିମାନ ଉପସ୍ଥାପନ କରିବା ଦେଖାଯାଇଥାଏ। ଗତ ୨୪ ଏପ୍ରିଲରେ ସଚିନଙ୍କ ଜୀବନର ଅର୍ଦ୍ଧଶତକ ଏଥିପାଇଁ ଏକ ନୂଆ ଖୋରାକ ଯୋଗାଇଛି। ସଚିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଗୋଟିଏ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏବେ ବି ଜନମାନସରେ ତାଙ୍କ ଚମକ ବେଶ୍ ଅତୁଟ ରହିଥିବା ଦେଖିବାକୁ ମିଳିଛି। ହେଲେ ଆଗକୁ ଦିନିକିଆରେ ସଚିନଙ୍କ ରେକର୍ଡ ଅତିକ୍ରମ କରିବାକୁ ଯାଉଥିବା ଅନ୍ୟତମ GOAT ବିରାଟ କୋହଲିଙ୍କୁ ମଧ୍ୟ ଏହି ଅବସରରେ ତାଙ୍କ ସହ ତୁଳନା ହୋଇଥିବା ଦେଖାଯାଇଛି।
/sambad/media/post_attachments/wp-content/uploads/2023/04/21-21.jpg)
ସଚିନଙ୍କୁ ସମସ୍ତଙ୍କଠାରୁ ଉପରେ ବୋଲି ଦର୍ଶାଇବାକୁ ଯାଇ ତାଙ୍କ ଖେଳ ସମୟର କଥା ମନେପକାଇ ଦିଆଯାଇଛି। ଗତ ନବମ ଦଶକ ଓ ଏ ଶତାବ୍ଦୀର ପ୍ରଥମ ଦଶକରେ ଯେପରି ସଚିନ ମାନିଆ ଥିଲା ପୂର୍ବରୁ ବା ପରେ ସେପରି ଗଣଉନ୍ମାଦନା ଆଉ କାହାକୁ ନେଇ ହୋଇନାହିଁ। ବିଶାଳ ଆକାରର ଅକ୍ଷରରେ ଷ୍ଟାଡିୟମ୍ ଗ୍ୟାଲେରୀର ଏ ମୁଣ୍ଡରୁ ସେମୁଣ୍ଡ ‘କ୍ରିକେଟ ଇଜ୍ ଆୱାର୍ ରିଲିଜିୟନ୍, ସଚିନ ଅୱାର୍ ଗଡ୍’ ଲେଖାଥିବା ଆଜି ବି ମନେଅଛି। ସଚିନ କ୍ରିଜ୍ରେ ଥିଲେ ତାଙ୍କ ଖେଳ ଦେଖିବାକୁ କେମିତି ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଥିଲା ତାହା ମନେପକାଇଦିଆଯାଇଛି। ଅନେକ ସୂକ୍ଷ୍ମ ଯୁକ୍ତିରେ ବିତର୍କଗୁଡ଼ିକ ବେଶ୍ ଜମାଣିଆ ହୋଇଥିବା ବେଳେ କିଛି କ୍ରିକେଟପ୍ରେମୀ ଏଇ ଖେଳର ଅନ୍ୟ ଏକ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ଭାରତର ବେଞ୍ଚ୍ ଷ୍ଟ୍ରେଙ୍ଗ୍ଥ ଏତେ ବଳିଷ୍ଠ ହୋଇଥିବା ସତ୍ତ୍ବେ ଆମେ ନିଜକୁ ଅନ୍ୟ ପ୍ରତିଦ୍ବନ୍ଦ୍ବୀମାନଙ୍କଠାରୁ ଅପହଞ୍ଚ ଦୂରତାରେ ପହଞ୍ଚାଇନପାରିବା ଦୁଃଖର କଥା ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/23-23.jpg)