ଭୁବନେଶ୍ବର, ୨୧/୪ (ଇମିସ): ଓଡ଼ିଶା ମହିଳା ଲିଗ୍ (ଓଡବ୍ଲୁଏଲ୍)ରେ ବିଜେତା ହେବା ପରେ ଏବେ ଓଡ଼ିଶା ଏଫ୍ସିର ନଜର ରହିଛି ଭାରତୀୟ ମହିଳା ଲିଗ୍ (ଆଇଡବ୍ଲୁଏଲ୍) ଉପରେ। ଆସନ୍ତା ୨୭ ତାରିଖରୁ ଓଡ଼ିଶା ଏଫ୍ସି ପ୍ରଥମ ଥର ପାଇଁ ଏହି ଜାତୀୟସ୍ତରୀୟ ଲିଗ୍ରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି ଲିଗ୍ରେ ଓଡ଼ିଶା ଏଫ୍ସି ସହିତ ସ୍ପୋର୍ଟ୍ସ ଓଡ଼ିଶା ଦ୍ବିତୀୟ ଦଳ ଭାବେ ଅଂଶଗ୍ରହଣ କରିବ। ଗ୍ରୁପ୍ ବି’ରେ ସିଆର୍ପିଏଫ୍, କିକ୍ଷ୍ଟାର୍ଟ ଏଫ୍ସି, ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିଅନ୍, ଚର୍ଚ୍ଚିଲ ବ୍ରଦର୍ସ ଏଫ୍ସି ଗୋଆ, ଲର୍ଡ୍ସ ଏଫ୍ଏ କୋଚି ୱାଇଏମ୍ଏଏ, ସେଲଟିକ୍ କ୍ବିନ୍ସ ଏଫ୍ସି ଓ ସେତୁ ମଦୁରାଇ ସହିତ ଓଡ଼ିଶା ଏଫ୍ସି ସ୍ଥାନ ପାଇଛି। ସେହିପରି ଗ୍ରୁପ୍ ଏ’ରେ ହେପ୍ସ ଫୁଟ୍ବଲ କ୍ଲବ, ଗୋକୁଲମ୍ କେରଳ ଏଫ୍ସି, କାହାନି ଫୁଟ୍ବଲ କ୍ଲବ୍, ମାତା ରୁକ୍ମଣୀ ଫୁଟ୍ବଲ୍ କ୍ଲବ୍, ମୁମ୍ବାଇ ନାଇଟ୍ସ ଏଫ୍ସି, ଇଷ୍ଟ ବେଙ୍ଗଲ, ମିସାକା ୟୁନାଇଟେଡ୍ ଏଫ୍ସି ସହିତ ସ୍ପୋର୍ଟ୍ସ ଓଡ଼ିଶା ପ୍ରତିଦ୍ବନ୍ଦ୍ବିତା କରିବ। ତେବେ ଓଡ଼ିଶା ମହିଳା ଦଳର ପ୍ରଶିକ୍ଷକ କ୍ରିସପିନ୍ ଛେତ୍ରୀଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଏଫ୍ସି ପାଖାପାଖି ୬ ମାସ ଧରି ପ୍ରସ୍ତୁତି କରୁଥିବାରୁ ପଦାର୍ପଣରେ ବିଜେତା ହେବା ଲକ୍ଷ୍ୟରେ ରହିଛି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଛେତ୍ରୀ ଦଳର ସନ୍ତୁଳନ ଓ ପ୍ରତିଭାକୁ ନେଇ ଆଶାବାଦୀ ଥିବା କହିଛନ୍ତି।
ହକି ଭଳି ଫୁଟ୍ବଲ୍କୁ ବି ଭିତ୍ତିଭୂମି ଯୋଗାଇ ଦିଆଯାଉ: ପ୍ୟାରୀ
ସୁନ୍ଦରଗଡ଼, ରାଉରକେଲାରେ ହକିକୁ ଯେଉଁଭଳି ଭାବେ ପ୍ରୋତ୍ସାହନ ଦିଆଯାଉଛି, ସେମିତି ଫୁଟ୍ବଲ୍କୁ ବି ଦିଆଯାଉ। ହକି ଭଳି ଫୁଟ୍ବଲ୍ ପାଇଁ ମଧ୍ୟ ସରକାର ଷ୍ଟାଡିୟମ୍, ଅଭ୍ୟାସ ସୁବିଧା ପ୍ରତି ଜିଲ୍ଲାରେ ଉପଲବ୍ଧ କରାଇଲେ, ଅନେକ ଖେଳାଳି ସୃଷ୍ଟି ହୋଇପାରିବେ। ଫୁଟ୍ବଲ ଖେଳିବା ପାଇଁ ଆଗ୍ରହୀଙ୍କ ସଂଖ୍ୟା ବହୁତ ଅଛି, ହେଲେ ସେମାନଙ୍କୁ ଭିତ୍ତିଭୂମି ମିଳିପାରୁନି। ଯେଉଁଥିପାଇଁ ଜଣେ ଚାହିଁଲେ ବି ପେସାଦାର ଖେଳାଳି ଯାତ୍ରାରେ ସେତିକି ସଫଳ ହୋଇପାରୁନି ବୋଲି ପ୍ୟାରୀ ଖାଖା କହିଛନ୍ତି। ଆଇଡବ୍ଲୁଏଲ୍ରେ ପୂର୍ବରୁ ରାଇଜିଂ ଷ୍ଟୁଡେଣ୍ଟ ପକ୍ଷରୁ ପ୍ରତ୍ୟେକ ସଂସ୍କରଣରେ ଖେଳିସାରିଥିବା ପ୍ୟାରୀ ଏଥର ନୂଆ ଦଳରେ ଯୋଗଦେଇଛନ୍ତି। ତେଣୁ ନିଜ ଅଭିଜ୍ଞତାକୁ ସାଙ୍ଗରେ ନେଇ ଦଳକୁ ଜିତାଇବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ଏଫ୍ସି ତାଙ୍କୁ ବହୁତ ସହଯୋଗ ଯୋଗାଇଛି। ତେଣୁ ଦଳ ପାଇଁ ଆମେ କଠିନ ପରିଶ୍ରମ କରୁଛୁ। ଆମ ଦଳ କେମିତି ବିଜେତା ହେବ ତାହା ମୂଳ ଲକ୍ଷ୍ୟ ରହିବ। ଆମ ପାଇଁ ଦଳର ସମସ୍ତ ପ୍ରଶାସନିକ ବ୍ୟକ୍ତି ଓ ପ୍ରଶିକ୍ଷକମାନେ ଦିନ ରାତି ଏକ କରିଦେଇଛନ୍ତି। ତେଣୁ ନିଜନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଆମେ ଚାହିଁବୁ ବୋଲି ପ୍ୟାରୀ କହିଥିଲେ।
ଛେତ୍ରୀଙ୍କ ମତରେ, ଓଡବ୍ଲୁଏଲ୍ରେ ଜିତିବା ପରେ ଆମେ ଗୋଟିଏ ପାଦ ଆଗକୁ ବଢାଇଛୁ। ଦଳରେ ଏବେ ବାଲା, ପ୍ୟାରୀ ଖାଖାଙ୍କ ଭଳି ଅଭିଜ୍ଞ ଖେଳାଳି ଥିବାବେଳେ ମାଳତୀ, ଲିଣ୍ଡାଙ୍କ ଭଳି କନିଷ୍ଠ ସ୍ତରରୁ ଖେଳାଳି ଆସିଛନ୍ତି। ତେଣୁ ଏହା ଏକ ସନ୍ତୁଳିତ ଦଳ। ପ୍ରଥମେ ଆମେ ଗ୍ରୁପ୍ ବିଜେତା ହେବାକୁ ଲକ୍ଷ୍ୟ ରଖିଛୁ। ପରେ କ୍ବାର୍ଟର, ସେମି ଓ ଫାଇନାଲ୍ ଉପରେ ନଜର ରହିବ ବୋଲି ସେ କହିଛନ୍ତି। ଓଡ଼ିଶା ଦଳରେ ପ୍ରଥମ ବ୍ରାଜିଲୀୟ ଖେଳାଳି ସେର୍ଟୋ ଲିଣ୍ଡା କମ୍ ଓ ଘାନାର ଫୌସ୍ତିନା ଆକପୋଙ୍କ ଭଳି ଦୁଇ ଜଣ ବିଦେଶୀ ଖେଳାଳି ଅଛନ୍ତି। ସେମାନଙ୍କ ସହିତ ଅନ୍ୟ ଖେଳାଳିମାନେ ଖାପଖୁଆଇବାକୁ ଚେଷ୍ଟା କରିଥିଲେ। ସେମାନେ ମଧ୍ୟ ଆମ ପରିବେଶ ସହିତ ମିଶିଗଲେଣି। ତେଣୁ ଦଳ ଭିତରେ ଦେଶୀ ବିଦେଶୀ ଖେଳାଳି ଭାବେ ଆମେ କିଛି ଫରକ ଦେଖୁନାହୁଁ।
ସେ କହିଛନ୍ତି ଯେ ଖେଳାଳିମାନଙ୍କୁ ଏକାଠି କରିବା ଓ ଆଇଡବ୍ଲୁଏଲ୍ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ବହୁତ କମ୍ ସମୟ ମିଳିଥିଲା। ଜାତୀୟ ପ୍ରତିଯୋଗିତା ଶେଷ କରି ଖେଳାଳିମାନେ ବିଭିନ୍ନ କ୍ଲବ୍ରେ ଯୋଗଦେଇଛନ୍ତି। ତେଣୁ ଆମେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିପାରିନାହୁଁ।
କେବଳ ନିଜନିଜ ଭିତରେ ଯାହା ଅଭ୍ୟାସ ମ୍ୟାଚ୍ ଖେଳିଛୁ। ଆହତ ସମସ୍ୟାରେ ନପଡ଼ିବା ପାଇଁ ପୁରୁଷ ଖେଳାଳିଙ୍କ ସହ ମ୍ୟାଚ୍ ଖେଳିବାକୁ ଆମେ ମନା କରିଥିଲୁ। ତଥାପି ମ୍ୟାଚ୍ ଆଗରୁ ଯେତିକି ବି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ମିଳିବ ତାହା ଆମ ପାଇଁ ଭଲ ରହିବ। କିନ୍ତୁ ଏହି ସମସ୍ୟା କେବଳ ଓଡ଼ିଶା ଏଫ୍ସି ସହ ନାହିଁ, ବରଂ ସବୁ ଦଳ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶରେ ମହିଳା ଫୁଟବଲ୍ର ବିକାଶ ଉପରେ ସେ କହିଛନ୍ତି ଯେ ପ୍ରତି କ୍ରୀଡ଼ାକୁ ଆଗକୁ ନେବାକୁ ହେଲେ ଅର୍ଥର ଆବଶ୍ୟକତା ରହିଛି। ସରକାର ଯେଉଁଭଳି ଭାବେ ଆଗକୁ ଆସିଛନ୍ତି, କର୍ପୋରେଟ୍ ସଂସ୍ଥାମାନେ ସେହିପରି ଆଗେଇ ଆସିବା ଦରକାର। କାରଣ ଯଦି ଆମେ ଖେଳିବା ଦ୍ବାରା କିଛି ନପାଇବା ତାହେଲେ ଆମ ପରିବାର ଆମକୁ ଆଗକୁ ବଢିବା ପାଇଁ ସମର୍ଥନ କରିବନି। ପେସାଦାର ଖେଳାଳି ହେବାକୁ ହେଲେ ଆରମ୍ଭରୁ ଆର୍ଥିକ ସହଯୋଗ ରହିବା ଦରକାର। ଏଥିସହ ଖେଳାଳିମାନେ ବି ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଦରକାର। ଜାତୀୟ ସ୍ତରରେ ଖେଳିବା ପରେ ପୁଲିସ୍ରେ ଚାକିରି ମିଳିଯାଉଛି, କିନ୍ତୁ ଚାକିରି ପାଇବା ପରେ ଖେଳକୁ ସମସ୍ତେ ଭୁଲି ଯାଉଛନ୍ତି। ଏହାଦ୍ବାରା ଫୁଟ୍ବଲ୍ର ବିକାଶ କେମିତି ହେବ ବୋଲି ଛେତ୍ରୀ ପ୍ରଶ୍ନ କରିଥିଲେ। ତେଣୁ ଯେପର୍ଯ୍ୟନ୍ତ ଆମ ଖେଳାଳିମାନେ ନିଜକୁ ଖେଳ ପ୍ରତି ଉତ୍ସର୍ଗ କରିନାହାନ୍ତି, ସେପର୍ଯ୍ୟନ୍ତ ଆମେ ବିକାଶ କଥା ଯେତେ କହିଲେ ବି କିଛି ଲାଭ ହେବ ନାହିଁ ବୋଲି ସେ କହିଛନ୍ତି। ଶେଷରେ ଦଳର ପ୍ରଶଂସକଙ୍କ ଉପରେ ସେ କହିଥିଲେ, ଗୁଜରାଟ ଯାଇ ଆମକୁ ସମର୍ଥନ କରିବା ସମ୍ଭବ ନୁହେଁ, ତେଣୁ ସାମାଜିକ ଗଣମାଧ୍ୟମରେ ଛୋଟିଆ ଶବ୍ଦଟିଏ ବି ଆମକୁ ଉତ୍ସାହିତ କରିବ। ଦଳ ଜିତୁ କି ହାରୁ ଯଦି ପ୍ରଶଂସକମାନେ ନିୟମିତ ଆମକୁ ଉତ୍ସାହିତ କରିବେ ପ୍ରତ୍ୟେକ ଖେଳାଳି ଅଧିକ ଉତ୍ସାହର ସହ ମ୍ୟାଚ୍କୁ ଓହ୍ଲାଇପାରିବେ ବୋଲି ସେ କହିଥିଲେ।
ତୃଣମୂଳସ୍ତରରୁ ପ୍ରଶିକ୍ଷଣ ଭଲ ରହିଲେ ଫୁଟବଲ୍ର ବିକାଶ ହେବ: ବାଲା
ଭାରତରେ ଫୁଟ୍ବଲ୍ ସଂସ୍କୃତି ଏବେ ବିକାଶ ଅଭିମୁଖେ ଯାଉଛି। ୟୁରୋପୀୟ ଦେଶମାନଙ୍କରେ ତୃଣମୂଳସ୍ତରୀୟ ଫୁଟ୍ବଲ କାର୍ଯ୍ୟକ୍ରମ ବହୁତ ମଜବୁତ୍। ସେମାନେ ଅଭ୍ୟାସ ଆରମ୍ଭରୁ ମ୍ୟାଚ୍ ଖେଳିବା ପର୍ଯ୍ୟନ୍ତ ସବୁବେଳେ କଠିନ ପରିଶ୍ରମ କରୁଥିଲେ। ୟୁରୋପରେ ପ୍ରତ୍ୟେକ ସ୍ଥାନରେ ଫୁଟ୍ବଲ ଭିତ୍ତିଭୂମି ସବୁଠୁ ଉର୍ଦ୍ଧ୍ବରେ ରହିଛି। ଏବେ ଭାରତରେ ଓଡ଼ିଶା ଏଫ୍ସିରେ ସେଭଳି ଭିତ୍ତିଭୂମି ଓ ସୁବିଧା ସୁଯୋଗ ମିଳୁଥିବା ଦେଖିଥିବାରୁ ଏହି ଦଳ ସହିତ ଯୋଗଦେବାକୁ ଚାହୁଁଥିଲେ ବୋଲି ଭାରତୀୟ ଦଳର ଖେଳାଳି ବାଲା ଦେବୀ କହିଛନ୍ତି। ଓଡ଼ିଶାରେ ଫୁଟ୍ବଲ୍ର ବିକାଶ ପାଇଁ ସରକାର ଯେଉଁଭଳି ଭିତ୍ତିଭୂମି ଯୋଗାଇ ଦେଉଛନ୍ତି, ସେଭଳି ସୁବିଧା ସବୁ ରାଜ୍ୟରେ ହେବା ଦରକାର। ଭଲ ପ୍ରଶିକ୍ଷକ ଆଣି ତୃଣମୂଳସ୍ତରରେ ପ୍ରଶିକ୍ଷଣ ଦେଲେ ଭାରତରେ ଫୁଟ୍ବଲର ମାନ ବୃଦ୍ଧି ହେବ। ହେଲେ ଏହା ଗୋଟିଏ ରାତିରେ ହୋଇଯିବନି। ଏସିଆର ଶ୍ରେଷ୍ଠ ଦଳମାନଙ୍କ ମଧ୍ୟରେ ପହଞ୍ଚିପାରିଲେ, ବିଶ୍ବକପ୍ କଥା ଚିନ୍ତା କରିପାରିବା ବୋଲି ବାଲା କହିଥିଲେ। ଓଡ଼ିଶା ସହିତ ତାଙ୍କର ସଂପର୍କ ବିଷୟରେ ସେ କହିଥିଲେ, ଓଡ଼ିଶା ଖେଳାଳି ଓ ମଣିପୁର ଖେଳାଳିଙ୍କ ଭିତରେ ବହୁ ଆଗରୁ ନିବିଡ଼ତା ରହିଛି। ଜାତୀୟ ଶିବରରେ ସବୁବେଳେ ଏହି ଦୁଇ ରାଜ୍ୟର ଖେଳାଳିଙ୍କ ସଂଖ୍ୟା ଅଧିକ ଥାଏ। ଆମ ଭିତରେ ବନ୍ଧୁତା ହୋଇଯାଇଛି। ଆମେ ଓଡ଼ିଆ କହିପାରୁଥିଲା ବେଳେ ସେମାନେ ବି ମଣିପୁରୀ ଭାଷା କହିପାରୁଛନ୍ତି। ତେଣୁ ପରସ୍ପର ଭାବନାକୁ ବୁଝିବାରେ ଆଉ ପ୍ରତିବନ୍ଧକ ନଥିବା ସେ କହିଛନ୍ତି।
ଦଳ: ଅରିଫା ଜାହିର ସୟଦ, ଗ୍ରେସ୍ ହଉନାର, ସୋନାଲି ଚେମାଟେ, ଶ୍ରେୟା ହୁଦା, ପ୍ୟାରୀ ଖାଖା, ଜୁଲି କିଶାନ, ଯଶୋଦା ମୁଣ୍ଡା, କରିସ୍ମା ଓରାମ, ସତ୍ୟବାଦୀ ଖଡ଼ିଆ, ସୁମିତ୍ରା ଖାଲ୍କୋ, ବନ୍ୟା କବିରାଜ, ମାଳତି ମୁଣ୍ଡା, ଦୀପା ନାୟକ, ସସ୍ମିତା ପରିଡ଼ା, ସୁସ୍ମିତା ତନ୍ତି, କାର୍ତ୍ତିକା ଅଙ୍ଗମୁଥୁ, ସ୍ବିଟି ଦେବୀ, ମୁନିକା ମିଞ୍ଜ, ଅଞ୍ଜୁ ତମଙ୍ଗ, ଶ୍ରଦ୍ଧାଞ୍ଜଳି ପଣ୍ଡା, ପାୟଲ ବସୁଦା, ଏନ୍ ବାଲା ଦେବୀ, ସେର୍ଟୋ ଲିଣ୍ଡା କୋମ୍, ଫୌଷ୍ଟିନା ଆକ୍ପୋ, ସିନ୍ଥିଆ ସାନ୍ତୋଷ, ମନୀଷା ପାନ୍ନା।