ପୁଣି ବିବାଦରେ ଭାର୍‌:ରୋନାଲଡୋଙ୍କୁ ହଳଦିଆ କାର୍ଡ

ସାରାଂସ୍: ଭିଡିଓ ଆସିଷ୍ଟ ରେଫରି ବା ଭାର୍‌ ପୁଣି ଥରେ ବିବାଦ ଘେରକୁ ଆସିଛି। ସୋମବାର ରାତିର ଇରାନ-ପର୍ତୁଗାଲ ମ୍ୟାଚ୍‌ର ଷ୍ଟପେଜ୍‌ ଟାଇମ୍‌ରେ ପାରାଗୁଏ ରେଫରି ଏନରିକ କାକେରେସ୍‌ ଭାର୍‌ ବଳରେ ଇରାନକୁ ଦେଇଥିବା ପେନାଲ୍ଟି ନେଇ ବିବାଦ ସୃଷ୍ଟି ହୋଇଛି। ସେହିଭଳି ୮୧ ମିନିଟ୍‌ରେ ପର୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲଡୋ ପ୍ରତିପକ୍ଷ ଖେଳାଳି ମୋର୍ତେଜା ପୌରାଲଇଙ୍ଗଜିଙ୍କୁ ଜାଣିଶୁଣି କହୁଣୀ ମାରିବା ପରେ ମଧ୍ୟ କାକେରେସ୍‌ ତାଙ୍କୁ ଲାଲ କାର୍ଡ ନଦେଇ ହଳଦିଆ କାର୍ଡ ଦେବା ନେଇ ତର୍କ ବିତର୍କ ଆରମ୍ଭ ହୋଇ ଯାଇଛି। ଏହି ମ୍ୟାଚ୍‌ର ୫୦ ମିନିଟ୍‌ରେ ଇରାନ ରକ୍ଷଣଭାଗ ଖେଳାଳି ବକ୍ସ ଧାରରେ ରୋନାଲଡୋଙ୍କ ସହ ଧକ୍କା ହୋଇ ଯାଇଥିଲେ। ରେଫରି ଭାର୍‌ ଉପଯୋଗ କରି ପର୍ତୁଗାଲକୁ ପେନାଲ୍ଟି ପ୍ରଦାନ କରିଥିଲେ। ରୋନାଲ୍‌ଡୋଙ୍କ ଏହି ପ୍ରୟାସକୁ ଅବଶ୍ୟ ଇରାନ ଗୋଲ୍‌ ରକ୍ଷକ ଅଲ୍ଲୀରେଜା ବିରାନଭନ୍ଦ ଅକାମି କରି ଦେଇଥିଲେ। ପର୍ତୁଗାଲ ୧-୦ରେ ଆଗୁଆ ଥିଲା ବେଳେ ଷ୍ଟପେଜ୍‌ ଟାଇମ୍‌ରେ ସର୍ଦାର ଆଜମନଙ୍କ ହେଡର ପର୍ତୁଗାଲର ସେଡ୍ରିକ୍‌ ସୋରେସଙ୍କ ବାହୁରେ ବାଜିଥିଲା। ହେଲେ ସ୍ଥିତି ଏମିତି ଥିଲା ଯେ ସେଡ୍ରିକ୍‌ ବଲ୍‌ ଆଗରୁ ହଟିବା ଏକ ପ୍ରକାର ଅସମ୍ଭବ ଥିଲା। ଏହା ସତ୍ତ୍ୱେ ରେଫରି କାକେରେସ୍‌ ଭାର୍‌ ବ୍ୟବହାର କରି ଇରାନକୁ ପେନାଲ୍ଟି ଦେଇଥିଲେ। ଯାହା ଫଳରେ ଇରାନ ଏହାକୁ ଗୋଲ୍‌ରେ ରୂପାନ୍ତର କରି ମ୍ୟାଚ୍‌ ଡ୍ର’ କରି ନେଇଥିଲା।

ସମ୍ବନ୍ଧିତ ଖବର