ଦେବାଶିଷଙ୍କୁ ଆଇଟା ସିଏସ୍‌ ଦ୍ବିମୁକୁଟ

ଭୁବନେଶ୍ବର: ଅହମଦାବାଦରେ ଅନୁଷ୍ଠିତ ସର୍ବଭାରତୀୟ ଟେନିସ ସଂଘ (ଆଇଟା)ର ୧୮ ବର୍ଷରୁ କମ୍‌ ଚାମ୍ପିଅନସିପ୍ ସିରିଜ୍‌ରେ ଓଡ଼ିଆ ପୁଅ ଦେବାଶିଷ ସାହୁ ଦ୍ବିମୁକୁଟ ଅର୍ଜନ କରିଛନ୍ତି। ଏକକ ଓ ଯୁଗଳ ବର୍ଗରେ‌ ଏହି ଭୁବନେଶ୍ବର ବାଳକ ଟ୍ରଫି ଜିତି ନେଇଛନ୍ତି। ଏକକ ଫାଇନାଲ୍‌ରେ ଦେବାଶିଷ ମହାରାଷ୍ଟ୍ରର ଓମାର ରେହାନ ସୁମରଙ୍କୁ ୬-୨, ୬-୪ରେ ପରାସ୍ତ କରିଥିଲେ।

ଯୁଗଳ ବର୍ଗରେ ଗୁଜରାଟର ସ୍ମିତ୍‌ ପଟେଲଙ୍କୁ ସାଥି କରି ସେ ତାମିଲନାଡୁର ବିଶ୍ବସେନିନ୍‌ ଓ କ୍ରିସ୍‌ ପରୱେଲଙ୍କୁ ୨-୬, ୭-୫, ୧୦-୫ରେ ପରାସ୍ତ କରିଥିଲେ। ପ୍ରଥମ ଗେମ୍ ହାରିଯିବା ପରେ ଦେବାଶିଷ-ସ୍ମିତ୍‌ ଚମତ୍କାର ଭାବେ ପରବର୍ତ୍ତୀ ଦୁଇ ଗେମ୍‌କୁ ଟାଇବ୍ରେକରରେ ଜିତି ନେଇଥିଲେ। ସେହିଭଳି ଏହି ପ୍ରତିଯୋଗିତାର ଲ‌କ୍ଷ୍ନୌ ଚରଣର ୧୪ ବର୍ଷରୁ କମ୍ ବାଳିକା ଫାଇନାଲ୍‌ରେ କ୍ରିଷ୍ଣା ରାଜ ୬-୩, ୬-୦ରେ ପଶ୍ଚିମବଙ୍ଗର ତମନ୍ନା ସୋହାଙ୍କୁ ପରାସ୍ତ କରି ଟ୍ରଫି ଜିତିଛନ୍ତି। ଉଭୟ ଦେବାଶିଷ ଓ କ୍ରିଷ୍ଣା ଭୁବନେଶ୍ବରରେ ଫାରହାନ୍ ଟେନିସ୍ ଏକାଡେମିରେ ପ୍ରଶିକ୍ଷଣ ନେଇ ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଛନ୍ତି।

ସମ୍ବନ୍ଧିତ ଖବର