ନୂଆଦିଲ୍ଲୀ : ଭାରତୀୟ ଫୁଟ୍‌ବଲ୍ ଦଳର ପୂର୍ବତନ ଗୋଲ୍‌ରକ୍ଷକ କଲ୍ୟାଣ ଚୌବେ ଶୁକ୍ରବାର ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ (ଏଆଇଏଫଏଫ)ର ନୂଆ ସଭାପତି ନିର୍ବାଚିତ ହୋଇଛନ୍ତି। ଏକତରଫା ନିର୍ବାଚନରେ କଲ୍ୟାଣ ନିଜ ପୂର୍ବତନ ସାଥୀ ଖେଳାଳି ତଥା କିଂବଦନ୍ତି ଫୁଟ୍‌ବଲର୍‌ ବାଇଚୂଙ୍ଗ ଭୂତିଆଙ୍କୁ ୩୩-୧ ବ୍ୟବଧାନରେ ଶୋଚନୀୟ ଭାବେ ପରାସ୍ତ କରିଛନ୍ତି। ଏଥି ସହ ଭାରତୀୟ ଫୁଟ୍‌ବଲ୍ ନିଜ ୮୫ ବର୍ଷ ଇତିହାସରେ ପ୍ରଥମ ଥର ଜଣେ ଖେଳାଳିଙ୍କୁ ସଭାପତି ରୂପରେ ପାଇଛି। ୪୫ ବର୍ଷୀୟ କଲ୍ୟାଣଙ୍କ ପୂର୍ବ ଦୁଇ ସଭାପତି ପ୍ରିୟରଂଜନ ଦାସମୁନସୀ ଓ ପ୍ରଫୁଲ୍ଲ ପଟେଲ୍‌ ପୂର୍ଣ୍ଣକାଳୀନ ରାଜନେତା ଥିଲେ। ‌ଚୌବେ ମଧ୍ୟ ରାଜନୀତିରେ ପ୍ରବେଶ କରିଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ସେ ଭାଜପା ପାର୍ଥୀ ଭାବେ କ୍ରିଷ୍ଣନଗର ଆସନରୁ ଲଢ଼ି ଟିଏମ୍‌ସିର ମହୁଆ ମିତ୍ରଙ୍କଠାରୁ ହାରିଯାଇଥିଲେ। ଅନ୍ୟପକ୍ଷରେ ସିକିମିଜ୍ ସ୍ନିପର ଭାବେ ପରିଚିତ ଭାରତୀୟ ଫୁଟ୍‌ବଲ୍‌ର ଶ୍ରେଷ୍ଠ ବ୍ୟକ୍ତିତ୍ବ ବାଇଚୂଙ୍ଗ ଭୂତିଆଙ୍କ ପରାଜୟକୁ କିନ୍ତୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଶଂସକମା‌ନେ।

Advertisment

ଉଭୟ କଲ୍ୟାଣ ଚୌବେ ଏବଂ ବାଇଚୂଙ୍ଗ ଭୂତିଆ ଏକଦା ଇଷ୍ଟବେଙ୍ଗଲ୍ ପାଇଁ ମିଳିତ ଭାବେ ଖେଳିଥିଲେ। କଲ୍ୟାଣଙ୍କୁ ଅଭିନନ୍ଦନ ଜଣାଇ ଭୂତିଆ କହିଛନ୍ତି, ‘ଭାରତୀୟ ଫୁଟ୍‌ବଲ୍‌ର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବୁ ଏବଂ ଆଗକୁ ନେବୁ। ନିର୍ବାଚନ ପୂର୍ବରୁ ଯେଭଳି ଫୁଟ୍‌ବଲ୍ ପାଇଁ କାମ କରୁଥିଲି ତାହା ଜାରି ରଖିବି’।

କର୍ଣ୍ଣାଟକ ଫୁଟ୍‌ବଲ୍ ସଂଘ ସଭାପତି ତଥା ବିଧାୟକ ଏନ୍‌ଏ ହାରିସ୍‌ ଏକମାତ୍ର ଉପସଭାପତି ପଦ ଲାଗି ନିର୍ବାଚିତ ହୋଇଛନ୍ତି। ସେ ରାଜସ୍ଥାନର ମାନବେନ୍ଦ୍ର ସିଂହଙ୍କୁ ୨୯-୫ରେ ପରାସ୍ତ କରିଥିଲେ। ଆନ୍ଦ୍ରପ୍ରଦେଶର ଗୋପାଳକୃଷ୍ଣ କୋସାରାଜୁଙ୍କୁ ୩୨-୧ରେ ପରାସ୍ତ କରି ଅରୁଣାଚଳ ପ୍ରଦେଶର କିପା ଅଜୟ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଜିପି ପାଲଗୁଣା, ଅଭିଜିତ ପଲ୍‌, ପି ଅନିଲକୁମାରା, ଭଲଙ୍କା ନତାଶା ଆଲେମାଓ, ମାାଲୋଜୀ ରାଜେ ଛତ୍ରପତି, ମେନଲା ଇଥେନ୍‌ପା, ମୋହନ ଲାଲ, ଅରିଫ ଅଲୀ, କେ ନେଇବୋ ସେଖୋଜ୍‌, ଲାଲଙ୍ଗିଲୋଭା ହମର, ଦୀପକ ଶର୍ମା, ବିଜୟ ବାଲି ଏବଂ ସୟଦ ଇମ୍‌ତିଆଜ ହୁସେନ୍‌ ବିନା ପ୍ରତିଦ୍ବନ୍ଦ୍ବିତାରେ କାର୍ଯ୍ୟକାରୀ ସମିତିକୁ ନିର୍ବାଚିତ ହୋଇଥିବା ବେଳେ ବାଇଚୁଙ୍ଗ ଭୂତିଆ, ଆଇଏମ୍ ବିଜୟନ, ସବିର୍‌ ଅଲୀ ଓ କ୍ଲାଇମାକ୍ସ ଲରେନ୍ସ ଖେଳାଳିଙ୍କ ପ୍ରତିନିଧି ଭାବେ କାର୍ଯ୍ୟକାରୀ ସମିତିରେ ରହିବେ।

୧୫ ବର୍ଷର ଖେଳ ଜୀବନ
ଟାଟା ଫୁଟ୍‌ବଲ୍ ଏକାଡେମି (ଟିଏଫଏ)ରୁ ପ୍ରଷ୍ଫୁଟିତ କଲ୍ୟାଣ ଚୌବେଙ୍କ ସମସାମୟିକ ଖେଳାଳି ଭାବେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିଲେ ଦୀନେନ୍ଦୁ ବିଶ୍ବାସ, ରେନେଡି ସିଂହ, ଲୋଲେଣ୍ଡ୍ରୋ ସିଂହ ଏବଂ ପୂର୍ବତନ ମୋହନ ବାଗାନ ପ୍ରଶିକ୍ଷକ ଶଙ୍କରଲାଲ ଚକ୍ରବର୍ତୀ। ୧୯୯୬ରେ ବରିଷ୍ଠ କ୍ଲବ୍‌ ସ୍ତର ଜୀବନ ଆରମ୍ଭ କରିଥିବା କଲ୍ୟାଣ ୧୯୯୭ରୁ ୨୦୦୩ ପର୍ଯ୍ୟନ୍ତ ଇଷ୍ଟବେଙ୍ଗଲ, ଜେସିଟି, ସାଲଗାଁଓକର ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ୩ ଥର ସାଫ୍‌ ବିଜେତା ଭାରତୀୟ ଦଳର ଗୋଲ୍‌ରକ୍ଷକ ଥିବା କଲ୍ୟାଣ ମଧ୍ୟ ନିଜ ୧୫ ବର୍ଷର ଫୁଟ୍‌ବଲ୍ ଜୀବନରେ ୫ଟି ଭିନ୍ନ ରାଜ୍ୟରୁ ଖେଳିଥିଲେ। ୫ ଥର ସେ ଆଇ ଲିଗ୍‌/ଜାତୀୟ ଫୁଟ୍‌ବଲ୍ ପ୍ରତ‌ିଯୋଗିତାରେ ଉପବିଜେତା ହୋଇଥିଲେ। ୧୯୯୭-୯୮ ଓ ୨୦୦୨-୦୩ରେ ସେ ଦୁଇ ଥର ଭାରତର ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ପାଇଥିଲେ। ଭାରତୀୟ ଯୁବ ଦଳରୁ ସେ ଥରେ ଏସୀୟ ଯୁବ ପ୍ରତିଯୋଗିତା (୧୭ ବର୍ଷରୁ କମ୍‌, ତେହେରାନ, ୧୯୯୪ ଏବଂ ୨୦ ବ‌ର୍ଷରୁ କମ୍‌, ଦକ୍ଷିଣ କୋରିଆ, ୧୯୯୬ ଏବଂ ପ୍ରି ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ (୧୯୯୯-୨୦୦୦)ରେ ଖେଳିଥିଲେ। ୧୯୯୯ରେ ସେ ଦକ୍ଷିଣ ଏସୀୟ ଫୁଟ୍‌ବଲ୍ ପ୍ରତିଯୋଗିତାରେ କାଂସ୍ୟ ବିଜେତା ଭାରତୀୟ ଦଳ ସଦସ୍ୟ ବି ଥିଲେ। ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ସେ ମୋହନ ବାଗାନର ସିଇଓ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। କୋଲ୍‌କାତା ନିବାସୀ କଲ୍ୟାଣ ୨୦୦୪ରେ ମୋହନ ବାଗାନର ପୂର୍ବତନ ସମ୍ପାଦକ ଅଞ୍ଜନ ମିତ୍ରଙ୍କ ଝିଅ ସୋହିନୀଙ୍କୁ ବିବାହ କରିଥିଲେ। ତାଙ୍କ ସାନ ଭଉଣୀ ବୁଲ୍‌ବୁଲି ପଞ୍ଚା ବେଙ୍ଗଲି ଟିଭି ଧାରାବାହିକୀରେ ଅଭିନେତ୍ରୀ ଭାବେ କାର୍ଯ୍ୟ କରନ୍ତି।