ଜକାର୍ତା/ପାଲେମବାଙ୍ଗ୍: ଭାରତୀୟ ପୁରୁଷ ହକି ଦଳର ସ୍ୱର୍ଣ୍ଣ ସଫଳତା ସେମିଫାଇନାଲ୍ରେ ଶେଷ ହୋଇଯାଇଥିଲା। ଆଉ ପାଦେ ଆଗକୁ ବଢ଼ିଥିବା ମହିଳା ଦଳର ସ୍ୱର୍ଣ୍ଣ ହାତଛଡ଼ା ହୋଇଛି ଫାଇନାଲ୍ରେ। ଶୁକ୍ରବାର ଫାଇନାଲ୍ରେ ଭାରତ ୧-୨ ଗୋଲ୍ରେ ଜାପାନଠାରୁ ହାରିଯାଇଥିଲା। ଭାରତର ରୌପ୍ୟ ପଦକ କିନ୍ତୁ ଶୁକ୍ରବାର ଚଳିତ ସଂସ୍କରଣର ୬୫ତମ ହୋଇଥିଲା। ଯାହାକି ୨୦୧୦ ସଂସ୍କରଣର ସମକକ୍ଷ ସହ ନୂଆ କୀର୍ତିମାନ କରିଥିଲା। ଗେଲୋରା ବଙ୍ଗ୍ କର୍ନୋ ହକି ଫିଲଡରେ ଖେଳାଯାଇଥିବା ଫାଇନାଲରେ ଜାପାନ ଉଭୟ ଗୋଲ୍ ପେନାଲ୍ଟି କର୍ନରରୁ ପାଇଥିଲା। ୧୧ ମିନିଟ୍ରେ ମିନାମି ଶିମିଜୁ ଏବଂ ୪୪ ମିନିଟ୍ରେ ମୋତୋମି କାଓ୍ଵାମୁରା ଏହି ଦୁଇ ଗୋଲ୍ ଦେଇଥିଲେ। ନେହା ଗୋୟଲଙ୍କ ଫିଲ୍ଡ ଗୋଲ୍ ବଳରେ ପ୍ରଥମାର୍ଧ ସୁଦ୍ଧା ଭାରତ ମ୍ୟାଚ୍କୁ ୧-୧ରେ ରଖିଥିଲେ ମଧ୍ୟ ଦ୍ୱିତୀୟାର୍ଧରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଭାରତ କିନ୍ତୁ ୨୦ ବର୍ଷ ପରେ ରୌପ୍ୟ ପଦକ ଜିତିବାରେ ସକ୍ଷମ ହେଲା। ଶେଷ ଥର ପାଇଁ ୧୯୯୮ ବ୍ୟାଙ୍କକ୍ ଏସିଆଡ୍ରେ ଭାରତ ସମାନ ୧-୨ ଗୋଲ୍ରେ କୋରିଆଠୁ ହାରି ରୌପ୍ୟ ପଦକ ଜିତିଥିଲା। ଏସିଆଡ୍ରେ ଭାରତୀୟ ମହିଳା ବିଶ୍ୱର ନବମ ମାନ୍ୟତା ଏବଂ ଜାପାନ ୧୪ତମ ମାନ୍ୟତା ଭାବେ ଖେଳିଥିଲେ ମଧ୍ୟ ଢେର ଉଚ୍ଚରେ ରହି ଅଭିଯାନ ଶେଷ କରିଛନ୍ତି। ପୂର୍ବରୁ କୋରିଆକୁ ହରାଇ ଚୀନ୍ କାଂସ୍ୟ ପଦକ ହାସଲ କରି ନେଇଥିଲା। ଭାରତୀୟ ଦଳ ମଧ୍ୟ ହକିରୁ ସର୍ବାଧିକ ସଫଳତା ପାଇବାର ଗୌରବକୁ ଆଗକୁ ନେଇଛି। ମହିଳା ହକିରୁ ଏହା ଥିଲା ଭାରତକୁ ଷଷ୍ଠ ଏସିଆଡ୍ ପଦକ। ଏହା ମଧ୍ୟରେ ୧ ସ୍ୱର୍ଣ୍ଣ, ୨ ରୌପ୍ୟ ଏବଂ ୩ କାଂସ୍ୟ ରହିଛି। ସବୁ ଖେଳକୁ ଦେଖିଲେ ପୁରୁଷ ହକି (୧୪ ପଦକ) ଏବଂ କବାଡ଼ି (୮) ପରେ ମହିଳା ହକି ତୃତୀୟ ଶ୍ରେଷ୍ଠ ସଫଳ ଦଳ ରହିଛି।
ଭୁବନେଶ୍ୱର: ଦୂତି ଚାନ୍ଦଙ୍କ ଯୁଗଳ ରୁପା ପଦକ (୧୦୦ ଏବଂ ୨୦୦ ମିଟର୍ ମହିଳା ଦୌଡ଼) ପରେ ଆଉ ୪ ଜଣ ଓଡ଼ିଆ ଝିଅ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି ଏସୀୟ କ୍ରୀଡ଼ାରେ। ମହିଳା ହକି ଫାଇନାଲ୍ରେ ଜାପାନ ନିକଟରୁ ଭାରତ ହାରିଥିଲେ ମଧ୍ୟ ଏସିଆଡ୍ ସାରା ଚମତ୍କାର ପ୍ରଦର୍ଶନ କରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିବା ୪ ଓଡ଼ିଆ ଝିଅ ହେଲେ ଦୀପ୍ଗ୍ରେସ୍ ଏକ୍କା, ସୁନୀତା ଲାକ୍ରା, ଲିଲିମା ମିଞ୍ଜ୍ ଏବଂ ନମିତା ଟପ୍ପୋ। ଏହି ୪ ଜଣ ୪ ବର୍ଷ ତଳେ ୨୦୧୪ ଇଞ୍ଚିଅନ୍ ଏସିଆଡ୍ରେ କାଂସ୍ୟ ପଦକ ଜିତିଥିଲେ। ବ୍ୟକ୍ତିଗତ ଭାବେ ଦୁଇଟି ଲେଖାଏଁ ଏସିଆଡ୍ ପଦକ ଜିତିବାରେ ମଧ୍ୟ ଦୀପ୍ଗ୍ରେସ୍ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ ଏବଂ ଲିଲିମା ମିଞ୍ଜ୍ ଓଡ଼ିଆଙ୍କ ବିରଳ କ୍ଲବ୍ରେ ସାମିଲ ହେଲେ। ଏହା ପୂର୍ବରୁ ଦିଲୀପ ତିର୍କି, ଜ୍ୟୋତି ସୁନୀତା କୁଲୁ ଏବଂ ଚଳିତ ସଂସ୍କରଣରୁ ଦୂତି ଚାନ୍ଦ ୨ଟି ଲେଖାଏଁ ପଦକ ଜିତିବାର ଗୌରବ ପାଇଥିଲେ। ଏଥି ସହିତ ଜାକର୍ତା ଓ ପାଲେମବାଙ୍ଗ ଏସିଆଡ୍ରୁ ଓଡ଼ିଆଙ୍କ ପଦକ ସଂଖ୍ୟା ୬ରେ ପହଞ୍ଚିଛି। ପୁରୁଷ ହକି ଦଳରେ ଆଉ ଦୁଇ ଓଡ଼ିଆ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ସାମିଲ ଥିବାରୁ ଏହି ସଂଖ୍ୟା ୮ରେ ପହଞ୍ଚିବା ଆଶା କାଏମ ରହିଛି। ଗତଥରର ସ୍ୱର୍ଣ୍ଣ ବିଜେତା ଭାରତୀୟ ଦଳ କାଂସ୍ୟ ପଦକ ପାଇଁ ଶନିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳିବ।
ନୌଚାଳନାରୁ ୧ ରୌପ୍ୟ, ୨ କାଂସ୍ୟ
ଜାକର୍ତାସ୍ଥିତ ଇଣ୍ଡୋନେସିଆ ନ୍ୟାସ୍ନାଲ୍ ସେଲିଂ ସେଣ୍ଟରରେ ଭାରତୀୟ ପ୍ରତିଯୋଗୀମାନେ ନୌଚାଳନା (ସେଲିଂ)ରୁ ୩ ପଦକ ଅମଳ କରିବା ସହିତ ତ୍ରିରଙ୍ଗା ଉଡାଇଥିଲେ। ଭାରତୀୟ ନୌଚାଳକ ଗୋଟିଏ ରୌପ୍ୟ ଓ ୨ କାଂସ୍ୟ ଜିତିଥିଲେ। ବର୍ଷା ଗୌତମ ଓ ଶ୍ୱେତା ସେର୍ଭେଗର୍ ୪୯ ଅର୍ ଏଫ୍ଏକ୍ସ ମହିଳା ବର୍ଗରେ ରୌପ୍ୟ ହାସଲ କରିଥିଲା ବେଳେ ୪୯ ଅର୍ ଏଫ୍ଏକ୍ସ ପୁରୁଷ ବର୍ଗରେ ବରୁଣ ଠାକର୍ ଅଶୋକ ଓ ଚେଙ୍ଗାପ୍ପା ଗଣପତି କେଲାପାଣ୍ଡା ଏବଂ ହର୍ଷିତା ଟୋମାର୍ ଓପନ୍ ଲେଜର୍ ୪.୭ରେ କାଂସ୍ୟ ପଦକ ଜିତିଥିଲେ। ବର୍ଷା ଓ ସ୍ୱେତା ମିଳିତ ଭାବେ ୧୫ ରେସ୍ ଶେଷରେ ୪୦ ସ୍କୋର୍ କରିିଥିଲେ। ବରୁଣ ଓ ଚେଙ୍ଗାପ୍ପା ୧୫ ରେସ୍ ଶେଷରେ ମିଳିତ ଭାବେ ୫୩ ସ୍କୋର୍ କରି ତୃତୀୟ ସ୍ଥାନ ପାଇଥିଲେ। ଅନ୍ୟପକ୍ଷରେ ୧୬ ବର୍ଷ ବୟସ୍କା ହର୍ଷିତା ୬୨ ସ୍କୋର୍ ସହ ତୃତୀୟ ସ୍ଥାନ ପାଇଥିଲେ। ତେବେ ନୌଚାଳନାରେ ଅନ୍ୟତମ ଭାରତୀୟ ଗୋବିନ୍ଦ ବୈରାଗୀ ଓପନ୍ ଲେଜର୍ ୪.୭ ବର୍ଗରେ ଚତୁର୍ଥ ଏବଂ ନେତ୍ର କୁମନନ୍ ଲେଜର୍ ରାଡିଆଲ୍ ବର୍ଗରେ ପଞ୍ଚମ ସ୍ଥାନରେ ରହି ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ।
ତ୍ରୟୋଦଶ ଦିବସରେ ୬ ପଦକ
ଜାକର୍ତା/ପାଲେମ୍ବାଙ୍ଗ୍: ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଶୁକ୍ରବାର ତ୍ରୟୋଦଶ ଦିବସରେ ଭାରତକୁ ସ୍ୱର୍ଣ୍ଣ ପଦକ ଶୂନ୍ୟ ରହିବାକୁ ପଡ଼ିଛି। ମହିଳା ହକି ଦଳଠୁ ସ୍ୱର୍ଣ୍ଣ ଆଶା ରହିଥିଲା ବେଳେ ତାହା ମଧ୍ୟ ଧୂଳିସାତ୍ ହୋଇଗଲା। ତଥାପି ଶୁକ୍ରବାର ଭାରତକୁ ମୋଟ ୬ ପଦକ ମିଳିଛି। ସେଥିରେ ୨ ରୌପ୍ୟ ଓ ୪ କାଂସ୍ୟ ସାମିଲ ରହିଛି। ମହିଳା ହକିରୁ ଏବଂ ନୌଚାଳନାରୁ ଗୋଟିଏ ଲେଖାଏଁ ରୌପ୍ୟ ପଦକ ଅମଳ ହୋଇଥିଲା ବେଳେ ନୌଚାଳନା, ମୁଷ୍ଟିଯୁଦ୍ଧ ଓ ସ୍କ୍ଵାସ୍ରୁ କାଂସ୍ୟ ପଦକ ମିଳିଛି।
ମୁଷ୍ଟିଯୁଦ୍ଧରେ ସ୍ୱର୍ଣ୍ଣ ପାଇଁ ଲଢ଼ିବେ ଅମିତ
ଶୁକ୍ରବାର ମୁଷ୍ଟିଯୁଦ୍ଧରେ ଭାରତ ଅତି କମ୍ରେ ଏକ ରୌପ୍ୟ ପଦକ ନିଶ୍ଚିତ କରିଥିଲା ବେଳେ ଆହତ ଯୋଗୁଁ ସେମିଫାଇନାଲ୍ରୁ ବିକାଶ ଓହରିଯିବା ଝଟ୍କା ଲାଗିଥିଲା। ଅମିତ ପଙ୍ଗଲ ୪୯ କେଜି ବର୍ଗ ପୁରୁଷ ସେମିଫାଇନାଲ୍ରେ ଫିଲିପାଇନ୍ସର ପାଲାମ୍ କାର୍ଲୋଙ୍କୁ ୩-୨ରେ ପରାସ୍ତ କରି ଫାଇନାଲ୍ ପ୍ରବେଶ କରିଛନ୍ତି। ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ୨୨ ବର୍ଷ ବୟସ୍କ ଅମିତ ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ପାଇଁ ରିଓ ଅଲିମ୍ପିକ୍ସ ସର୍ଣ୍ଣ ବିଜେତା ଉଜ୍ବେକିସ୍ତାନର ହାସନ୍ବୟ ଦୁସ୍ମାତୋଭ୍ଙ୍କ ସହ ଲଢ଼ିବେ। ଅନ୍ୟପକ୍ଷରେ ପଦକ ଆଶାୟୀ ବିକାଶ କୃଷ୍ଣନ୍ ଆହତ ଯୋଗୁଁ ସେମିଫାଇନାଲ୍ ଲଢ଼େଇରୁ ଓହରି ଯାଇଥିଲେ। ୭୫ କେଜି ବର୍ଗ ପ୍ରି-କ୍ୱାର୍ଟର ଫାଇନାଲ୍ ବେଳେ ତାଙ୍କ ଆଖି ପତା ଉପରି ଭାଗରେ କ୍ଷତ ହୋଇଥିଲା। କଷ୍ଟେମଷ୍ଟେ କ୍ୱାର୍ଟର ଫାଇନାଲ୍ ଲଢ଼େଇ ଜିତି ନେଇଥିଲେ। ତାଙ୍କ ରେଟିନାରେ ସମସ୍ୟା ରହିଥିବାରୁ ପୁନର୍ବାର ଲଢ଼ିଲେ ତାହା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଚିକିତ୍ସକମାନେ ପରାମର୍ଶ ଦେଇଥିଲେ। ଫଳରେ କାଜାକସ୍ତାନର ଅମଙ୍କୁଲ ଅବିଲ୍ଖାନ୍ଙ୍କ ସହ ସେମିଫାଇନାଲ୍ ଲଢ଼ିବା ପୂର୍ବରୁ ଓହରି ଯାଇଥିଲେ। ଫଳରେ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଲେ। ତେବେ ବି କ୍ରମାଗତ ତିନିଥର ଏସୀୟ କ୍ରୀଡ଼ା ପଦକ ଜିତି ପ୍ରଥମ ଭାରତୀୟ ମୁଷ୍ଟିଯୋଦ୍ଧା ଭାବେ ଇତିହାସ ରଚିଛନ୍ତି ବିକାଶ। ୨୬ ବର୍ଷ ବୟସ୍କ ବିକାଶ ଏହା ପୂର୍ବରୁ ୨୦୧୦ ଗୁଆଙ୍ଗ୍ଜୁ କ୍ରୀଡ଼ାରେ ୬୦ କେଜି ଲାଇଟ୍େଓ୍ଵଟ୍ ବର୍ଗରେ ସ୍ୱର୍ଣ୍ଣ ଏବଂ ୨୦୧୪ ଇଞ୍ଚିଅନ୍ କ୍ରୀଡ଼ାରେ ମିଡିଲ୍ େଓ୍ଵଟ୍ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ଏବେ ସେ କିଛି ସପ୍ତାହ ଲଢ଼େଇରୁ ଦୂରେଇ ରହିବାକୁ କୁହାଯାଇଛି ବୋଲି ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ ସ୍ପଷ୍ଟ କରିଛି।
ବିଶ୍ୱ ବିଜେତାଙ୍କୁ ହରାଇଲେ ଜ୍ୟୋତ୍ସ୍ନା
ଫାଇନାଲ୍ରେ ମହିଳା ସ୍କ୍ଵାସ୍ ଦଳ; ପୁରୁଷ କାଂସ୍ୟରେ ସନ୍ତୁଷ୍ଟ
ସ୍କ୍ଵାସ୍ରେ ଶୁକ୍ରବାର ଭାରତକୁ ଖୁସୀ ଖବର ମିଳିଛି। ପୁରୁଷ ଦଳ ସେମିଫାଇନାଲ୍ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଲା, ହେଲେ ମହିଳା ଦଳ ଫାଇନାଲ୍ ସ୍ଥାନ ପକ୍କା କରି ଅତି କମ୍ରେ ରୌପ୍ୟ ପଦକ ନିଶ୍ଚିତ କରିଛି। ଗତ ସଂସ୍କରଣରେ ସ୍ୱର୍ଣ୍ଣ ଜିତିଥିବା ପୁରୁଷ ଦଳ ଏଥର କିନ୍ତୁ ହଂକଂ ନିକଟରୁ ୦-୨ରେ ସେମିଫାଇନାଲ୍ ହାରି ଇଞ୍ଚିଅନ୍ ସଫଳତା ଦୋହରାଇବାରେ ବିଫଳ ହୋଇଛି। ସୌରଭ ଘୋଷାଲ, ହରିନ୍ଦର ପାଲ୍ ସିଂହ ସାନ୍ଧୁ, ରମିତ୍ ଟଣ୍ଡନ ଓ ମହେଶ ମଙ୍ଗାଓକାରଙ୍କୁ ନେଇ ଗଠିତ ପୁରୁଷ ଦଳ ଫାଇନାଲ୍ରୁ ବଞ୍ଚିତ ହୋଇଥିଲା। କିନ୍ତୁ ଗତ ସଂସ୍କରଣରେ ରୌପ୍ୟ ବିଜେତା ମହିଳା ଦଳ ଶୁକ୍ରବାର ସେମିଫାଇନାଲ୍ ଜିତି ଇଞ୍ଚିଅନ୍ ଶ୍ରେଷ୍ଠ ସଫଳତାର ସମକକ୍ଷ ହୋଇଛି। ସେମିଫାଇନାଲ୍ରେ ଭାରତୀୟ ମହିଳା ୨-୦ରେ ଗତଥରର ବିଜେତା ମାଲେସିଆକୁ ପରାସ୍ତ କରିଛି। ବିଜୟରେ ସବୁଠୁ ଉଲ୍ଲେଖନୀୟ ଥିଲା ବିଶ୍ୱ ମାନ୍ୟତାର ୧୬ ଜ୍ୟୋତ୍ସ୍ନା ଚିନାପ୍ପା ୮ ଥର ବିଶ୍ୱ ବିଜେତା ନିକୋଲ ଡେଭିଡ୍ଙ୍କୁ କରାଇବା। ଜ୍ୟୋତ୍ସ୍ନା ଚିନାପ୍ପା, ଦୀପିକା ପାଲିକଲ୍ କାର୍ତିକ, ସୁନୟନା କୁରୁଭିଲ୍ଲା ଓ ତନ୍ଭୀ ଖାନ୍ନାଙ୍କୁ ନେଇ ମହିଳା ଦଳ ସ୍ୱର୍ଣ୍ଣ ପାଇଁ ହଂକଂ ସହ ଲଢ଼ିବ।