ଅଗ୍ରୱାଲ ଓ ପନ୍ତଙ୍କ ଅର୍ଧଶତକ, ଅଭ୍ୟାସ ମ୍ୟାଚ୍ ଅମୀମାଂସିତ

ହାମିଲଟନ୍: ଭାରତ-ନ୍ୟୁଜିଲାଣ୍ଡ ଏକାଦଶ ଅଭ୍ୟାସ ମ୍ୟାଚ୍ ଅମୀମାଂସିତ ରହିଛି। ତେବେ ଚାରି ଭାରତୀୟ ତାରକା ହନୁମା ବିହାରୀ, ଚେତେଶ୍ବର ପୂଜାରା (ପ୍ରଥମ) ମୟଙ୍କ ଅଗ୍ରୱାଲ ଓ ଋଷବ ପନ୍ତ ୨୧ ତାରିଖରୁ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟ୍‌ ପୂର୍ବରୁ ନିଜ ନିଜର ବ୍ୟାଟିଂକୁ ଶାଣିତ କରିଛନ୍ତି। ବିହାରୀ ଶତକ ହାସଲ କରିଥିଲା ବେଳେ ପୂଜାରା, ଅଗ୍ରୱାଲ ଓ ପନ୍ତ ଅର୍ଧଶତକ ଅର୍ଜନ କରି ଭାରତୀୟ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବା ଲାଗି ଦାବି ଉପସ୍ଥାପନା କରିଛନ୍ତି। ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଉମେଶ ଯାଦବ, ନଭଦୀପ ସୈନିଙ୍କୁ ନେଇ ଗଠିତ ଭାରତୀୟ ଦ୍ରୁତ ବୋଲିଂ ବାହିନୀ ମଧ୍ୟ ଏହି ତିନିଦିନିଆ ମ୍ୟାଚ୍‌ରେ ନିଜ ନିଜର ଚମକ ଦେଖାଇଛନ୍ତି। ମୋଟ ଉପରେ ଭାରତ ୱେଲିଂଟନରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ ପୂର୍ବରୁ ଭଲ ପ୍ରସ୍ତୁତି କରି‌ନେଇଛି। ମ୍ୟାଚ୍‌ର ପ୍ରଥମ ଦିନରେ ଭାରତ ମାତ୍ର ୫ ରନ୍‌ରେ ୩ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ତେବେ ବିହାରୀ ଓ ପୂଜାରାଙ୍କ ପାଇଁ ଭାରତ ସଫଳ ପ୍ରତ୍ୟାବର୍ତନ କରିବା ସହ ୨୬୩ ରନ୍‌ର ସମ୍ମାନଜନକ ସ୍କୋର କରିଥିଲା। ଏହା ପରେ ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡ ଏକାଦଶକୁ ୨୩୫ ରନ୍‌ରେ ଅଟକାଇ ଦେଇଥିଲେ। ଫଳରେ ଭାରତ ପ୍ରଥମ ପାଳିରେ ଆଗୁଆ ରହିଥିଲା। ପ୍ରଥମ ପାଳିରେ ବିଫଳ ହୋଇଥିବା ଦୁଇ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ ଓ ଅଗ୍ରୱାଲ ଦ୍ବିତୀୟ ପାଳିରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଥିଲେ। ଶନିବାର ଦ୍ବିତୀୟ ଦିନର ଷ୍ଟମ୍ପ୍ସ ବେଳକୁ ଉଭୟ ୫୯ ରନ୍ କରି ଅପରାଜିତ ରହିଥିଲେ। ରବିବାର କିନ୍ତୁ ଏଥିରେ ଆଉ ମାତ୍ର ୧୩ ରନ୍ ଯୋଡ଼ିବା ପରେ ସ’ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଅଗ୍ରୱାଲ କିନ୍ତୁ ଧୈର୍ଯ୍ୟର ସହ ଖେଳି ୮୧ ରନ୍‌ର ପାଳି ଖେଳିଥିଲେ। ଅନ୍ୟତମ ଯୁବ ତାରକା ଶୁବମନ ଗିଲ୍‌ (୦, ୮) ପ୍ରଥମ ଭଳି ଦ୍ବିତୀୟ ପାଳିରେ ବି ବିଫଳ ହୋଇଥିଲେ। ଏହା ପରେ ପନ୍ତ ୬୫ ବଲ୍‌ରୁ ଦ୍ରୁତ ୭୦ ରନ୍‌ର ପାଳି ଖେଳିଥିଲେ। ଋଦ୍ଧିମାନ ଶାହ (୩୦) ଓ ରବିଚନ୍ଦ୍ରନ୍‌ ଅଶ୍ବିନ (୧୬) ଅବିଭାଜିତ ପଞ୍ଚମ ୱିକେଟ୍‌ରେ ୩୬ ରନ୍ ଯୋଡ଼ିବା ପରେ ଖେଳ ବନ୍ଦ ‌ହୋଇଥିଲା। ଭାରତ ସେତେବେ‌ଳକୁ ୪ ୱିକେଟ୍ ବିନିମୟରେ ୨୫୨ ରନ୍ କରିଥିଲା। ତା’ ସହ ମ୍ୟାଚ୍ ଅମୀମାଂସିତ ରହିଥିଲା। ରବିବାର ମାତ୍ର ୪୧ ଓଭରର ଖେଳ ସମ୍ଭବ ହୋଇଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି ୨୬୩ (ହନୁମା ବିହାରୀ ୧୦୧, ଚେତେଶ୍ବର ପୂଜାରା ୯୩, ସ୍କଟ୍ କୁଗେଲିନ ୩/୪୦, ଈଶ୍ ସୋଢ଼ି ୩/୭୨)। ନ୍ୟୁଜିଲାଣ୍ଡ ଏକାଦଶ ୨୩୫ (ହେନରି କୁପର ୪୦, ରାଚିନ ରବୀନ୍ଦ୍ର ୩୪, ଡାରିଲ ମିଚେଲ ୩୨, ମହମ୍ମଦ ସାମି ୩/୧୭, ଯଶପ୍ରୀତ ବୁମ୍‌ରା ୨/୧୮, ଉମେଶ ଯାଦବ ୨/୪୯, ନଭଦୀପ ସୈନି ୨/୫୮)। ଭାରତ ଦ୍ବିତୀୟ ପାଳି ୨୫୨/୪ (ମୟଙ୍କ ଅଗ୍ରୱାଲ ୮୧, ଋଷବ ପନ୍ତ ୭୦, ପୃଥ୍ବୀ ସ’ ୩୯, ଋଦ୍ଧିମାନ ଶାହ ୩୦*, ଡା‌ରିଲ ମିଚେଲ ୩/୩୩)।

ସମ୍ବନ୍ଧିତ ଖବର