ଭୁବନେଶ୍ବର : ନେପାଳର କାଠମାଣ୍ଡୁଠାରେ ଶୁକ୍ରବାର ଶେଷ ହୋଇଥିବା ଦକ୍ଷିଣ ଏସୀୟ ଆଞ୍ଚଳିକ ଆଇଟିଏଫ୍ ଯୋଗ୍ୟତା ପର୍ଯ୍ୟାୟ (୧୨ ବର୍ଷରୁ କମ୍) ଟେନିସ୍ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଓଡ଼ିଆ ଝିଅ ଆହାନ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ଉଭୟ ଭାରତୀୟ ବାଳିକା ଓ ବାଳକ ଦଳ ବିଜେତା ହୋଇ ଚୂଡାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଯାହାକି ଆସନ୍ତା ବର୍ଷା କାଜାକସ୍ଥାନରେ ଖେଳାଯିବ। ଭାରତୀୟ ବାଳିକାରେ ଦଳରେ ଥିବା ଆହାନ ମଧ୍ୟ ନିଜର ସମସ୍ତ ୫ ମୁକାବିଲା ଜିତି କ୍ଲିନ୍ ସିଟ୍ ସଫଳତା ପାଇଛନ୍ତି। ଭାରତୀୟ ବାଳିକା ଦଳ ରାଉଣ୍ଡ୍ ରବିନ୍ ଲିଗ୍ ପର୍ଯ୍ୟାୟରେ ଯଥାକ୍ରମେ ଭୁଟାନ, ମାଳଦ୍ବୀପ, ନେପାଳକୁ ସମାନ ୩-୦ରେ ପରାସ୍ତ କରିଥିଲା। ସେମିଫାଇନାଲ୍ରେ ମଧ୍ୟ ଭାରତ ବାଂଲାଦେଶକୁ ୩-୦ରେ ପରାସ୍ତ କରିଥିଲା।
ଶୁକ୍ରବାର ନେପାଳ ଟେନିସ୍ ସଂଘ ନ୍ୟାସନାଲ୍ ଟେନିସ୍ ସେଣ୍ଟରରେ ଖେଳାଯାଇଥିବା ଫାଇନାଲ୍ରେ ଭାରତୀୟ ବାଳିକାମାନେ ୨-୧ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଆହାନ ଫାଇନାଲ୍ରେ ୬-୦, ୬-୦ରେ ବିଜୟୀ ହୋଇଥିଲେ। ଭାରତୀୟ ବାଳକ ଦଳ ପାକିସ୍ତାନକୁ ପରାସ୍ତ କରି ମଧ୍ୟ ବିଜେତା ହୋଇଥିଲା। ଏହି ୪ ଦଳ ହିଁ କାଜାକସ୍ତାନ ଚୂଡାନ୍ତ ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଭୁବନେଶ୍ବର ସ୍କୁଲଛାତ୍ରୀ ଆହାନ ନହରକଣ୍ଟାସ୍ଥିତ ଏସବେସ୍ ଟେନିସ୍ ଏକାଡେମିରେ ଅଜୟ ନିଶଙ୍କଠାରୁ ପ୍ରଶିକ୍ଷଣ ନେଇ ଗତ ମାସରେ ଦେଶର ଏକ ନମ୍ବର (୧୨ ବର୍ଷରୁ କମ୍ ବାଳିକା) ଖେଳାଳି ହୋଇଥିଲେ। ଆହାନଙ୍କ ପ୍ରଦର୍ଶନରେ ଆତ୍ମସନ୍ତୋଷ ଲାଭ କରିଛନ୍ତି ଅଜୟ।