ନୂଆଦିଲ୍ଲୀ: ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ଦଳର ଅଧିନାୟକ କରାଯାଇଥିଲା। ସୂର୍ଯ୍ୟକୁମାର ଯାଦବ ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ହେବେ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିବା ବେଳେ ଟି-୨୦ ଫର୍ମାଟରୁ ଅବସର ନେଇଥିଲେ ରୋହିତ। ଏହି ଟୁର୍ନାମେଣ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଉପ-ଅଧିନାୟକ ଥିଲେ। ଏହାପୂର୍ବରୁ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଥିଲେ। ତେଣୁ ରୋହିତ ଶର୍ମାଙ୍କ ଅବସର ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯିବ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ।
ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ କରିବା ନିଷ୍ପତ୍ତି ଉପରେ ଅନେକ ପ୍ରଶ୍ନ ଉଠିଥିଲା। ବର୍ତ୍ତମାନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଅଜିତ ଅଗରକର କହିଛନ୍ତି ଯେ, "ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ପାଇଁ ଯୋଗ୍ୟ। ସେ ଜଣେ ଶ୍ରେଷ୍ଠ ଖେଳାଳି। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆମ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିନ୍ତୁ ଅଧିନାୟକ ବାଛିବା ବେଳେ ଆମ ପାଇଁ ଫିଟନେସ୍ ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଫିଟନେସ୍ ସମ୍ବନ୍ଧୀୟ ସମସ୍ୟା ସହ ଲଢ଼ୁଛନ୍ତି। ତେଣୁ ଆମେ ସେହି ଖେଳାଳିଙ୍କୁ ଅଧିନାୟକ କରିବାକୁ ଚାହିଁଲୁ, ଯିଏ ପ୍ରାୟ ସବୁବେଳେ ଉପଲବ୍ଧ ରହିପାରିବେ। ସେଥିପାଇଁ ଆମେ ସୂର୍ଯ୍ୟକୁମାରଙ୍କୁ ବାଛିଛୁ। ସେ ଅଧିକ ମ୍ୟାଚ୍ ଖେଳିପାରିବା ସହ ସବୁ ପ୍ରକାରର ମ୍ୟାଚ୍ ଖେଳିପାରିବେ।"