ନୂଆଦିଲ୍ଲୀ: ଗତ ଦିନିକିଆ ବିଶ୍ବକପ୍ରେ ଆଫ୍ଗାନିସ୍ତାନ ଚମତ୍କାର ପ୍ରଦର୍ଶନ ପଛରେ ପୂର୍ବତନ ଭାରତୀୟ କ୍ରିକେଟର୍ ଅଜୟ ଜାଡ଼େଜାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ଏହି କାର୍ଯ୍ୟ ପାଇଁ ଜାଡ଼େଜା କୌଣସି ପାଉଣା ନେବାକୁ ମନା କରିଦେଇଥିଲେ। ଆଫ୍ଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ସିଇଓ ନସୀବ ଖାନ ଏହା ଉପରୁ ପରଦା ଉଠାଇଛନ୍ତି। ସେ କହିଛନ୍ତି, ‘‘୨୦୨୩ ଦିନିକିଆ ବିଶ୍ବକପ୍ରେ ଜାଡ଼େଜାଙ୍କ କାର୍ଯ୍ୟ ପାଇଁ ଆମେ ଅନେକ ଥର ତାଙ୍କୁ ଅର୍ଥ ଯାଚିଛୁ। ହେଲେ ପ୍ରତ୍ୟେକ ଥର ଏହାକୁ ସେ ଏଡ଼ାଇ ଦେଇ କୁହନ୍ତି ‘ଯଦି ତୁମେ ଭଲ ଖେଳ, ଏହା ମୋ ପାଇଁ ଅର୍ଥ ଓ ପୁରସ୍କାର ସଦୃଶ’’। ଭାରତରେ ଆୟୋଜିତ ଏହି ବିଶ୍ବକପ୍ ପୂର୍ବରୁ ଜାଡ଼େଜାଙ୍କୁ ଏସିବି ନିଯୁକ୍ତି କରିଥିଲା। ତାଙ୍କ ତତ୍ତ୍ବାବଧାନରେ ଦଳ ପୂର୍ବତନ ବିଜେତା ଇଂଲଣ୍ଡ ଓ ପାକିସ୍ତାନ ସହ ବାଂଲାଦେଶକୁ ପରାସ୍ତ କରିଥିଲା। ଗ୍ଲେନ୍ ମ୍ୟାକ୍ସୱେଲ ଅବିଶ୍ବସନୀୟ ଦ୍ବିଶତକ ଆଫ୍ଗାନିସ୍ତାନ ଅଭିଯାନରେ ରୋକ ଲଗାଇଥିଲା। ୫୩ ବର୍ଷୀୟ ଜାଡ଼େଜା ଭାରତ ପକ୍ଷରୁ ୧୯୬ ଦିନିକିଆ ଖେଳି ୩୭.୪୭ ହାରରେ ୫୩୫୯ ରନ୍ କରିଛନ୍ତି। ଏଥିରେ ୬ ଶତକ ଓ ୩୦ ଅର୍ଦ୍ଧଶତକ ରହିଛି। ଏଥିସହ ୧୯୯୨ରୁ ୨୦୦୦ ମଧ୍ୟରେ ୧୫ ଟେଷ୍ଟ୍ ମ୍ୟାଚ୍ ଖେଳି ୨୬.୧୮ ହାରେ ୫୭୬ ରନ୍ କରିଛନ୍ତି।
ବିନା ପାରିଶ୍ରମିକରେ ଅଫ୍ଗାନିସ୍ତାନ କ୍ରିକେଟ୍ର ସେବା କରିଛନ୍ତି ଅଜୟ ଜାଡ଼େଜା
/sambad/media/post_attachments/wp-content/uploads/2024/06/fhhshsfsfhsfh.jpg)