ଅଜୟଙ୍କ ଦ୍ବିଶତକ: ଭାରତର ବିଜୟ ଜାରି

ଭୁବନେଶ୍ବର: ଜାମାଇକା ଗସ୍ତରେ ଥିବା ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ଦଳ ଆୟୋଜକ ଜାମାଇକା ବିପକ୍ଷରେ ବିଜୟ ଜାରି ରଖି ୨-୦ରେ ଶୃଙ୍ଖଳା ଆଗୁଆ ହୋଇଛି। ଏହି ବନ୍ଧୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଦୃଷ୍ଟିହୀନ କ୍ରିକେଟ୍ ଭାରତ ସୋମବାର ଦ୍ବିତୀୟ ମ୍ୟାଚ୍‌କୁ ୧୭୯ ରନ୍‌ ଜିତି ନେଇଛି। ପ୍ରଥମ ଦୁଇ ୱିକେଟ୍‌ ମାତ୍ର ୨୧ ରନ୍‌ରେ ହରାଇବା ପରେ ଚତୁର୍ଥ ସ୍ଥାନରେ ବ୍ୟାଟିଂକୁ ଆସିଥିବା ଅଜୟ ରେଡ୍ଡୀ (୨୧୪, ୧୧୨ ବଲ୍‌)ଙ୍କ ଛକା ଓ ଚୌକା ବର୍ଷା ଭରା ଅପରାଜିତ ଦ୍ବିଶତକ ସାଙ୍ଗକୁ ଦୁର୍ଗା ରାଓ (୧୩୪, ୮୭ ବଲ୍‌) ଶତକୀୟ ପାଳି ବଳରେ ଭାରତ ନିର୍ଧାରିତ ୩୩ ଓଭରରେ ୪୧୫/୨ କରିଥିଲା। ଏତେ ବଡ଼ ସ୍କୋର୍‌କୁ ପିଛା କରି ଜାମାଇକା ଦଳ ୨୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦ୍ବିଶତକ ସହ ୪/୨୯ ବୋଲିଂ ସଫଳତା ପାଇଥିବା ଅଜୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଅଲରାଉଣ୍ଡର ମହମ୍ମଦ ଜାଫର ଇକବାଲ ଗୋଟିଏ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର