ଅଳିଆ ପକାଇ ଅଜୟ ଜାଦେଜା ଦଣ୍ଡିତ

ପଣଜୀ: ଉତ୍ତର ଗୋଆ‌ର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଆଲଦୋନା ଗାଁରେ ଥିବା ନିଜ ବଙ୍ଗଳାରୁ ବାହାରିଥିବା ଅଳିଆ ଆବର୍ଜନାକୁ ନାଚିନୋଲା ନାମକ ଏକ ପାଖ ଗାଁରେ ପକାଇ ପୂର୍ବତନ ଭାରତୀୟ କ୍ରିକେଟର୍‌ ଅଜୟ ଜାଦେଜା ହରଡ଼ଘଣାରେ ପଡ଼ିଛନ୍ତି। ଗ୍ରାମପଞ୍ଚାୟତ ତରଫରୁ ତାଙ୍କୁ ୫,୦୦୦ ଟଙ୍କା ଜରିମାନା କରାଯାଇଛି। ସରପଞ୍ଚ ତୃପ୍ତି ବନ୍ଦୋକର କହିଛନ୍ତି ଯେ ଅଳିଆକୁ ନେଇ ଆମେ ଗତ କିଛି ମାସ ହେବ ବହୁ ସମସ୍ୟାର ସମ୍ମୁଖୀନ ହେଉଛୁ। ପାଖ ଗାଁର ଲୋକ ବି ଆମ ଗାଁରେ ଅଳିଆ ପକାଇ ଚାଲିଯାଉଛନ୍ତି।

ଏଣୁ ଆମେ ଏହା ଉପରେ ନଜର ରଖିବାକୁ କିଛି ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରିଛୁ। ସେମାନେ ଅଳିଆ ଭର୍ତ୍ତି ବ୍ୟାଗ୍‌କୁ ଆଣି ତାହା କେଉଁଠାରୁ ଆସିଛି ସେ ବିଷୟ ଆମକୁ ଜଣାଉଛନ୍ତି। ଗୋଟିଏ ବ୍ୟାଗରେ ଅଜୟ ଜାଦେଜାଙ୍କ ନାମରେ ଏକ ବିଲ୍ ମିଳିଥିଲା। ଆମେ ଯେତେବେଳେ ଆମ ଗାଁରେ ଅଳିଆ ନପାଇବାକୁ ତାଙ୍କୁ କହିଲୁ, ସେତେବେଳେ ସେ ଜରିମାନା ଦେବାକୁ ରାଜି ଅଛନ୍ତି ବୋଲି କହିଲେ। ସେଥିପାଇଁ ତାଙ୍କୁ ୫,୦୦୦ ଟଙ୍କା ଜରିମାନା କରାଯାଇଥିଲା। ଆମେ ଅତ୍ୟନ୍ତ ଗର୍ବିତ ଯେ ଏତେବଡ଼ କ୍ରିକେଟର ଆମ ଗାଁରେ ରହୁଛନ୍ତି। ହେଲେ ସେମାନେ ଅଳିଆ ପକାଇଲା ବେଳେ ଗାଁ’ର ନିୟମକାନୁନକୁ ପାଳନ କରିବା ଉଚିତ। ସୂଚନାଯୋଗ୍ୟ ଯେ ଆଲ‌ଦୋନା ଗାଁରେ ଜାଦେଜାଙ୍କ ସହ ‌ ‌ ଲେଖକ ଅମିତାଭ ଘୋଷଙ୍କ ଭଳି ସେଲିବ୍ରେଟି ରହୁଛନ୍ତି। ସୂଚନାଯୋଗ୍ୟ ଯେ ନବେ ଦଶକର ଅନ୍ୟତମ ଲୋକପ୍ରିୟ କ୍ରିକେଟର ଅଜୟ ଜାଦେଜା ଭାରତ ପକ୍ଷରୁ ୧୫ ଟେଷ୍ଟ୍ ଓ ୧୯୬ ଦିନିକିଆ ଖେଳିଛନ୍ତି।

ସମ୍ବନ୍ଧିତ ଖବର