ଭୁବନେଶ୍ବର: ସାନିଆ ମିର୍ଜାଙ୍କ ଅବସର ଘୋଷଣା ଦିନ ତାଙ୍କ ସହର ହାଇଦ୍ରାବାଦ ଓ ତାଙ୍କ ଏକାଡେମିରେ ଓଡ଼ିଆ ଝିଅ ଆହାନ ଚମକ ଛାଡ଼ିଛନ୍ତି। ସାନିଆ ମିର୍ଜା ଟେନିସ୍ ଏକାଡେମିରେ ଅନୁଷ୍ଠିତ ଆଇଟା ଜାତୀୟ ସିରିଜ୍‌‌ରେ ଏହି ଭୁବନେଶ୍ବର ସ୍କୁଲ୍ ଛାତ୍ରୀ ଦ୍ବିମୁକୁଟ ଅର୍ଜନ କରିଛନ୍ତି। ୧୪ ବର୍ଷରୁ କମ୍‌ ବାଳିକା ଏକକ ଫାଇନାଲ୍‌ରେ ଆହାନ ୭-୬ (୩), ୬-୧ରେ ମହାରାଷ୍ଟ୍ରର ପାର୍ଥସାରଥି ଅରୁଣ ମୁଣ୍ଡେଙ୍କୁ ପରାସ୍ତ କରିଥିଲେ।

Advertisment

ଯୁଗଳ ଫାଇନାଲ୍‌ରେ ଚଣ୍ଡିଗଡ଼ର ରିତ ଆରୋରାଙ୍କୁ ସାଥି କରି ଫାଇନାଲ୍‌ରେ ଗୁଜରାଟ ଯୋଡ଼ି ସାଇଭି ଦଲାଲ ଓ ପିଆ ମିସ୍ତ୍ରୀଙ୍କୁ ୬-୩, ୭-୫ରେ ପରାସ୍ତ କରିଥିଲେ। ଗତବର୍ଷ ନିଜ ବୟସ ବର୍ଗରେ ଦେଶର ଏକ ନମ୍ବର ସ୍ଥାନ ଅଳଙ୍କୃତ କରିଥିବା ଆହାନ ମଧ୍ୟ ଭାରତୀୟ ବାଳିକା ଦଳରେ ସ୍ଥାନ ପାଇ ଏସିଆ ଓସେନିଆ ପ୍ରତିଯୋଗିତା ଖେଳିଥିଲେ। ନହରକଣ୍ଟାସ୍ଥିତ ଏସବେସ୍‌ ଟେନିସ୍ ଏକାଡେମିରେ ଅଜୟ ନିଶଙ୍କ ଦ୍ବାରା ପ୍ରଶିକ୍ଷିତ ଆହାନ ଏବେ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଦିଗରେ ଅଗ୍ରସର ‌ହୋଇଛନ୍ତି।