ଭୁବନେଶ୍ବର: ଓଡ଼ିଶା ଟେନିସ୍ରେ ଆଉ ଏକ ଗୌରବର ଫର୍ଦ୍ଦ ଯୋଡ଼ି ହୋଇଛି। ଓଡ଼ିଆ ପୁଅ ଆହନ ମିଶ୍ର କନିଷ୍ଠ ବିଶ୍ବ ରୢାଙ୍କିଙ୍ଗ୍ (୧୮ ବର୍ଷରୁ କମ୍ ବର୍ଗ)ରେ ପ୍ରବେଶ କରି ରାଜ୍ୟ ପାଇଁ ଏହି ଗୌରବ ଆଣିଛନ୍ତି। ଜେ୧୦୦ ନାଇରୋବି କେନିଆ ଆଇଟିଏଫ୍ ଇଷ୍ଟ୍ଆଫ୍ରିକା ଜୁନିଅର ସର୍କିଟ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାର ମୁଖ୍ୟ ରାଉଣ୍ଡରେ ସେ ସିଧାସଳଖ ୬-୩, ୬-୩ ସେଟ୍ରେ ଇସ୍ରାଏଲର ତୋକର ତିକ୍ତିନସ୍କାଏଙ୍କୁ ହରାଇ ଆଗକୁ ବଢ଼ିଥିଲେ। ହେଲେ ଦ୍ବିତୀୟ ରାଉଣ୍ଡରେ ଆହନ ୧-୬, ୫-୭ ସେଟ୍ରେ ବିଶ୍ବର ୫୮୧ ନମ୍ବର ଅଷ୍ଟ୍ରେଲିଆର ନିକୋଲାସ ବେକରଙ୍କଠୁ ପରାସ୍ତ ହୋଇଥିଲେ। ପ୍ରଥମ ରାଉଣ୍ଡ ବାଧା ପାର୍ କରିଥିବାରୁ ଆହନ ୫ କନିଷ୍ଠ ଆଇଟିଏଫ୍ ରୢାଙ୍କିଂ ପଏଣ୍ଟ୍ କରାୟତ୍ତ କରିଛନ୍ତି। ଫଳରେ ସେ ବିଶ୍ବ କନିଷ୍ଠ ମାନ୍ୟତାର ୧୮ ବର୍ଷରୁ କମ୍ ବାଳକ ଏକକରେ ୩୦୦୦ତମ ସ୍ଥାନ ପାଇବାର ସମ୍ଭାବନା ରହିଛି। ଏହି ପ୍ରତିଯୋଗିତା ପୂର୍ବରୁ ଆହନଙ୍କ ବିଶ୍ବ ମାନ୍ୟତାରେ ସ୍ଥାନ ପାଇ ନଥିଲେ।
ଯୁଗଳରେ ଆହନ ଓ ତାଙ୍କ ସାଥୀ ଅଭିରାମ ନିଳାଖେ ୬-୦, ୬-୩ ସେଟ୍ରେ କେନିଆର ୱିକ୍ଲିଫ ବାରାକା ଓ ଏଡୱାର୍ଡ ମାକିଓଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଦ୍ବିତୀୟ ରାଉଣ୍ଡରେ ଆହନ ଓ ଅଭିରାମ କଡ଼ା ସଂଘର୍ଷ କରି ୧-୬, ୬-୩, ୭-୧୦ ସେଟ୍ରେ ଅଷ୍ଟ୍ରେଲିଆର ନିକୋଲାସ ବେକର ଓ ଫ୍ରାନ୍ସର ଜୁଲେସ ରିମ୍ବାଉଡଙ୍କଠୁ ହାରି ଅଭିଯାନ ଶେଷ କରିଛନ୍ତି। ୧୪ ବର୍ଷରୁ କମ୍ ବାଳକ ଏକକରେ ଭାରତର ଏହି ୪ ନମ୍ବର ଖେଳାଳି ଓଡ଼ିଶା ଟେନିସ ଏକାଡେମିରେ ବରିଷ୍ଠ ପ୍ରଶିକ୍ଷକ ସନ୍ତୋଷ କୁମାର ମଲ୍ଲିକଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/14/qKKGP4apPov6Hh4okrkV.jpg)