ଏଆଇଏଫ୍‌ଏଫ୍‌ ନିର୍ବାଚନରେ ରାଜ‌ନୈତିକ ହସ୍ତକ୍ଷେପକୁ ଭୂତିଆଙ୍କ ନିନ୍ଦା

ନୂଆଦିଲ୍ଲୀ: ଶୁକ୍ରବାରର ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ (ଏଆଇଏଫ୍‌ଏଫ୍‌) ସଭାପତି ନିର୍ବାଚନର ହାରିଥିବା ପୂର୍ବତନ ଅଧିନାୟକ ବାଇଚୂଙ୍ଗ ଭୂତିଆ ଏବେ ରାଜନୈତିକ ହସ୍ତକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି। ଭୂତିଆଙ୍କୁ ଭାଜପା ନେତା ତଥା ପୂର୍ବତନ ଭାରତୀୟ ‌ଖେଳାଳି କଲ୍ୟାଣ‌ ଚୌବେ ୩୩-୧ରେ ଶୋଚନୀୟ ଭାବେ ପରାସ୍ତ କରିଥିଲେ। ଏହାକୁ ନେଇ ୪୫ ବର୍ଷୀୟ ଭୂତିଆ ଭୀଷଣ ଖପ୍ପା ହୋଇଛନ୍ତି। ‘ବ୍ୟକ୍ତିଗତ ଭାବେ ମୁଁ ଦୁଃଖିତ, ଏଆଇଏଫ୍‌ଏଫ୍‌ ନିର୍ବାଚନରେ ଏଭଳି ଉଚ୍ଚସ୍ତରୀୟ ରାଜନୈତିକ ହସ୍ତ‌କ୍ଷେପ ମୁଁ ଆଶା କରିନଥିଲି। ଏହ‌ା ଫୁଟ୍‌ବଲ୍ ସଭାପତି ନିର୍ବାଚନ ଥିଲା, ମୁଁ ନିଷ୍ଠାର ସହ କିଛି କରିବାକୁ ଚାହୁଁଥିଲି’ ବୋଲି ଭୂତିଆ ପ୍ରକାଶ କରିଛନ୍ତି। ଅବଶ୍ୟ ଭୂତିଆ ନିଜେ ମଧ୍ୟ ଟି‌ଏମ୍‌ସି ଟିକେଟରେ ୨୦୧୪ ଓ ୨୦୧୬ରେ ଯଥାକ୍ରମେ ଲୋକସଭା ଓ ବିଧାନସଭା ପାଇଁ ଲଢ଼ି ବିଫଳ ହୋଇଥିଲେ। ନିଜ ରାଜ୍ୟରେ ହମରୋ ସିକିମ ପାର୍ଟି ଗଢ଼ିଥିଲେ। ‘ସେମାନେ ଯଦି ବିଜୟ ନେଇ ଏତେ ଆତ୍ମବିଶ୍ବାସ ରଖିଥିଲେ, ତେବେ ଜଣେ କେନ୍ଦ୍ରମନ୍ତ୍ରୀ କାହିଁକି ଗୁରୁବାର ରାତିରୁ ନିର୍ବାଚନ ଦିନ ଶୁକ୍ରବାର ଭୋର ପର୍ଯ୍ୟନ୍ତ ‌ସେହି ହୋଟେଲ୍‌ରେ ରହିଥିଲେ କାହିଁକି। ସମସ୍ତଙ୍କୁ ଗୋଟିଏ ନିବୁଜ କୋଠରୀରେ କାହିଁକି କିଛି ସମୟ ରଖାଯାଇଥିଲା? ବୋଲି ଭୂତିଆ ପ୍ରଶ୍ନ କରିଛନ୍ତି। ଭୂତିଆ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀଙ୍କ ନାମ କହିନଥିଲେ ମଧ୍ୟ ତାଙ୍କ ପ୍ରସ୍ତାବକ ଥିବା ରାଜସ୍ଥାନ ରାଜ୍ୟ ଫୁଟ୍‌ବଲ୍ ସଂଘ ସଭାପତି ମାନବେନ୍ଦ୍ର ସିଂହ ଅଭିଯୋଗ କରିଛନ୍ତି, କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ (ପୂର୍ବତନ କ୍ରୀଡ଼ାମନ୍ତ୍ରୀ) ହୋଟେଲ୍‌ରେ ରହି ଭୂତିଆଙ୍କ ବିରୋଧରେ ଭୋଟ ଦେବାକୁ ପ୍ରବର୍ତ୍ତାଇଥିଲେ। ନବନିର୍ବାଚିତ ସଭାପତି କଲ୍ୟାଣ ଚୌବେ ସ୍ବୀକାର କରି କହିଥିଲେ, ରିଜିଜୁ ହୋଟେଲ୍‌ରେ ଥିଲେ, କିନ୍ତୁ ମାନବେନ୍ଦ୍ରଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ।

ଅନ୍ୟପକ୍ଷରେ ଏଆଇଏଫ୍‌ଏଫ୍‌ର ଚିଠା ସମ୍ବିଧାନ ଅନୁସାରେ ଭୂ୍ତିଆ ୬ ଜଣିଆ କାର୍ଯ୍ୟକାରୀ ସମିତିରେ ରହିଛନ୍ତି। କିନ୍ତୁ ସେ ଏହାର ବୈଠକରେ‌ ଯୋଗଦେବେ କି ନା ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବେ ବୋଲି ଭୂତିଆ ପ୍ରକାଶ କରିଛନ୍ତି। ମୁଁ ଆଜି ଉପସ୍ଥିତ ଥିଲେ ମଧ୍ୟ ବୈଠକରେ ଯୋଗ ଦେଇନଥିଲି। ଆଇଏମ୍ ବିଜୟନ, ଶବିର ଅଲୀ, କ୍ଲାଇମାକ୍ସ ଲରେନ୍ସ ଏବଂ ଦୁଇ ମହିଳା ସଦସ୍ୟା ଥଙ୍ଗମ ତବାବୀ ଦେବୀ ଏବଂ ପିଙ୍କି ବମ୍ପଲ ମଗର ଏହି ସମିତିରେ ରହିଛନ୍ତି। ଶବିରଙ୍କୁ ଶନିବାର ଉପଦେଷ୍ଠା ସମିତିର ମୁଖ୍ୟ କରାଯାଇଥିବା ବେଳେ ବିଜୟନଙ୍କୁ ବୈଷୟିକ ସମିତିର ଅଧ୍ୟକ୍ଷ ନିଯୁକ୍ତ କରିଛି କାର୍ଯ୍ୟକାରୀ ସମିତି।

ସମ୍ବନ୍ଧିତ ଖବର