ଭୁବନେଶ୍ୱର: ଭାରତୀୟ କ୍ରୀଡ଼ା ସାମ୍ବାଦିକ ଦୁନିଆ ପାଇଁ ବଡ଼ ଖବର ଶୁକ୍ରବାର ଆସିଛି। ବିଶ୍ୱ କ୍ରୀଡ଼ା ସାମ୍ବାଦିକ ସଂଘ ଅଧୀନ ଏସିଆ ମହାଦେଶର ସଙ୍ଗଠନ ଏଆଇପିଏସ୍-ଏସିଆର ଉପସଭାପତି ଭାବେ ଭାରତର ଅନ୍ୟତମ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଏସ୍ ସବାନାୟକନ୍ ଶୁକ୍ରବାର ନିର୍ବାଚିତ ହୋଇଛନ୍ତି। ପାକିସ୍ତାନ ରାଜଧାନୀ ଇସ୍ଲାମବାଦ ସହରରେ ଚାଲିଥିବା ଏଆଇପିଏସ୍-ଏସିଆର ବାର୍ଷିକ ଅଧିବେଶନରେ ସବାନାୟକନ୍ ଭାଗ ନେଉଥିଲା ବେଳେ ତାଙ୍କୁ ଏହି ମର୍ଯ୍ୟାଦାଜନକ ପଦ ମିଳିଛି। ଶେଷ ମୁହୂର୍ତରେ ପାକିସ୍ତାନ ଭିସା ମିଳିବା ପରେ ସବାନାୟକନ୍ ଦୁଇଦିନ ତଳେ ଓ୍ଵାଘା ସୀମା ଦେଇ ପାକିସ୍ତାନରେ ପହଞ୍ଚିଥିଲେ। ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ସମ୍ପାଦକ ଓ ସଭାପତି ଭାବେ ବହୁ ବର୍ଷ ଦାୟିତ୍ୱ ତୁଲାଇଥିବା ସବାନାୟକନ୍ ଭାରତରେ କ୍ରୀଡ଼ା ସାମ୍ବାଦିକତାର ବିକାଶ ଦିଗରେ ବଡ଼ ଭୂମିକା ନିଭାଇ ଆସିଛନ୍ତି। ଇଂରାଜି ସମ୍ବାଦପତ୍ର ଦ ଟେଲିଗ୍ରାଫ୍ରେ କର୍ମମୟ ଜୀବନ ଆରମ୍ଭ କରିଥିବା ସବାନାୟକନ୍ ଦ ହିନ୍ଦୁରେ କାର୍ଯ୍ୟ କରି ଅବସର ନେଇଛନ୍ତି। ତାଙ୍କୁ ଉପସଭାପତି ପଦ ମିଳିବା ପରେ ସାରା ଦେଶର କ୍ରୀଡ଼ା ସାମ୍ବାଦିକ ମହଲରେ ଆନନ୍ଦ ଖେଳିଯାଇଛି। ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ସଭାପତି ସୁବୋଧ ମଲ୍ଲ ବରୁଆ ଏବଂ ସମ୍ପାଦକ ଏ ବିନୋଦଙ୍କ ସହ ବରିଷ୍ଠ ସଦସ୍ୟ ଜି ବିଶ୍ୱନାଥ ସବାନାୟକନ୍ଙ୍କୁ ବଧେଇ ଜଣେଇଛନ୍ତି। ୨୦୦୯ ମସିହାରୁ ଏଆଇପିଏସ୍ ଏସିଆ ସହ ଜଡ଼ିତ ଅଛନ୍ତି ସବାନାୟକନ୍। ଓଡ଼ିଶା ସହ ତାଙ୍କ ସମ୍ପର୍କ ନିଆରା। ତାଙ୍କ ପିତା ଏଠାରେ ଚାକିରି କରୁଥିବାରୁ କିଛି ଦିନ ସେ ଏଠାରେ କାଟିଥିଲେ। ପାଠପଢ଼ା ମଧ୍ୟ କିଛି ପରିମାଣରେ ଓଡ଼ିଶାରେ ହୋଇଛି। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ଜଣେ ଶୁଭେଚ୍ଛୁ ଭାବେ ସେ ସଦାବେଳେ ଓସଜାର ମାର୍ଗଦର୍ଶନ କରିଛନ୍ତି।
ଏଆଇପିଏସ୍ ଏସିିଆର ଉପସଭାପତି ହେଲେ ସବାନାୟକନ୍
/sambad/media/post_attachments/wp-content/uploads/2017/10/HMcDug8k_400x400.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)