ପୁଣି ସକିବ ଚମକ, ଆଫଗାନିସ୍ତାନକୁ ୬୨ ରନ୍‌ରେ ହରାଇଲା ବାଂଲାଦେଶ

ସାଉଥମ୍ପଟନ୍: ସକିବ-ଅଲ୍-ହାସନ (୫୧, ୫/୨୯)ଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ବାଂଲାଦେଶ ସୋମବାର ବିଶ୍ବକପ୍‌ର ୩୧ତମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୬୨ ରନ୍‌ରେ ପରାସ୍ତ କରିଛି। ତା’ ସହ ସପ୍ତମ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରି ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିଛି। ଅନ୍ୟପକ୍ଷରେ ପୂର୍ବରୁ ସେମି ଦୌଡ଼ରୁ ବାଦ ପଡ଼ି ସାରିଥିବା ଆଫଗାନିସ୍ତାନ ଲଗାତାର ସପ୍ତମ ପରାଜୟ ବରଣ କରି ନିଜ ପ୍ରଶଂସକଙ୍କୁ ନିରାଶ କରିଛି। ବାଂଲାଦେଶ ଆଜି ୨୬୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଆଫଗାନିସ୍ତାନ ମାତ୍ର ୨୦୦ ରନ୍ କରି ପାରିଥିଲା। ସକିବ ନିଜ ଚମତ୍କାର ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେ ମଧ୍ୟ ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାର ପ୍ରଥମ ସ୍ଥାନକୁ ଫେରିଥିଲେ। ସେହିଭଳି ଗୋଟିଏ ବିଶ୍ବକପ୍ ମ୍ୟାଚ୍‌ରେ ଅର୍ଧଶତକ ସହ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିବା ହାତଗଣତି ଖେଳାଳିଙ୍କ ମଧ୍ୟରେ ସାମିଲ ହୋଇଥିଲେ।

ଆଫଗାନିସ୍ତାନ ଆଜି ଆରମ୍ଭରୁ ବାଟ ହୁଡ଼ିଥିଲା। ଅଧିନାୟକ ଗୁଲବଦିନ ନୈବ (୪୭) ଓ ରହମତ ସାହ (୨୪) ପ୍ରଥମ ୱିକେଟ୍‌ରେ ୪୯ ରନ୍ ଯୋଡ଼ିଥିଲେ। ତେବେ ଅନଭିଜ୍ଞତା ପାଇଁ ଉଭୟ ବଡ଼ ପାଳି ଖେଳି ପାରି ନଥିଲେ। ଦଳର ଦୁଇ ତାରକା ଖେଳାଳି ମହମ୍ମଦ ନବି (୦) ଓ ରସିଦ ଖାନ୍ (୨) ନିରାଶ କରିଥିଲେ। ସକିବଙ୍କ ସ୍ପିନ୍ ଆଗରେ ଅଧିକାଂଶ ଆଫଗାନ ବ୍ୟାଟ୍ସମ୍ୟାନ୍ ଆତ୍ମସମର୍ପଣ କରିଥିଲେ। କେବଳ ସାମିଉଲ୍ଲା ‌ସେନୱାରି (୪୯*) ଲଢ଼ିଥିଲେ। ତେବେ ଅନ୍ୟପଟୁ ତାଙ୍କୁ ଆବଶ୍ୟକ ସମର୍ଥନ ମିଳି ନଥିଲା। ଲଗାତାର ୱିକେଟ୍ ପତନ ଯୋଗୁଁ ସେ ମଧ୍ୟ ମାତ୍ର ୧ ରନ୍ ପାଇଁ ପ୍ରଥମ ବିଶ୍ବକପ୍ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ଆଫଗାନିସ୍ତାନ ପାଳି ୪୭ ଓଭରରେ ୨୦୦ ରନ୍‌ରେ ଶେଷ ହୋଇ ଯାଇଥିଲା। ଆଫଗାନିସ୍ତାନ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ବାଂଲାଦେଶ ତା’ର ଦୁଇ ଅଭିଜ୍ଞ ତାରକା ସକିବ ଓ ମୁସଫିକର ରହିମ (୮୩)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୨ ରନ୍ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ତମିମ ଇକବାଲ ୩୬, ମୋସାଦେକ ହୁ‌ସେନ ୩୫ ଏବଂ ମହମ୍ମଦୁଲ୍ଲା ୨୭ ରନ୍ କରିଥିଲେ। ଆଫଗାନିସ୍ତାନର ସଫଳତମ ବୋଲର ଭାବେ ସ୍ପିନର ମୁଜିବ-ଉର୍-ରହେମାନ ୩୯ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ। ଆଫଗାନ ଅଧିନାୟକ ନୈବଙ୍କୁ ଦୁଇଟି ୱିକେଟ୍ ମିଳିଥିଲା।

ସମ୍ବନ୍ଧିତ ଖବର