ବୟସ ଜାଲିଆତି ମାନିଲେ ଖେଳାଳିଙ୍କୁ ରାଜକ୍ଷମା ମିଳିବ

ନୂଆଦିଲ୍ଲୀ: ବୟସ ଜାଲିଆତିରେ ଧରାପଡ଼ିଥିବା ଖେଳାଳିମାନେ ସ୍ବେଚ୍ଛାକୃତ ଭାବେ ନିଜ ଦୋଷ ମାନିଗଲେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସେମାନଙ୍କୁ ରାଜକ୍ଷମା ପ୍ରଦାନ କରିବ ବୋଲି ସୋମବାର ଘୋଷଣା କରିଛି। କିନ୍ତୁ ଏହି ଯୋଜନାକୁ ଉଲ୍ଲଂଘନ କରୁଥିବା ଖେଳାଳିଙ୍କୁ ଦୁଇ ବର୍ଷ ନିଲମ୍ବନ କରାଯାଇପାରେ ବୋଲି ବିସିସିଆଇ କହିଛି। ୨୦୨୦-୨୧ ଋତୁରୁ ବୋର୍ଡର ବୟସ-ଗ୍ରୁପ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ କ୍ରିକେଟର୍‌ଙ୍କ ପାଇଁ ଏହି ଯୋଜନା ଲାଗୁ ହେବ। ଏହି ଯୋଜନାରେ ପଞ୍ଜିକୃତ ଖେଳାଳି ‌ସ୍ବେଚ୍ଛାକୃତ ଭାବେ ଘୋଷଣା କରିବେ ଯେ ସେମାନେ ଅତୀତରେ ନକଲି କିମ୍ବା ଚଞ୍ଚକତା କରି ଜନ୍ମ ତାରିଖକୁ ବଦଳାଇ କାଗଜ ପତ୍ର ଦାଖଲ କରିଛନ୍ତି। ଏବେ ନିଜର ପ୍ରକୃତ ଜନ୍ମ ତାରିଖକୁ ପ୍ରକାଶ କରୁଛନ୍ତି।

ଏହିଭଳି ଘୋଷଣା କଲା ପରେ ସେମାନଙ୍କୁ ନିଲମ୍ବନ କରାଯିବନି ଏବଂ ଉପ‌ଯୁକ୍ତ ବୟସ ବର୍ଗରେ ଖେଳିବାକୁ ସୁଯୋଗ ଦିଆଯିବ ବୋଲି ବିସିସିଆଇ ଦ୍ବାରା ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଖେଳାଳିମାନେ ବିସିସିଆଇ ବୟସ ଯାଞ୍ଚ ବିଭାଗକୁ ନିଜର ପ୍ରକୃତ ଜନ୍ମ ତାରିଖର ପ୍ରମାଣପତ୍ର ସହ ହସ୍ତାକ୍ଷର ଥିବା ଚିଠି କିମ୍ବା ଇମେଲ୍‌ ଚଳିତ ବର୍ଷ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ଦେବାକୁ ବିସିସିଆଇ କହିଛି। ଯଦି ଖେଳାଳି ଏହି ସମୟସୀମା ମଧ୍ୟରେ ଯୋଜନାକୁ ଗ୍ରହଣ ନ କରନ୍ତି ପରବର୍ତୀ ସମୟରେ ବୟସ ଜାଲିଆତିରେ ଧରାପଡ଼ନ୍ତି ତେବେ ସେମାନଙ୍କୁ‌ କୌଣସି ପ୍ରକାର କ୍ଷମା କରାଯିବ ନାହିଁ। ୨ ବର୍ଷ ପର୍ଯ୍ୟନ୍ତ ବିସିସିଆଇର ସମସ୍ତ ବୟସ ବର୍ଗ ପ୍ରତିଯୋଗିତା ସହ ରାଜ୍ୟ ସଂଘ ଦ୍ବାରା ଆୟୋଜିତ ପ୍ରତିଯୋଗିତାରେ ଖେଳିବାକୁ ବାରଣ କରାଯିବ। ବିସିସିଆଇ ଆଉ ଏକ ନିଷ୍ପତ୍ତି ନେଇଛି ଯେ ୧୬ ବର୍ଷରୁ କମ୍‌ ବୟସ ବର୍ଗ ପ୍ରତିଯୋଗିତାରେ କେବଳ ୧୪ରୁ ୧୬ ବର୍ଷ ମଧ୍ୟରେ ଥିବା ଖେଳାଳି ଖେଳିପାରିବେ। ବୟସ ଜାଲିଆତିକୁ ନେଇ ବିସିସିଆଇ କଠୋର ପଦକ୍ଷେପ ନେବ ବୋଲି କହିଛି। ଏଥିଲାଗି ବିସିସିଆଇ ‌୨୪ ଘଣ୍ଟିଆ ଏକ ହେଲ୍‌ପ ଲାଇନ୍‌ ନମ୍ବର ଜାରି କରିବ। ଏଥିରେ ଯେ କୌଣସି ବ୍ୟକ୍ତି ବୟସ ଜାଲିଆତି ନେଇ ଅଭିଯୋଗ କରିପାରିବ।

ସମ୍ବନ୍ଧିତ ଖବର