ଭୁବନେଶ୍ବର: ଓଡ଼ିଶାର ଉଦୀୟମାନ ଟେନିସ୍ ପ୍ରତିଭା ଆହାନ ଦେଶର ଅନ୍ୟତମ ମର୍ଯ୍ୟଦାଜନକ ଘରୋଇ ଟେନିସ୍ ପ୍ରତିଯୋଗିତା ଫିନେଷ୍ଟା ଜାତୀୟ ପ୍ରତିଯୋଗିତାର ଦୁଇଟି ବର୍ଗରେ ଫାଇନାଲ୍‌କୁ ଉଠି ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି। ଦିଲ୍ଲୀରେ ଚାଲିଥିବା ଏହି ପ୍ରତିଯୋଗିତାର ଉଭୟ ୧୪ ଓ ୧୬ ବର୍ଷରୁ କମ୍ ବାଳିକା ଏକକ ବର୍ଗରେ ଭାଗ ନେଇ ଆହାନ ଫାଇନାଲ୍‌କୁ ଉନ୍ନୀତ ହେବା ତାଙ୍କ ପ୍ରତିଭା, ସଙ୍କଳ୍ପ ଓ ଲଢ଼ୁଆ ପ୍ରବୃ୍ତ୍ତିର ପରିଚୟ ଦେଇଛି। ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ସେ ୪ ମ୍ୟାଚ୍‌ରୁ ମାତ୍ର ୭ ଗେମ୍ ହାରି ମାନସିକ ଦୃଢ଼ତାର ମଧ୍ୟ ପ୍ରମାଣ ଦେଇଛନ୍ତି। ୧୬ ବର୍ଷରୁ କମ୍ ବର୍ଗରେ ସେ ଏକାଧିକ ପ୍ରମୁଖ ମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ମାତ ଦେଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ଆହାନ ଦ୍ବିତୀୟ ରାଉଣ୍ଡରେ ଭାରତର ୨୦ ନମ୍ବର କର୍ଣ୍ଣାଟକ ଖେଳାଳି ଏସ୍ କାନ୍ତାଙ୍କୁ ୬-୦, ୬-୪ରେ ଏବଂ ପ୍ରିକ୍ବାର୍ଟରରେ ଦେଶର ୭ ନମ୍ବର ମହାରାଷ୍ଟ୍ର ଖେଳାଳି ଆକୃତି ସୋନକୁସାରେଙ୍କୁ ୬-୧, ୬-୨ରେ ପରାସ୍ତ କରିଥିଲେ।

Advertisment

ଦେଶର ୯୨ ନମ୍ବର ସ୍ଥାନରେ ଥିବା ଏହି ଓଡ଼ିଆ ଝିଅ କ୍ବାର୍ଟରଫାଇନାଲ୍‌ରେ ଦେଶର ୧୦ ନମ୍ବର ମହାରାଷ୍ଟ୍ର ଖେଳାଳି ପି ମୁଣ୍ଡେଙ୍କୁ ୬-୧, ୬-୧ରେ ଏବଂ ସେମିଫାଇନାଲ୍‌ରେ ଅନ୍ୟତମ କ୍ବାଲିଫାୟର୍‌ ଗୁଜରାଟର ଆଞ୍ଜେଲ ପଟେଲ୍‌ଙ୍କୁ ୭-୫, ୬-୦ରେ ପରାସ୍ତ କରିଥିଲେ। ଆହାନଙ୍କ ଏହି ସ୍ବପ୍ନୀଳ ଯାତ୍ରାକୁ ନେଇ ଖୁସି ପ୍ରକାଶ କରିଛନ୍ତି ତାଙ୍କ ପ୍ରଶିକ୍ଷକ ସନ୍ତୋଷ କୁମାର ମଲ୍ଲିକ। 'ମୁଁ ମୋ ପ୍ରଶିକ୍ଷଣ ଜୀବନରେ ଏଭଳି ଲଢ଼ୁଆ ପ୍ରବୃତି ଦେଖି ନଥିଲି। ଆହାନ ବାସ୍ତବରେ ଜଣେ ଭଲ ଖେଳାଳି, ସେ ନିଶ୍ଚିତ ଭବିଷ୍ୟତରେ ଅନ୍ତର୍ଜାତୀୟ ଖେଳାଳି ହେବେ' ବୋଲି ସନ୍ତୋଷ ଆତ୍ମବିଶ୍ବାସର ସହ ପ୍ରକାଶ କରିଛନ୍ତି। ଶନିବାର ଆହାନ ୧୪ ବର୍ଷରୁ କମ୍ ବାଳିକା ଫାଇନାଲ୍‌ରେ ମହାରାଷ୍ଟ୍ରର ପି ମୁଣ୍ଡେଙ୍କୁ ଏବଂ ୧୬ ବର୍ଷରୁ କମ୍ ଫାଇନାଲ୍‌ରେ ଏ ୟାଦବଙ୍କୁ ଭେଟିବେ।