ଆଝାରେଙ୍କା, କାସାତ୍‌କିନା ବିଦା:ଜୋକୋଭିକ୍‌, ଜେରଭ୍‌, ହାଲେପ୍‌, ସେରେନା ଆଗେଇଲେ

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ‘ଅଷ୍ଟ୍ରେଲିଆନ୍‌ ଓପନ୍‌’ ଟେନିସ୍‌ ପ୍ରତିଯୋଗିତାରେ ସୋମବାର ପ୍ରଥମ ଦିବସ ଭଳି ମଙ୍ଗଳବାର ଦ୍ବିତୀୟ ଦିନରେ ମଧ୍ୟ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମ ଦିନ ଆଣ୍ଡି ମରେ ଓ ଜନ୍‌ ଇଜ୍‌ନର ଆରମ୍ଭରୁ ବିଦା ହୋଇଯାଇଥିଲା ବେଳେ ଦ୍ବିତୀୟ ଦିନ ପୂର୍ବତନ ଶୀର୍ଷ ଖେଳାଳି ତଥା ୨ ଥର ବିଜୟିନୀ ଭିକ୍ଟୋରିଆ ଆଝାରେଙ୍କାଙ୍କ ସାଙ୍ଗକୁ ଦଶମ ମାନ୍ୟତା ଦାରିଆ କାସାତ୍‌କିନା ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ବେଲାରୁଷ ଲଳନା ଆଝାରେଙ୍କାଙ୍କୁ ୬-୭, ୬-୪, ୬-୨ ସେଟ୍‌ରେ ଲାଉରା ସିଗେମୁଣ୍ଡ୍‌ ଏବଂ ରୁଷିଆର କାସାତକିନାଙ୍କୁ ସିଧାସଳଖ ୬-୩, ୬-୦ ସେଟ୍‌ରେ ତିମିଆ ବାକ୍‌ସିଜ୍‌କି ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଏଥି ସହିତ ଉଭୟ ସିଗେମୁଣ୍ଡ୍‌ ଓ ବାକ୍‌ସିଜ୍‌କି ଦ୍ବିତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ତେବେ ମହିଳା ଏକକରେ ଶୀର୍ଷ ମାନ୍ୟତା ସିମୋନା ହାଲେପ, ପୂର୍ବତନ ‌ଶୀର୍ଷ ଖେଳାଳି ସେରେନା ୱିଲିୟମ୍ସ (ଷୋଡ଼ଶ), ନିଓମି ଓସ୍‌କା (ଚତୁର୍ଥ), ଏଲିନା ସ୍ବିତୋଲିନା (ଷଷ୍ଠ), କାରୋଲିନା ପ୍ଲିସକୋଭା (ସପ୍ତମ), ଭେନସ୍‌ ୱିଲିୟମ୍ସ ପ୍ରଥମ ପର୍ଯ୍ୟାୟ ବାଧା ପାରି କରିଛନ୍ତି। ହାଲେପ୍‌ ୬-୭, ୬-୪, ୬-୨ ସେଟ୍‌ରେ କାଇକି ମାନେପିଙ୍କୁ, ସେରେନା ୬-୦, ୬-୨ ସେଟ୍‌ରେ ତାଜ୍‌ନା ମାରିଆଙ୍କୁ, ଓସ୍‌କା ୬-୪, ୬-୨ ସେଟ୍‌ରେ ମାଗ୍‌ଦା ଲନେଟ୍‌ଙ୍କୁ, ସ୍ବିତୋଲିନା ୬-୧, ୬-୨ ସେଟ୍‌ରେ ଭିକ୍ଟୋରିଆ ଗୁଲ୍‌ବିକ୍‌ଙ୍କୁ, ପ୍ଲିସକୋଭା ୬-୩, ୬-୨ ସେଟ୍‌ରେ କାରୋଲିନା ମୁଚୋଭାଙ୍କୁ, ଭେନସ୍‌ ୬-୭, ୭-୬, ୬-୨ ସେଟ୍‌ରେ ମିହିଲା ବୁଜାରନେସୁଙ୍କୁ ହରାଇଥିଲେ। ମାଡିସନ୍‌ କିଜ୍‌, ଗାର୍ବିନା ମୁଗୁରୁଜା ଏଲିସ୍‌ ମର୍ତେନ୍ସ ମଧ୍ୟ ପ୍ରଥମ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି।
ପୁରୁଷ ଏକକରେ ଶୀର୍ଷ ଖେଳାଳି ନୋଭାକ ଜୋକୋଭିକ, ଆଲେକ୍‌ଜାଣ୍ଡର ଜେରଭ (ଚତୁର୍ଥ), ଡୋମିନିକ୍‌ ଥିମ୍‌ (ସପ୍ତମ) ଏବଂ କେଇ ନିଶିକୋରି (ଅଷ୍ଟମ) ବିଜୟୀ ହୋଇ ଦ୍ବିତୀୟ ପର୍ଯ୍ୟାୟ‌ରେ ପହଞ୍ଚିଛନ୍ତି। ଜୋକୋଭିକ ୬-୩, ୬-୨, ୬-୨ ସେଟ୍‌ରେ ମିଚେଲ୍‌ କ୍ରୁଏଗରଙ୍କୁ, ଜେରଭ ୬-୪, ୬-୧, ୬-୪ ସେଟ୍ରେ ଅଲ୍‌ଜାଜ୍‌ ବେଦିନିଙ୍କୁ, ଥିମ୍‌ ୬-୪, ୬-୩, ୫-୭, ୧-୬, ୬-୩ ସେଟ୍‌ରେ ବିନଏଟ୍‌ ପାଇରେଙ୍କୁ ଏବଂ ନିଶିକୋରି ୩-୬, ୬-୭, ୬-୦, ୬-୨, ୩-୦ ସେଟ୍‌ରେ କାମିଲ୍‌ ମାଜଚର୍ଜାକଙ୍କୁ ପରାସ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷୋଡ଼ଷ ମାନ୍ୟତା ମିଲୋସ ରାଓନିକ୍‌, ଷ୍ଟାନ୍‌ ୱାରିଙ୍କା ଏବଂ ଫାବିଓ ଫୋଗ୍‌ନିନି ନିଜନିଜ ମ୍ୟାଚ୍‌ ଜିତି ଦ୍ବିତୀୟ ପର୍ଯ୍ୟ‌ାୟରେ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର