ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଲାଗି କ’ଣ ପାଇଁ ଜଣେ ମାର୍ଗଦର୍ଶକର ଆବଶ୍ୟକତା ପଡ଼ିଲା ବୋଲି ପୂର୍ବତନ ଭାରତୀୟ ଖେଳାଳି ଅଜୟ ଜାଦେଜା ପ୍ରଶ୍ନ କରିଛନ୍ତି। ରାତାରାତି କ’ଣ ଘଟିଲା ଯେ ଏଭଳି ଅଭିନବ ନିଯୁକ୍ତି କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବୁଧବାର ବିସିସିଆଇ ୧୫ ଜଣିଆ ଭାରତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳ ଘୋଷଣା ବେଳେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ମାର୍ଗଦର୍ଶକ ନିଯୁକ୍ତ କରାଗଲା ବୋଲି ଦର୍ଶାଇଥିଲା। ଧୋନିଙ୍କ ପ୍ରଶଂସକଙ୍କୁ ଏହା ଉଲ୍ଲସିତ କରିଥିଲେ ମଧ୍ୟ ବିସିସିଆଇର ଏଭଳି ଚାଲ୍ ଜାଦେଜାଙ୍କ ପାଇଁ ଅବୁଝା ରହିଛି। କ୍ରିକେଟର୍ରୁ ଭାଷ୍ୟକାର ପାଲଟିଥିବା ଜାଦେଜା କହିଛନ୍ତି, ‘ମୋ ପାଇଁ ଏହା ବୁଝିବା ଅସମ୍ଭବ। ମୁଁ ଦୁଇ ଦିନ ହେବ ଭାବୁଛି ଏହା ପଛରେ କ’ଣ ଚିନ୍ତା ଥାଇପାରେ। ମୁଁ ଏମ୍ଏସ୍ ଧୋନିଙ୍କ କଥା କହୁନାହିଁ।
ସେ କିଭଳି ଦଳ ପାଇଁ ଫଳପ୍ରଦ ହେବେ ମୁଁ କହୁନାହିଁ। ମୁଁ ଆଦୌ ଆଶ୍ଚର୍ଯ୍ୟ ନୁହେଁ, ମୁଁ ଏମ୍ଏସ୍ ଧୋନିଙ୍କର ଜଣେ ବଡ଼ ପ୍ରଶଂସକ। ମୋର ବିଶ୍ବାସ ସେ ପ୍ରଥମ ଅଧିନାୟକ ଯିଏ ପଦ ଛାଡ଼ିବା ପୂର୍ବରୁ ପରବର୍ତୀ ଅଧିନାୟକ ଗଢ଼ିକରି ଯାଇଥିଲେ। ଆବଶ୍ୟକତା ଅନୁସାରେ ଦଳକୁ ବଦଳାଉଥିଲେ। ଜାଦେଜାଙ୍କ ଯୁକ୍ତି ହେଲା ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଅଧିନରେ ଭଲ ଖେଳୁଛି। ସେହି ଦୃଷ୍ଟିରୁ ବିଶ୍ବକପ୍ ପାଇଁ ମାର୍ଗଦର୍ଶକର ଆବଶ୍ୟକତା ନଥିଲା। ଦଳରେ ଏଭଳି ଜଣେ ପ୍ରଶିକ୍ଷକ ଅଛନ୍ତି ଯିଏ ଦେଶକୁ ଏକ ନମ୍ବର କରିଛନ୍ତି। ରାତାରାତି କ’ଣ ଘଟିଲା ଯେ ଜଣେ ମାର୍ଗଦର୍ଶକର ଆବଶ୍ୟକତା ପଡ଼ିଲା’ ବୋଲି ଜାଦେଜା ପଚାରିଛନ୍ତି।