‘ପାପା, ମୁଁ ତୁମ ଫ୍ୟାନ ନୁହେଁ କାକାଙ୍କର ଫ୍ୟାନ’

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୨ର ୫୭ ତମ ମ୍ୟାଚ୍ ଆଜି ଲଖନଉ ସୁପର ଜିଆଣ୍ଟସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ | ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ ପୁଣେରେ ସନ୍ଧ୍ୟା ୭:୩୦ରେ ମ୍ୟାଚ୍ ଆରମ୍ଭ ହେବ | ଏହି ମ୍ୟାଚ୍ ଜିତିଥିବା ଦଳ ପ୍ଲେ-ଅଫରେ ନିଜର ସ୍ଥାନ ନିଶ୍ଚିତ କରିବ | ଏହି ମ୍ୟାଚରେ ଗୁଜୁରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ଭାଇ କ୍ରୁନାଲ ମୁହାଁମୁହିଁ ହେବେ | ତେବେ ମ୍ୟାଚ ପୂର୍ବରୁ ଏବେ ଏମିତି ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଲଖନଉ ପ୍ରଶଂସକ ଖୁସି ହୋଇଯାଇଛନ୍ତି | ଏହି ମ୍ୟାଚକୁ ନେଇ ହାର୍ଦ୍ଦିକଙ୍କ ପୁଅ ଅଗସ୍ତ୍ୟର କିଛି ଫଟୋ କ୍ରୁନାଲ ସେୟାର କରିଛନ୍ତି | ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୁଅ ଅଗସ୍ତ୍ୟ ଲଖନଉ ସୁପର ଜିଆଣ୍ଟସର ଜର୍ସି ପିନ୍ଧିଛନ୍ତି |

ଦ୍ୱିତୀୟ ଫଟୋରେ ଅଗସ୍ତ୍ୟ ତାଙ୍କ ବାପା ହାର୍ଦ୍ଦିକଙ୍କ ଦଳ ଗୁଜୁରାଟ ଟାଇଟାନ୍ସର ଜର୍ସି ବଦଳରେ କାକାଙ୍କ ଦଳର ଜର୍ସି ପିନ୍ଧିଛନ୍ତି | ସୋସିଆଲ ମିଡିଆରେ ଫଟୋ ସେୟାର କରି କ୍ରୁନାଲ ଲେଖିଛନ୍ତି କାଲିର ଖେଳ ପାଇଁ ମୋର ଭାଗ୍ୟଶାଳୀ ମିଳିଗଲା | ସୋସିଆଲ ମିଡିଆରେ ଅଗସ୍ତ୍ୟଙ୍କ ଏହି ଫଟୋଗୁଡ଼ିକ ଭାଇରାଲ ହେବାରେ ଲାଗିଛି | ଆଇପିଏଲ୍ ୨୦୨୨ ପୂର୍ବରୁ ଆୟୋଜିତ ହୋଇଥିବା ମେଗା ନିଲାମରେ କ୍ରୁନାଲ ପାଣ୍ଡ୍ୟାଙ୍କୁ ଲଖନଉ ସୁପର ଜିଆଣ୍ଟସ୍ ୮ କୋଟି ୨୫ ଲକ୍ଷ ଟଙ୍କାରେ କିଣିଥିଲା। ଏହି ନିଲାମ ପାଇଁ କ୍ରୁନାଲ ତାଙ୍କର ବେସ ପ୍ରାଇସ ମୂଲ୍ୟ ୨ କୋଟି ଟଙ୍କା ରଖିଥିଲେ।

ଅନ୍ୟପକ୍ଷରେ, ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ଦ୍ୱାରା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୫ କୋଟି ଟଙ୍କାରେ ଚୁକ୍ତିବଦ୍ଧ କରାଯାଇଥିଲା | ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଚମତ୍କାର ପ୍ରଦର୍ଶନ କରିଛି। ଗୁଜରାଟ ଏପର୍ଯ୍ୟନ୍ତ ଆଇପିଏଲ ୨୦୨୨ରେ ୧୧ଟି ମ୍ୟାଚ୍ ଖେଳିଛି ଏବଂ ୮ଟି ଜିତିଛି | ଗୁଜୁରାଟ ପଏଣ୍ଟ ଟେବୁଲରେ ଦ୍ଵିତୀୟ ସ୍ଥାନରେ ଅଛି | ସେହିପରି ୧୬ ପଏଣ୍ଟ ସହ ଲଖନଉ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଅଛି | ଗୁଜୁରାଟ ଅପେକ୍ଷା ଲଖନଉର ନେଟ ରନ୍ ରେଟ ଭଲ ରହିଛି |

ସମ୍ବନ୍ଧିତ ଖବର