ଅହମଦାବାଦ ଓ ଲକ୍ଷ୍ନୌ ନୂଆ ଆଇପିଏଲ୍‌ ଦଳ: ସଞ୍ଜୀବ ଗୋଏଙ୍କା, ସିଭିସି କ୍ୟାପିଟାଲ୍‌ ଶ୍ରେଷ୍ଠ ବିଡର୍‌

କଟକ ବଞ୍ଚିତ

କଟକ: ଆସନ୍ତା ଆଇପିଏଲ୍‌ ସ˚ସ୍କରଣରେ ଅହମଦାବାଦ ଓ ଲକ୍ଷ୍ନୌ ଦୁଇଟି ନୂଆ ଦଳ ଭାବେ ସାମିଲ ହେବ। ଦୁବାଇରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଟେଣ୍ତର ପ୍ରକ୍ରିୟା ଶେଷ ହେବା ପରେ ଏହି ସୂଚନା ମିଳିଛି। ଦୁଇଟି ନୂଆ ଦଳ ପାଇଁ ୬ଟି ସହରକୁ ବଛା ଯାଇଥିଲା ବେଳେ ସେଥିପାଇଁ ୨୨ ଜଣ ବିଡ୍‌ ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ଆର‌୍‌ପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ ୭୦୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌକୁ ଏବ˚ ସିଭିସି କ୍ୟାପିଟାଲ ୫୨୦୦ କୋଟି ଟଙ୍କା ମୂଲ୍ୟରେ ଅହମଦାବାଦକୁ କିଣିଛନ୍ତି। ଆଇପିଏଲ୍‌ ନୂଆ ଦଳ ବିଡ୍‌ ପ୍ରକ୍ରିୟାରେ ଅନେକ ବଡ଼ବଡ଼ କମ୍ପାନିକୁ ଏହି ଦୁଇ ସ˚ସ୍ଥା ପଛରେ ପକାଇଦେଇଛନ୍ତି। ଆଦାନି ଗ୍ରୁପ୍‌, ହିନ୍ଦୁସ୍ଥାନ ଟାଇମ୍ସ ମିଡିଆ, ଅରବିନ୍ଦ ଫାର୍ମା, ଟରେଣ୍ଟ ଫାର୍ମା, ଲାନ୍ସର କ୍ୟାପିଟାଲ ପ୍ରମୁଖ ନୂଆ ସହର ପାଇଁ ସର୍ବାଧିକ ବିଡ୍‌ ଦାଖଲ କରିଥିଲେ ସୁଦ୍ଧା ସଞ୍ଜୀବ ଗୋଏଙ୍କା ଓ ସିଭିସିଠୁ ପଛରେ ପଡ଼ିଯାଇଥିଲେ। ବିସିସିଆଇ ପକ୍ଷରୁ ଧାର୍ଯ୍ୟ ମୂଳ ଦର ୨ ହଜାର କୋଟିଠୁ ଗୋଏଙ୍କା ଗ୍ରୁପ୍‌ ପାଖାପାଖି ୨୫୦ ପ୍ରତିଶତ ଅଧିକ ଦରରେ ଦଳ କିଣିଥିଲା ବେଳେ ସିଭିସି ପ୍ରାୟ ୧୬୦ ପ୍ରତିଶତ ଅଧିକ ମୂଲ୍ୟରେ ମାଲିକାନା ହାସଲ କରିଛି। ଉଭୟ ଦଳ ସେମାନଙ୍କର କ୍ରୟ ମୂଲ୍ୟକୁ ଆସନ୍ତା ୧୦ ବର୍ଷ ମଧ୍ୟରେ ବିସିସିଆକୁ ପ୍ରଦାନ କରିବେ।

ଆର‌୍‌ପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ ପାଇଁ ଆଇପିଏଲ୍‌ ନୂଆ ନୁହେଁ। ପୂର୍ବରୁ ୨୦୧୫ରେ ଏହି ଗ୍ରୁପ୍‌ ଆଇପିଏଲ୍‌ରେ ରାଇଜି˚ ପୁଣେ ସୁପରଜିଆଣ୍ଟ୍ସ ଦଳ କିଣିଥିଲା। ଦୁଇଟି ସ˚ସ୍କରଣରେ ଏହି ଦଳ ଖେଳିଥିଲା। ୨୦୧୬ରେ ୧୪ ମ୍ୟାଚ୍‌ରୁ ମାତ୍ର ୫ଟି ଜିତି ସପ୍ତମ ସ୍ଥାନରେ ରହିଥିଲା। ତେବେ ୨୦୧୭ ଆଇପିଏଲ୍‌ ସ˚ସ୍କରଣରେ ଏହି ଦଳ ଫାଇନାଲ୍‌ରେ ପ୍ରବେଶ କରିଥିଲେ ସୁଦ୍ଧା ମୁମ୍ବାଇ ଇଣ୍ତିଆନ୍ସ ୧ ରନ୍‌ରେ ହାରି ଯାଇଥିଲା। ଏହା ଆଇପିଏଲ୍‌ରେ ଗୋଏଙ୍କା ଗ୍ରୁପ୍‌ର ଶେଷ ମ୍ୟାଚ୍‌ ହୋଇଥିଲା ବେଳେ ସେବେଠାରୁ ନୂଆ ଦଳ କିଣିବା ପାଇଁ ଏହି ସ˚ସ୍ଥା ଉଦ୍ୟମ କରିଆସୁଥିଲା। ଆଇପିଏଲ୍‌ ବ୍ୟତୀତ ଭାରତୀୟ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏଟିକେ ମୋହନ ବାଗାନ ଦଳର ମାଲିକାନା ମଧ୍ୟ ଗୋଏଙ୍କା ଗ୍ରୁପ୍‌ ପାଖରେ ରହିଛି। ମୋହନ ବାଗାନର ସର୍ବାଧିକ ଅ˚ଶଧନ ଗୋଏଙ୍କା ଗ୍ରୁପ୍‌ କିଣିବା ପରେ ଏହାର କ୍ରୀଡ଼ା ପରିଚାଳନା ସ˚ସ୍ଥା ଏଟିକେ ନାମରେ ଦଳର ନାମକୁ ନାମିତ କରାଯାଇଛି। ଏହାବାଦ୍‌ ଅଲ୍‌ଟିମେଟ ଟେବୁଲ ଟେନିସ୍‌ ପ୍ରତିଯୋଗିତାରେ ଆର‌୍‌ପିଏସ୍‌ଜି ମାଭେରିକ୍ସ କୋଲକାତା ଦଳକୁ ଗୋଏଙ୍କା ଗ୍ରୁପ୍‌ କିଣିଥିଲା। ଏବେ ଆଇପିଏଲ୍‌ରେ ଏହି ଗ୍ରୁପ୍‌ ଲକ୍ଷ୍ନୌକୁ କିଣିବା ପରେ ୨୦୧୮ରେ ଲୋକାର୍ପିତ ହୋଇଥିବା ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପାୟୀ ଷ୍ଟାଡିୟମକୁ ଏହାର ଘରୋଇ ପଡ଼ିଆ କରିବା ସ୍ପଷ୍ଟ ହୋଇଛି। ଏହି ଷ୍ଟାଡିୟମରେ ପାଖାପାଖି ୫୦ ହଜାର ଦର୍ଶକଙ୍କ ବସିବା କ୍ଷମତା ରହିଛି।

ସିଭିସି କ୍ୟାପିଟାଲ ଏକ ଆନ୍ତର୍ଜାତିକ ସ˚ସ୍ଥା ହୋଇଥିଲାବେଳେ ୟୁରୋପ, ଏସିଆ, ଆମେରିକା ଭଳି ମହାଦେଶମାନଙ୍କରେ ଏହା କାର୍ଯ୍ୟ କରୁଛି। ଏହି ସ˚ସ୍ଥା ପୂର୍ବରୁ ଫର୍ମୁଲା ଵାନ୍‌ରେ ଅ˚ଶଧନ କିଣିଥିଲା ବେଳେ ସ୍ପେନ୍‌ର ଶ୍ରେଷ୍ଠ ଫୁଟ୍‌ବଲ୍‌ ଲିଗ୍‌ ଲା-ଲିଗାରେ ମଧ୍ୟ ଅ˚ଶଧନ ରହିଛି। ଏବେ ଏହି ସ˚ସ୍ଥା କ୍ରିକେଟ୍‌ ଆଡ଼କୁ ମୁହାଁଇଥିବାରୁ ଆଇପିଏଲ୍‌ ବିଡି˚ରେ ଦ୍ବିତୀୟ ସର୍ବାଧିକ ବିଡର ଭାବେ ଅହମଦାବାଦକୁ କିଣିବାରେ ସଫଳ ହୋଇଛି। ଯାହାଫଳରେ ଦେଶର ସର୍ବବୃହତ୍‌ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଏହି ସ˚ସ୍ଥା ଘରୋଇ ପଡ଼ିଆ ଭାବେ ବ୍ୟବହାର କରିବ। ଏହି ଷ୍ଟାଡିୟମରେ ଲକ୍ଷେ ୩୨ ହଜାର ଦର୍ଶକ ବସିବା କ୍ଷମତା ରହିଛି।

ଆଇପିଏଲ୍‌ ନୂଆ ଦଳ ପାଇଁ ବିଡ୍‌ ଦାଖଲ ଓ ଯାଞ୍ଚ ପାଇଁ ସୋମବାରକୁ ଧାର୍ଯ୍ୟ ହୋଇଥିଲା ବେଳେ ୯ଟି ସ˚ସ୍ଥାର ପ୍ରତିନିଧି ଦୁବାଇରେ ଉପସ୍ଥିତ ଥିଲେ। ବିଡ୍‌ ପେପରକୁ ଦୁଇଟି ଲଫାଫାରେ ଗ୍ରହଣ କରାଯାଇଥିଲା। ପ୍ରଥମ ଲଫାଫାରେ ଆବେଦନକାରୀଙ୍କ ସମ୍ପତ୍ତି ମୂଲ୍ୟ ଓ ବ୍ୟକ୍ତିଗତ ଆର୍ଥିକ ବିବରଣୀ ରହିଥିଲା ବେଳେ ଦ୍ବିତୀୟ ଲଫାଫାରେ ଆଇପିଏଲ୍‌ ଦଳ ସ˚କ୍ରାନ୍ତରେ ରହିଥିଲା। ଗଭର୍ଣ୍ଣି˚ କାଉନସିଲ ସଦସ୍ୟଙ୍କ ସହିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ, କୋଷାଧ୍ୟକ୍ଷ ଅରୁଣ ଧୂମାଲ, ଉପସଭାପତି ରାଜୀବ ଶୁକ୍ଳା, ଯୁଗ୍ମ ସମ୍ପାଦକ ଜୟେସ ଜର୍ଜଙ୍କ ଉପସ୍ଥିତିରେ ବିଡ୍‌ ପେପରଗୁଡ଼ିକୁ ଟିକିନିକି ଭାବେ ଯାଞ୍ଚ କରାଯାଇଥିଲା। ପ୍ରତ୍ୟେକ ବିଡର‌୍‌ଙ୍କୁ ସେମାନଙ୍କ ଆଗ୍ରହ ଅନୁସାରେ ଏକାଧିକ ସହରକୁ ଚୟନ କରିବାକୁ ସୁଯୋଗ ଦିଆଯାଇଥିଲା। ତେବେ ବିଜୟୀ ବିଡର ସେମାନଙ୍କ ଦ୍ବିତୀୟ ବିକଳ୍ପ ଭାବେ କେଉଁ ସହରକୁ ଚୟନ କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ।

କଟକ ବଞ୍ଚିତ

କଟକ: ଆଇପିଏଲ୍‌ର ନୂଆ ଦଳ ଦୌଡ଼ରୁ ବାଦ୍‌ ପଡ଼ିଲା କଟକ। ଦୁଇଟି ନୂଆ ସହର ପାଇଁ ହୋଇଥିବା ବିଡି˚ରେ ଅହମଦାବାଦ ଓ ଲକ୍ଷ୍ନୌ ବିଜୟୀ ହେବା ପରେ ଅନ୍ୟ ୪ ସହର ଇନ୍ଦୋର, ଗୁଆହାଟୀ, ପୁଣେ, ଧର୍ମଶାଳା ଓ କଟକ ଆଶା ପୁଣି ମଉଳିଯାଇଛି। କଟକ ପାଇଁ ଜିନ୍ଦଲ ଷ୍ଟିଲ୍‌ ଆଣ୍ତ ପାଵାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ବିଡ୍‌ ପେପର କିଣିଥିଲା ବେଳେ ରାଜ୍ୟ ସରକାରଙ୍କ ସହଯୋଗ ଆଶାରେ ଥିଲା। କିନ୍ତୁ ବିଡି˚ରେ ଜିନ୍ଦଲ ବହୁ ପଛରେ ପଡ଼ିଯିବାରୁ କଟକକୁ ଆଇପିଏଲ୍‌ ଦଳ କରାଯିବା ସ୍ବପ୍ନ ସ୍ବପ୍ନରେ ରହିଯାଇଛି। ଫଳରେ କଟକକୁ ତୃତୀୟ ଥର ପାଇଁ ଆଇପିଏଲ୍‌ ସହର ଭାବେ ଚୟନ କରାଯାଇଥିଲା ବେଳେ ଏହି ସହର ଭାଗ୍ୟ ଫିଟିପାରିନାହିଁ। ଏଥିପୂର୍ବରୁ ୨୦୧୦ ମସିହାରେ ଚୟନ କରାଯାଇଥିବା ୧୨ଟି ସହର ମଧ୍ୟରେ କଟକ ସ୍ଥାନ ପାଇଥିଲା ବେଳେ ପୁଣେ ଓ କୋଚି ସହର ବିଡି˚ରେ ବିଜୟୀ ହୋଇଥିଲେ। ପରେ ୨୦୧୫ରେ ଚେନ୍ନାଇ ଓ ରାଜସ୍ଥାନ ଦଳକୁ ନିଲମ୍ବିତ କରାଯିବାରୁ ନୂଆ ୨ ଦଳ ପାଇଁ ୧୦ଟି ସହରକୁ ନେଇ ବିଡି˚ ହୋଇଥିଲା। ସେଥିରେ ମଧ୍ୟ କଟକ ସ୍ଥାନ ପାଇଥିଲେ ମଧ୍ୟ କୌଣସି ସ˚ସ୍ଥା କଟକ ପାଇଁ ଆଗ୍ରହ ଦେଖାଇନଥିଲେ।

ସମ୍ବନ୍ଧିତ ଖବର