ଏଜ୍‌ବାଷ୍ଟନରେ ଅଶ୍ୱିନ୍‌ ଚମକ

ପ୍ରଥମ ଦିନ ଇଂଲଣ୍ଡ ୨୮୫/୯

ବର୍ମିଂହାମ: ବର୍ମିଂହାମ୍‌ର ଏଜ୍‌ବାଷ୍ଟନ୍‌ଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନରେ ଘରୋଇ ଇଂଲଣ୍ଡ ୯ ଓ୍ଵିକେଟ୍‌ ବିନିମୟରେ ୨୮୫ ରନ୍‌ କରିଛି। ଭରତୀୟ ବୋଲର ପ୍ରଥମ ଦିନରେ ହିଁ ପ୍ରଭାବଶାଳୀ ପ୍ରଦର୍ଶନ କରି ଇଂଲଣ୍ଡର ୯ ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ୍‌ ଫେରାଇ ଦେଇଛନ୍ତି। ତେବେ ଯୁବ ତାରକା ସାମ୍‌ କୁରାନ (୨୪*, ୬୭ ବଲ୍‌)ଙ୍କ ତୀବ୍ର ପ୍ରତିରୋଧ ପାଇଁ ଇଂଲଣ୍ଡ ଅଳ୍ପକେ ଅଲଆଉଟ୍‌ ହେବାରୁ ବର୍ତି ଯାଇଛି। ବୁଧବାର ଷ୍ଟମ୍ପ୍‌ସ ଅପସାରଣ୍‌ ବେଳକୁ ସାମ୍‌ଙ୍କ ସହ ଜେମ୍ସ ଆଣ୍ଡରସନ୍‌ (୦*, ୯ ବଲ୍‌) ଅପରାଜିତ ରହିଛନ୍ତି। ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ (୨୫-୭-୬୦-୪)ଙ୍କ ସହ ମହମ୍ମଦ ସାମି (୧୯-୨-୬୪-୨) ଚମତ୍କାର ବୋଲିଂ କରିଥିଲେ। ଇଂଲଣ୍ଡ ଅବଶ୍ୟ ଅଧିନାୟକ ଜୋ ରୁଟ୍‌ (୮୦), ମଧ୍ୟକ୍ରମ ତାରକା ଜନି ବେୟାରଷ୍ଟୋ (୭୦)ଙ୍କ ଅର୍ଧଶତକ ସହ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ କେଟନ ଜେନିଙ୍ଗ୍ସଙ୍କ ୪୨ ରନ୍‌ ବଳରେ ସମ୍ମାନଜନକ ସ୍ଥିତିରେ ପହଞ୍ଚି ଯାଇଥିଲା। ୯ ଓ୍ଵିକେଟ୍‌ ଅକ୍ତିଆର କରିଥିବାରୁ ପ୍ରଥମ ଦିନର ଖେଳ କିନ୍ତୁ ଭାରତୀୟ ବୋଲରଙ୍କ ନାଁରେ ରହିଥିଲା। ଟସ୍‌ ଜିତି ବ୍ୟାଟିଂ କରିବା ପରେ ନବମ ଓଭରରେ ଅଶ୍ୱିନ ଅଭିଜ୍ଞ ଆଲେଷ୍ଟର କୁକ୍‌ଙ୍କ ଖାଡ଼ି ଉଡ଼ାଇ ଇଂଲଣ୍ଡକୁ ପ୍ରଥମ ଝଟ୍‌କା ଦେଇଥିଲେ। ଫଳରେ ଅଧିନାୟକ ରୁଟ୍‌ ଓ ଜେନିଙ୍ଗ୍ସ ପାଳି ଆଗେଇ ନେଇଥିଲେ। ହେଲେ ବିପଜ୍ଜନକ ହେବା ପୂର୍ବରୁ ଜେନିଙ୍ଗ୍ସଙ୍କୁ ବୋଲ୍ଡ କରି ସାମି ଘରୋଇ ଦଳକୁ ଦ୍ୱିତୀୟ ଝଟ୍‌କା ଦେଇଥିଲେ। ସେହିଭଳି ୧୪ ରନ୍‌ ପରେ ଡେଓ୍ଵିଡ୍‌ ମଲାନ (୮)ଙ୍କୁ ସେ ନିଜ ଦ୍ୱିତୀୟ ଶିକାର କରି ନେଇଥିଲେ। ରୁଟ୍‌ କିନ୍ତୁ ନିଜ ଚେର ଜମାଇ ଦେଇଥିଲେ। ୪୧ତମ ଅର୍ଧଶତକ ଅର୍ଜନ କରି ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ। ତାଙ୍କ ସହ ଜନି ବେୟାରଷ୍ଟୋ (୭୨) ଲଢ଼ୁଆ ବ୍ୟାଟିଂ କରିଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍‌ରେ ମହତ୍ୱପୂର୍ଣ୍ଣ ୧୦୪ ରନ୍‌ ଯୋଡ଼ି ନେଇଥିଲେ। ରୁଟ୍‌ ଧିରେ ଧିରେ ଚର୍ତୁଦଶ ଶତକ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ସିଧା ଥ୍ରୋରେ ତାଙ୍କ ଚମକପ୍ରଦ ପାଳିରେ ପୂର୍ଣ୍ଣଛେଦ ଟାଣି ଦେଇଥିଲେ। ରୁଟ୍‌ଙ୍କ ଓ୍ଵିକେଟ୍‌ ରନ୍‌ଆଉଟ୍‌ରେ ଉପୁଡ଼ିବା ପରେ ଇଂଲଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବେୟାରଷ୍ଟୋ ଏବଂ ଜୋସ୍‌ ବଟଲର (୦) ୪ ବଲ୍‌ ଭିତରେ ନିଜ ନିଜ ଓ୍ଵିକେଟ୍‌ ଫିଙ୍ଗି ଦେଇଥିଲେ। ପରେ ଅଶ୍ୱିନ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ (୨୧)ଙ୍କୁ କଟ୍‌ ଆଣ୍ଡ ବୋଲ୍ଡ କରିଥିଲେ। ଇଂଲଣ୍ଡ ୨୭ ରନ୍‌ରେ ୪ ଓ୍ଵିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଇଂଲଣ୍ଡ ମଧ୍ୟାହ୍ନ ଭୋଜନ ବେଳକୁ ଗୋଟିଏ, ଚା’ ପାନ ବିରତି ବେଳକୁ ତିନିଟି ଓ୍ଵିକେଟ୍‌ ଏବଂ ଶେଷ ଅଧିବେଶନରେ ଭାରତୀୟ ବୋଲରଙ୍କୁ ୫ ଓ୍ଵିକେଟ୍‌ ଦେଇଥିଲା।

ସମ୍ବନ୍ଧିତ ଖବର