ମୁମ୍ବାଇ: ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି। ବିସିସିଆଇର କ୍ରିକେଟ୍‌ ପରାମର୍ଶଦାତା ସମିତି ସୁପାରିସକ୍ରମେ ଅଗରକରଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଏହାଫଳରେ ନୂତନ ଚୟନ ସମିତିରେ ଅଗରକରଙ୍କ ସହିତ ଶିବସୁନ୍ଦର ଦାସ, ସୁବ୍ରତ ବାନାର୍ଜୀ, ସଲିଲ ଅଙ୍କୋଲା ଓ ଶ୍ରୀଧରନ୍‌ ଶରତ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଅଗରକର ୨୬ ଟେଷ୍ଟ, ୧୯୧ ଦିନିକିଆ ଓ ୪ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ଭାରତକୁ ପ୍ରତିନିଧିତ୍ବ କରିଥିଲା ବେଳେ ୧୧୦ ପ୍ରଥମ ଶ୍ରେଣୀ, ୨୭୦ ଲିଷ୍ଟ ଏ ଓ ୬୨ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଭାରତର ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟୀ ଦଳରେ ଅଗରକର ସଦସ୍ୟ ଥିଲେ। ଭାରତୀୟଙ୍କ ମଧ୍ୟରେ ଦିନିକିଆରେ ଦ୍ରୁତତମ (୨୧ ବଲ୍‌ ବନାମ ଜିମ୍ବାୱେ) ଅର୍ଦ୍ଧଶତକ ଅର୍ଦ୍ଧଶତକ ମାରିବାରେ ତାଙ୍କ କୀର୍ତ୍ତିମାନ ଏବେବି କାଏମ ରହିଛି। ଏଥିସହିତ ଗୋଟିଏ ଦଶନ୍ଧୀରେ ୫୦ ୱିକେଟ୍‌ ହାସଲ କରିବାରେ ସେ ‌ଦ୍ରୁତତମ (୨୩ ମ୍ୟାଚ୍‌) ରହିଥିଲେ। କ୍ରିକେଟ୍‌ରୁ ଅବସର ନେବା ପରଠୁ ସେ ମୁମ୍ବାଇ କ୍ରିକେଟ୍‌ ସଂଘର ମୁଖ୍ୟ ଚୟନକର୍ତ୍ତା ଓ ପରେ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି।