କଟକ: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଅଭିଜିତ୍‌ ପାଲ୍‌ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ତୃଣମୂଳସ୍ତରରୁ ଫୁଟ୍‌ବଲ୍‌ର ବିକାଶ ପାଇଁ ଆଲୋଚନା କରାଯାଇଥିଲା। ଏଥିପାଇଁ ପ୍ରତ୍ୟେକ ସଦସ୍ୟ ରାଜ୍ୟଗୁଡ଼ିକୁ ୨୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ସହାୟତା ରାଶିକୁ ରାଜ୍ୟ ସଂଘଗୁଡ଼ିକ ସେମାନଙ୍କ ମହିଳା ଏବଂ ପୁରୁଷ ଲିଗ୍, ୟୁଥ୍ ଲିଗ୍, ଆନୁଷଙ୍ଗିକ ସାମଗ୍ରୀ ଏବଂ ତୃଣମୂଳସ୍ତରର ବିକାଶ ପାଇଁ ବ୍ୟବହାର କରିବେ।

Advertisment

ଏହାସହ ଏଆଇଏଫ୍‌ଏଫ୍‌ ସହାୟତାରେ ପ୍ରତ୍ୟେକ ରାଜ୍ୟରେ ପ୍ରାଶାସନିକ ମୁଖ୍ୟ ଏବଂ ବୈଷୟିକ ସଂଯୋଜକମାନଙ୍କୁ ନିଯୁକ୍ତି ଦିଆଯିବ। ଏଥିସହିତ ରାଜ୍ୟ ଲିଗ୍ ଏବଂ ରାଜ୍ୟ ଯୁବ ଲିଗ୍‌ କିଭଳି ଲୋକପ୍ରିୟ ହୋଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରତ୍ୟେକ ମ୍ୟାଚ୍‌ର ଲାଇଭ୍ ଷ୍ଟ୍ରିମିଂ ପାଇଁ ଫିଫା+ ପ୍ଲାଟଫର୍ମ ବ୍ୟବହାର କରିବାକୁ ଉନ୍ନୟନ କମିଟି ପରାମର୍ଶ ଦେଇଛି। ଏହି ବୈଠକରେ ମହାସଚିବ ଡକ୍ଟର ସାଜି ପ୍ରଭାକରନ୍, ଉପମହାସଚିବ ଜେନେରାଲ୍ ସୁନନ୍ଦୋ ଧର ଏବଂ କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।