ପୁଣି ଚର୍ଚାରେ ଶ୍ରୀଶାନ୍ତ

ନୂଆଦିଲ୍ଲୀ: ମ୍ୟାଚ୍‌ ଫିକ୍ସିଂ ବିବାଦରେ ଛନ୍ଦି ହୋଇ ବିସିସିଆଇ ଦ୍ୱାରା ଆଜୀବନ ବାସନ୍ଦ ହୋଇଥିବା କେରଳୀ ଦ୍ରୁତ ବୋଲର ଏସ୍‌ ଶ୍ରୀଶାନ୍ତ ପୁଣି ଥରେ ଚର୍ଚାକୁ ଆସିଛନ୍ତି। ବିସିସିଆଇର ବାସନ୍ଦାଦେଶ ବିରୋଧରେ ଶ୍ରୀଶାନ୍ତ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲା ବେଳେ ଉଚ୍ଚତମ ନ୍ୟାୟାଳୟ ତାଙ୍କ ପ୍ରତି ସମବେଦନା ପ୍ରକଟ କରିଛନ୍ତି। ତା’ ସହ ଦିଲ୍ଲୀ ପୁଲିସ ଦାୟର କରିଥିବା ଆବେଦନର ତୁରନ୍ତ ଶୁଣାଣି କରିବାକୁ ମଙ୍ଗଳବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କୁ ନିର୍ଦେଶ ଦେଇଛନ୍ତି। ଶ୍ରୀଶାନ୍ତଙ୍କୁ ଟ୍ରାଏଲ୍‌ କୋର୍ଟ ସ୍ପଟ୍‌ ଫିକ୍ସିଂ ମାମଲାରେ ଦୋଷମୁକ୍ତ କରିଥିଲେ। ହେଲେ ଏହି ରାୟ ବିରୋଧରେ ଦିଲ୍ଲୀ ପୁଲିସ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲା। ଯାହା ଏବେ ବିଚାରାଧୀନ ରହିଛି। ସେପଟେ କେରଳ ଉଚ୍ଚ ନ୍ୟାୟାଳୟଙ୍କ ଜଣିକିଆ ଖଣ୍ଡପୀଠ ମଧ୍ୟ ଶ୍ରୀଶାନ୍ତଙ୍କ ଉପରେ ବିସିସିଆଇ ଜାରି କରିଥିବା ବାସାନ୍ଦାଦେଶକୁ ଉଠାଇ ଦେଇଥିଲେ। ହେଲେ ପରେ ଉଚ୍ଚନ୍ୟାୟାଳୟଙ୍କ ବିଭାଜିତ ଖଣ୍ଡପୀଠ ପୁଣି ଥରେ ବାସନ୍ଦାଦେଶକୁ ଲାଗୁ କରିବାକୁ ନିର୍ଦେଶ ଦେଇଥିଲେ। ଗତ ୪ ବର୍ଷ ହେବ ବାସନ୍ଦାଦେଶ ଭୋଗୁଥିବା ଶ୍ରୀଶାନ୍ତ ସେଥିଲାଗି ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ କାଉଣ୍ଟି ଖେଳିବାକୁ ଅନୁମତି ଦେବାକୁ ଉଚ୍ଚତମ ନ୍ୟାୟାଳୟଙ୍କୁ ଗୁହାରି କରିଥିଲେ। ଉଚ୍ଚତମ ନ୍ୟାୟାଳୟ ମାମଲାର ଶୁଶାଣି କରିଥିଲେ ମଧ୍ୟ ଶେଷ ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ରାୟକୁ ଅପେକ୍ଷା କରିବେ ବୋଲି ଆଜି କହିଛନ୍ତି।

ସମ୍ବନ୍ଧିତ ଖବର