ଲର୍ଡସ ଶତକ କଥା କହି ପଣ୍ଟିଂଙ୍କୁ ଚିଡ଼ାଉଥିଲେ ଆଗରକର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଲରାଉଣ୍ଡର୍‌ ଅଜିତ ଆଗରକରଙ୍କ ନାମରେ ରହିଥିବା ବ୍ୟାଟିଂ କୀର୍ତ୍ତିମାନକୁ ସେ ଏବେ ବି ମନେ ରଖିଛନ୍ତି। ଐତିହାସିକ ଲର୍ଡସ ଗ୍ରାଉଣ୍ଡ୍‌ରେ ଶତକ ଜମାଇବାର ବିରଳ ତାଲିକାରେ ଆଗରକରଙ୍କ ନାମ ରହିଛି। ଲର୍ଡସ ଶତକ ସମ୍ମାନ ତାଲିକାରେ ସଚିନ ତେନ୍ଦୁଲକର ଏବଂ ରିକି ପଣ୍ଟିଂଙ୍କ ନାମ ମଧ୍ୟ ରହିପାରିନାହିଁ। ଆଗରକର ୨୦୦୨ ଗସ୍ତରେ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ରେ ହିଁ ଅପରାଜିତ ୧୦୯ ରନ୍ କରିଥିଲେ। ପିଣ୍ଟିଂ ଏବଂ ଆଗରକରଙ୍କ ବ୍ୟାଟିଂକୁ ନେଇ ତୁଳନା କରାଯାଇପାରିବ ନାହିଁ। କିନ୍ତୁ ନିଜର ଏହି ଗୌରବକୁ ନେଇ ଆଗରକର ମଜାରେ ରିକି ପଣ୍ଟିଂଙ୍କ ଚିଡ଼ାଇଥାନ୍ତି। ‘ଲର୍ଡସରେ କେତେ ଜଣ ଟେଷ୍ଟ୍ ଶତକ ହାସଲ କରିଥାନ୍ତି ?’ ବୋଲି ପଣ୍ଟିଂଙ୍କୁ ମଜାରେ ମଜାରେ ପ୍ରଶ୍ନ କରିଥାନ୍ତି ଆଗରକର। ଉଭୟ ଆଇପିଏଲ୍‌ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବାବ‌େଳେ ଆଗରକର ଏଭଳି ମଜା କରିଥାନ୍ତି। ଗୌରବ କାପୁରଙ୍କ ସହ ଏକ ପୋଡକାଷ୍ଟ୍ ଆଲୋଚନାବେଳେ ଆଗରକର ଏସବୁ କହିଥିଲେ। କିନ୍ତୁ ନିଜ ମୁମ୍ବାଇ ଦଳ ସାଥୀ ମହାନ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ସହ କେବେ ଏଭଳି ଥଟ୍ଟା ପରିହାସ ସେ କରିନଥିବା ସ୍ବୀକାର କରିଥିଲେ।

୨୦୦୨ ଲର୍ଡସ ଟେଷ୍ଟ୍‌ରେ ଆଶିଷ ନେହେରାଙ୍କୁ ସାଥି କରି ଆଗରକର ଅନ୍ତିମ ୱିକେଟ୍ ଭାଗୀଦାରିରେ ୬୩ ରନ୍‌ ଯୋଡ଼ିଥିଲେ। ନେହେରା ୫୪ ବଲ୍ ସମ୍ମୁଖୀନ ହୋଇ ୱିକେଟ୍ ସୁରକ୍ଷିତ ରଖିବାରୁ ଆଗରକର ପ୍ରଥମ ଥର ପାଇଁ ଟେଷ୍ଟ୍ କ୍ରିକେଟ୍‌ରେ ତିନି ଅଙ୍କ ଛୁଇଁଥିଲେ। ପୂର୍ବରୁ ପ୍ରଥମ ପାଳିରେ ନାଇଟ୍‌ୱାଚମ୍ୟାନ୍‌ ଭାବେ ଆସି ୮ ବଲ୍‌ ଖେଳି ଶୂନରେ ହୋଉଥିବା ଆଗରକର ଏହି ଦୁଃଖକୁ ଦୂର କରିଥିଲେ।

ସମ୍ବନ୍ଧିତ ଖବର