କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ସିଜିନର ଠିକ୍ ପୂର୍ବରୁ, କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଫ୍ରାଞ୍ଚାଇଜ୍ ଏକ ବଡ଼ ଘୋଷଣା କରିଛି। କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କୁ ଦଳର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି କେକେଆର। ଏହା ସହ ଭେଙ୍କଟେଶ ଆୟରଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି।

Advertisment

ଆଜିଙ୍କ୍ୟ ରାହାଣେ ଟି-୨୦ରେ କେକେଆରର ୯ମ ଅଧିନାୟକ। ତାଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲି (୨୭ ମ୍ୟାଚ୍), ବ୍ରେଣ୍ଡନ ମ୍ୟାକ୍କୁଲ (୧୩ ମ୍ୟାଚ୍), ଗୌତମ ଗମ୍ଭୀର (୧୨୨ ମ୍ୟାଚ୍), ଜ୍ୟାକ୍ସ କାଲିସ (୨ ମ୍ୟାଚ୍), ଦିନେଶ କାର୍ତ୍ତିକ (୩୭ ମ୍ୟାଚ୍), ଇଓନ ମାର୍ଗନ (୨୪ ମ୍ୟାଚ୍), ଶ୍ରେୟସ ଅୟର (୨୯ ମ୍ୟାଚ୍) ଏବଂ ନୀତିଶ ରାଣା (୧୪ ମ୍ୟାଚ୍) ଅଧିନାୟକତ୍ୱ କରିସାରିଛନ୍ତି। ଆଜିଙ୍କ୍ୟ ରାହାଣେ ଗତ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦଳ ପାଇଁ ଖେଳିଥିଲେ। ଏହା ପରେ ସିଏସକେ ତାଙ୍କୁ ମୁକ୍ତ କରିଥିଲା। ଆଇପିଏଲ-୨୦୨୫ର ମେଗା ନିଲାମରେ, କୋଲକାତା ରାହାଣେଙ୍କୁ ବେସ୍ ପ୍ରାଇସରେ କିଣିଥିଲା। ତାଙ୍କର ବେସ୍ ପ୍ରାଇସ୍ ଥିଲା ୧.୫୦ କୋଟି ଟଙ୍କା।

ଅନ୍ୟପକ୍ଷରେ, ଭେଙ୍କଟେଶ ଅୟରଙ୍କୁ ଫ୍ରାଞ୍ଚାଇଜ୍ ଗତଥର ମୁକ୍ତ କରିଥିଲା। କିନ୍ତୁ ମେଗା ନିଲାମରେ ତାଙ୍କୁ ପୁଣି ଥରେ କିଣିଥିଲା କେକେଆର। ଭେଙ୍କଟେଶଙ୍କୁ କିଣିବା ପାଇଁ କେକେଆର ୨୩.୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ବର୍ତ୍ତମାନ, ଭେଙ୍କଟେଶ ଦଳର ସବୁଠାରୁ ମହଙ୍ଗା ଖେଳାଳି।