ନୂଆଦିଲ୍ଲୀ: ଆସନ୍ତା ମେ’ ୭ ତାରିଖରେ ହେବାକୁଥିବା ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ)ର ନିର୍ବାଚନକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଅବୈଧ ଘୋଷଣା କରିଛି। ଏସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)କୁ ଏକ ଚିଠି କରାଯାଇଥିଲା ବେଳେ ଆସନ୍ତା ୪୫ ଦିନ ମଧ୍ୟରେ ଆଇଓଏ ଏକ ଆଡ୍ ହକ୍ କମିଟି ଗଠନ କରି ଡବ୍ଲୁଏଫ୍ଆଇ ନିର୍ବାଚନ ଶେଷ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଉକ୍ତ ଚିଠିରେ ଯୌନ ନିର୍ଯାତନା ମମଲା ସଂପର୍କିତ ବିଷୟକୁ ମଧ୍ୟ ଉଲ୍ଲେଖ କରାଯାଇଛି। ଡବ୍ଲୁଏଫ୍ଆଇରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଠିକ୍ ଭାବେ କାର୍ଯ୍ୟକ୍ଷମ ନଥିବା କୁହାଯାଇଥିଲା ବେଳେ ଅଭିଯୋଗ ଗୁଡ଼ିକର ଶୁଣାଣି କରିବା ପାଇଁ ସେଭଳି କିଛି ସଠିକ୍ ବ୍ୟବସ୍ଥା ନାହିଁ। ତେଣୁ ସ୍ବଚ୍ଛତା ଅବଲମ୍ବନ ହେଉନଥିବା ଦର୍ଶାଯାଇଥିଲା। ଏଥିସହ ଡବ୍ଲୁଏଫ୍ଆଇ ଓ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ଓ ଆଲୋଚନା କରିବା ପାଇଁ ସୁସ୍ଥ ବାତାବରଣ ରହିବା ଆବଶ୍ୟକ ବୋଲି କମିଟି ତାହା ରିପୋର୍ଟରେ ଉଲ୍ଲେଖ କରିଥିଲା। ତେବେ ଏହି ଚିଠି ଉପରେ ଆଇଓଏ ସଭାପତି ପିଟି ଊଷା ସାମାଜିକ ଗଣମାଧ୍ୟରେ ନିଜ କଥା ରଖିଛନ୍ତି। ମନ୍ତ୍ରଣାଳୟରୁ ଚିଠି ଆସିବା ପରେ ଏହାକୁ ଗମ୍ଭୀରତାର ସହ ଆଇଓଏ ବିଚାର କରୁଛି। ଆସନ୍ତା ୨୭ ତାରିଖରେ କାର୍ଯ୍ୟନିର୍ବାହୀ ପରିଷଦର ବୈଠକ ବସିବ। ସେଠାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯିବ ବୋଲି ଊଷା ତାଙ୍କ ପୋଷ୍ଟ୍ରେ ଜଣାଇଛନ୍ତି।
ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହେଲେ ଆନ୍ଦୋଳନକାରୀ
ପୁଣି ଥରେ ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବାରୁ ଦିଲ୍ଲୀରେ ଜନ୍ତର ମନ୍ତରରେ ଭାରତର ଶୀର୍ଷ କୁସ୍ତିବିତ୍ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ପୋଗତ ଧାରଣାରେ ବସିଛନ୍ତି। ତେବେ ଦିଲ୍ଲୀ ପୁଲିସ୍ ମୁଖ୍ୟ ଅଭିଯୁକ୍ତ ତଥା ଡବ୍ଲୁଏଫ୍ଆଇ ସଭାପତି ବ୍ରିଜ ଭୂଷଣ ସରଣସିଂହଙ୍କ ବିରୋଧରେ ଦିଆଯାଇଥିବା ଏତଲାକୁ ପଞ୍ଜୀକରଣ କରୁନଥିବାରୁ ଭିନେଶ ଫୋଗତଙ୍କ ସହ କିଛି ଆନ୍ଦୋଳନକାରୀ ସୁପ୍ରିମ୍କୋର୍ଟରେ ମାମଲା ଦାୟର କରିଛନ୍ତି। ଆବେଦନକାରୀଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ସାମିଲ ଅଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦିଆଯାଇଥିବା ଏତଲାରେ ପୋକସୋ ଆଇନ୍ ଅନୁଯାୟୀ ମାମଲା ରହିଥିବା ଦର୍ଶାଯାଇଛି। ପାଖାପାଖି ୩ ମାସ ଧରି ଏହି ମାମଲାରେ ଆନ୍ଦୋଳନ ଚାଲିଥିଲା ବେଳେ କ୍ରୀଡ଼ା ମନ୍ତ୍ରଣାଳୟ ଗଠନ କରିଥିବା କମିଟିଠୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବା ନେଇ ଅଭିଯୋଗ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମକୋର୍ଟରୁ କୁସ୍ତିବିତ୍ମାନେ ନ୍ୟାୟ ପାଇବେ ବୋଲି ସାକ୍ଷୀ ଆଶାବ୍ୟକ୍ତ କରିଛନ୍ତି। ଏବେବି ଡବ୍ଲୁଏଫ୍ଆଇ କାର୍ଯ୍ୟାଳୟ ଖୋଲା ରହିଥିଲା ବେଳେ ଭାରତୀୟ ଅଲିମ୍ପିକ ସମିତି ମିଥ୍ୟା ପ୍ରତିଶ୍ରୁତି ଦେଉଛି। ଯେପର୍ଯ୍ୟନ୍ତ ସୁପ୍ରିମ୍କୋର୍ଟରୁ ନ୍ୟାୟ ମିଳିନାହିଁ ଓ ବ୍ରିଜଭୂଷଣଙ୍କ ବିରୋଧରେ ଏତଲା ରୁଜୁ ହେଉନାହିଁ, ସେପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରେ ବସିବେ ବୋଲି ସୂଚନା ଦେଇଛନ୍ତି। ତେବେ ବବିତା ଫୋଗତ ପୂର୍ବରୁ ଏହି ମାମଲାରେ ମଧ୍ୟସ୍ଥତା କରିବାକୁ ଆସିଥିଲେ, କିନ୍ତୁ ସେ ବିଜେପିରେ ମିଶିଯାଇଥିବାରୁ ଆଉ କାହାରିକୁ ବିଶ୍ବାସ କରାଯାଇପାରିବନି। ଆମର ବରିଷ୍ଠ କ୍ରୀଡ଼ାବିତ୍ମାନେ ଏହା ଉପରେ ନିଷ୍ପତ୍ତି ନେବେ ବୋଲି ଭିନେଶ କହିଛନ୍ତି। ଅନ୍ୟପକ୍ଷରେ ଏହି ମାମଲା ଉପରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ପଚରାଯାଇଥଇବା ପ୍ରଶ୍ନରେ ବଜରଙ୍ଗ କହିଛନ୍ତି ଯେ, ଯେତେବେଳେ କୌଣସି କ୍ରୀଡ଼ାବିତ୍ ପଦକ ଜିତୁଛି, ସେତେବେଳେ ସମସ୍ତେ ତାଙ୍କ ସାଥିରେ ରହୁଛନ୍ତି। କିନ୍ତୁ ଯେତେବେଳେ ଜଣେ କ୍ରୀଡ଼ାବିତ୍ ନିଜ ହକ୍ ପାଇଁ ରାସ୍ତାକୁ ଓହ୍ଲାଉଛି, ସେତେବେଳେ ସମସ୍ତେ କିପରି ନୀରବ ରହିପାରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।