ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ରେ ପୁଣି ଥରେ ବୟସ ଜାଲିଆତି ନେଇ ଅଭିଯୋଗ ଆସିଛି। କୁଚ୍ବେହାର ଟ୍ରଫି ପାଇଁ ଓସିଏ ପକ୍ଷରୁ ଘୋଷଣା ହୋଇଥିବା ୧୬ ଜଣିଆ ଦଳରେ ଖୋର୍ଦ୍ଧାର ଜଣେ ଖେଳାଳିଙ୍କୁ ୨୦ ବର୍ଷ ହୋଇଯାଇଥିଲା ବେଳେ ତାଙ୍କୁ କିପରି ୧୯ ବର୍ଷରୁ କମ୍ ଦଳ ପାଇଁ ଚୟନ କରାଯାଇଛି ବୋଲି କିଛି ଅଭିଭାବକ ଅଭିଯୋଗ କରିଛନ୍ତି। ଆସନ୍ତା ୫ ତାରିଖରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ବୁଧବାରଠୁ ପାଟନା ଯାତ୍ରା କରିବ।
ଅଭିଯୋଗ ଅନୁଯାୟୀ, ଓସିଏ ଲିଡରବୋର୍ଡରେ ସଂପୃକ୍ତ ଖେଳାଳିଙ୍କ ଜନ୍ମ ତାରିଖ ୨୦୦୫ ମସିହା ଜାନୁଆରି ୧୮ ତାରିଖ ଦର୍ଶାଯାଇଛି। ଏହି ଅନୁସାରେ ତାଙ୍କର ବୟସ ୧୭ ବର୍ଷ ୧୦ ମାସ ହେଉଛି। କିନ୍ତୁ ଅଭିଯୋଗକାରୀମାନେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ରୁ ମଗାଇଥିବା ତଥ୍ୟ ଅନୁସାରେ ସଂପୃକ୍ତ ଖେଳାଳି ୨୦୦୨ ମସିହା ଜାନୁଆରି ୧୮ ତାରିଖରେ ଜନ୍ମ ହୋଇଥିଲେ। ଯାହାଫଳରେ ତାଙ୍କ ବୟସ ୨୦ ବର୍ଷ ୧୦ ମାସ ହୋଇଗଲାଣି। ଏଭଳିସ୍ଥିତିରେ ତାଙ୍କୁ ୧୯ ବର୍ଷରୁ କମ୍ ଦଳରେ ସୁଯୋଗ ଦେବା ଗ୍ରହଣୀୟ ନୁହେଁ ବୋଲି ଅଭିଯୋଗ ହୋଇଛି। ତେବେ ଏକ ସୂଚନା ଅନୁଯାୟୀ, ଓସିଏରେ ଖୋର୍ଦ୍ଧାକୁ ପ୍ରତିନିଧିତ୍ବ କରୁଥିବା ଜଣେ କର୍ମକର୍ତ୍ତାଙ୍କ ସୁପାରିସରେ ସଂପୃକ୍ତ ଖେଳାଳିଙ୍କୁ ରାଜ୍ୟ ଦଳରେ ସ୍ଥାନ ଦିଆଯାଇଛି।
ଗୋଟିଏ ପଟେ କ୍ରିକେଟ୍ରେ ସଂସ୍କାର ଆଣିବାକୁ ନିୟମ କଡ଼ାକଡି ଭାବେ ପାଳନ କରିବା ପାଇଁ ଲୋଧା ସମିତି ଏକାଧିକ ସୁପାରିସ କରିଥିଲେ, ପୁଣି ଓସିଏର କର୍ମକର୍ତ୍ତାମାନେ ଦୁର୍ନୀତିକୁ ପ୍ରଶ୍ରୟ ନଦେବାକୁ ତିନିବର୍ଷ ତଳୁ ପ୍ରତିଶ୍ରୁତି ଦେଇଆସୁଛନ୍ତି। ହେଲେ ଯେଉଁ କର୍ମକର୍ତ୍ତା ସଂପୃକ୍ତ ଖେଳାଳିଙ୍କ ନାମ ସୁପାରିସ କରିଥିଲେ, ସିଏ କିପରି ଏହି ବୟସ ଜାଲିଆତି ବିଷୟରେ ଜାଣିପାରିଲେନି ନା ସବୁକିଛି ଜାଣି ନିଜ ଜିଲ୍ଲାର ଖେଳାଳିଙ୍କୁ ରାଜ୍ୟ ଦଳରେ ଭର୍ତ୍ତି କରିବାକୁ ସୁଚିନ୍ତିତ ଯୋଜନା କରିଥିଲେ, ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ୍। ୪ ବର୍ଷ ତଳେ ବୟସ ଜାଲିଆତିକୁ ନେଇ ସିବିଆଇ ପକ୍ଷରୁ ଓସିଏରେ ଯାଞ୍ଚ କରାଯାଇଥିଲା। ଏକାଧିକ ଖେଳାଳି ଜାଲିଆତିରେ ସଂପୃକ୍ତ ହୋଇ ବିସିସିଆଇ ପ୍ରତିଯୋଗିତା ଆରମ୍ଭରୁ ମ୍ୟାଚ୍ ରେଫରିଙ୍କ ଦ୍ବାରା ବିତାଡ଼ିତ ହୋଇଥିଲେ।
ଏତେସବୁ ପରେ ବି ଓସିଏ କର୍ମକର୍ତ୍ତା କିମ୍ବା ଚୟନକର୍ତ୍ତା ପୁଣି ଥରେ ଜାଲିଆତିକୁ ପ୍ରଶ୍ରୟ ଦେବାକୁ ହୀନ ଉଦ୍ୟମ କରିଛନ୍ତି। ଏହାଫଳରେ ଅନେକ ପ୍ରତିଭାବାନ୍ କ୍ରିକେଟର୍ ରାଜ୍ୟ ଦଳରେ ସ୍ଥାନ ପାଇବାକୁ ଆଶା ରଖିଥିଲେ ବି ଜାଲିଆତିକାରୀଙ୍କ ଯୋଗୁଁ ସେମାନଙ୍କ ସ୍ବପ୍ନ ଚୂର୍ମାର୍ ହେଉଥିବା କୁହାଯାଉଛି। ତେବେ ଏସଂପର୍କରେ ଓସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସଂପୃକ୍ତ ଖେଳାଳି ଜଣଙ୍କର ଡିଜିଟାଲ୍ ବୟସ ପ୍ରମାଣପତ୍ର ଓ ଆଧାରକାର୍ଡକୁ ଆଧାରକରି ବିସିସିଆଇରେ ନାମ ପଞ୍ଜିକରଣ କରାଯାଇଛି। ଯଦି ପ୍ରକୃତରେ କିଛି ତ୍ରୁଟି ଥାଏ, ତାହେଲେ ଏହାର ତଦନ୍ତ କରାଯିବ ବୋଲି କୁହାଯାଇଛି।