ଅଗରକରଙ୍କ ପସନ୍ଦ, ଶଙ୍କରଙ୍କୁ ବିଶ୍ବକପ୍‌ ସମର୍ଥନ

ମଞ୍ଜରେକରଙ୍କ ଦଳରେ ରାୟୁଡୁ, କାର୍ତିକଙ୍କୁ ସ୍ଥାନ ନାହିଁ

ମୁମ୍ବାଇ: ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର୍ ଅଜିତ ଅଗରକର ତାଙ୍କ ପସନ୍ଦର ଭାରତୀୟ ବିଶ୍ବକପ୍‌ ଦଳ ଘୋଷଣା କରିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ସେ ୪ ନମ୍ବର ସ୍ଥାନ ପାଇଁ ଅମ୍ବାତି ରାୟୁଡୁଙ୍କ ବଦଳରେ ବିଜୟ ଶଙ୍କରକୁ ସମର୍ଥନ କରିଛନ୍ତି। କ୍ରିକେଟର୍‌ରୁ ସମୀକ୍ଷକ ପାଲଟିଥିବା ଅଗରକର କହିଛନ୍ତି ‘୪ ନମ୍ବର ସ୍ଥାନକୁ ନେଇ ମୁଁ ଟିକିଏ ଆଶ୍ଚର୍ଯ୍ୟ, ବିଜୟ ଶଙ୍କର ଶୀର୍ଷ କ୍ରମରେ ବ୍ୟାଟିଂ କରି ପାରିବାର ଆଶା ଦେଇଛନ୍ତି। ରାୟୁଡୁ‌ ସେଠାରେ ବେଶ କିଛି ଦିନ ‌ଖେଳି ସାରିଲେଣି। ମୋ ମତରେ ଶଙ୍କରଙ୍କ ଅଲରାଉଣ୍ଡ୍ ଖେଳ ତାଙ୍କୁ ସେହି ସ୍ଥାନରେ ଅଧିକ ଫିଟ୍‌ କରୁଛି। ଏହା ବ୍ୟତୀତ ସେ ମଧ୍ୟ କିଛି ଓଭର ବୋଲିଂ କରି‌ବା ଲାଗି କୋହଲିଙ୍କ ପାଇଁ ବିକଳ୍ପ ରଖିବେ’ ବୋଲି ଅଗରକର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ଅମ୍ବାତି ରାୟୁଡୁ ଖରାପ ପ୍ରଦର୍ଶନ କରି ଚାପରେ ରହିଥିଲେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍ ଗସ୍ତଠାରୁ ଆରମ୍ଭ କରିଥିବା ଅଭିଯାନରେ ଶଙ୍କର ଛୋଟ ଛୋଟି ପାଳିରେ ଆକର୍ଷଣୀୟ ବ୍ୟାଟିଂ କରି ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। ଅଗରକରଙ୍କ ଅନ୍ୟ ବିଶ୍ବକପ୍‌ ପସନ୍ଦରେ ସେ ଭୁବନେଶ୍ବର କୁମାରଙ୍କ ବଦଳରେ ମହମ୍ମଦ ସାମିଙ୍କୁ ବାଛିଛନ୍ତି। ଯଶପ୍ରୀତ୍ ବୁମରାଙ୍କ ସହ ସାମି ନୂଆ ବଲ୍‌ରେ ବୋଲିଂ କରିବାକୁ ଅଧିକ ଦାବିଦାର। ବୁମରା-ଭୁବିଙ୍କ ଯୋଡ଼ି ଅଧିକ ସଫଳ ଥିଲେ ମଧ୍ୟ ସାମିଙ୍କୁ ଅଗରକର ଭାରତର ଦ୍ବିତୀୟ ପସନ୍ଦର ଦ୍ରୁତ‌ ବୋଲର ଭାବେ ପସନ୍ଦ କରିଛନ୍ତି। ସାମିଙ୍କ ବର୍ତମାନର ଫର୍ମ ହିଁ ତାଙ୍କୁ ଆଗରେ ରଖିଛି। ନୂଆ ବଲ୍‌ ହେଉ କି ପୁରୁଣା, ପାଳିର ମଧ୍ୟଭାଗ ହେଉ କି ଶେଷ ଭାଗ ଭୁବିଙ୍କ ତୁଳନାରେ ସାମି ଅଧିକ ପ୍ରଭାବୀ ରହୁଛନ୍ତି ବୋଲି ଅଗରକର କହିଛନ୍ତି।

ଅଗରକରଙ୍କ ବିଶ୍ବକପ୍‌ ଏକାଦଶ
ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି, ବିଜୟ ଶଙ୍କର, ମହେନ୍ଦ୍ର ସିଂହ‌ ଧୋନି,‌ କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି।

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ସଞ୍ଜୟ ମଞ୍ଜରେକର ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ଆସନ୍ତା ୫୦ ଓଭରିଆ କ୍ରିକେଟ୍ ବିଶ୍ବକପ୍ ପାଇଁ ନିଜ ପସନ୍ଦର ୧୫ ଜଣିଆ ଭାରତୀୟ ଦଳ ବାଛିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ବାଧୀନ ଏହି ଦଳରେ ଅମ୍ବାତି ରାୟୁଡୁ ଓ ଦୀନେଶ କାର୍ତିକ କିନ୍ତୁ ସ୍ଥାନ ପାଇ ନାହାନ୍ତି। ରାୟୁଡୁଙ୍କ ପରିବର୍ତେ ବିଜୟ ଶଙ୍କରଙ୍କୁ ମଞ୍ଜରେକର ସ୍ଥାନ ଦେଇଛନ୍ତି। ସେହିଭଳି କାର୍ତିକଙ୍କ ବଦଳରେ ଦିଲ୍ଲୀର ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କୁ ସେ ଅଧିକ ପସନ୍ଦ କରିଛନ୍ତି। ଇଂଲଣ୍ଡ ପରିବେଶରେ ରାୟୁଡୁଙ୍କ ପାଇଁ ବ୍ୟାଟିଂ କରିବା ଆଦୌ ସହଜ ହେବନି। ଏଣୁ ତାଙ୍କୁ ଦଳରେ ନେବା ଠିକ୍ ହେବ ନାହିଁ ବୋଲି ସେ କହିଛନ୍ତି। ତେବେ ଚତୁର୍ଥ ସ୍ଥାନରେ କିଏ ବ୍ୟାଟିଂ କରିବାକୁ ଉପଯୁକ୍ତ ତାହା ମଞ୍ଜରେକର ସ୍ପଷ୍ଟ ଭାବେ କହି ନାହାନ୍ତି। ନିଜ ଦଳରେ ସେ ବିଜୟ ଶଙ୍କର, ରବୀନ୍ଦ୍ର ଜାଦେଜା ଓ ହାର୍ଦିକ ପାଣ୍ଡ୍ୟାଙ୍କ ରୂପରେ ତିନି ଜଣ ଅଲରାଉଣ୍ଡର ରଖିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆରେ ଭାରତକୁ ଐତିହାସିକ ଶୃଙ୍ଖଳା ବିଜୟ ଉପହାର ଦେଇଥିବା ବୋଲରଙ୍କୁ ଅପରିବର୍ତିତ ରଖିଛନ୍ତି। ଦଳ: ‌ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ବିଜୟ ଶଙ୍କର, ‌କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା, ମହେନ୍ଦ୍ର ସିଂହ ଧୋନି, ଭୁବନେଶ୍ବର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ଲୋକେଶ ରାହୁଲ, ଋଷବ ପନ୍ତ।

ସମ୍ବନ୍ଧିତ ଖବର