ପରଦେଶରେ ସଫଳ ଅଧିନାୟକ ଅଜିତ ଅନନ୍ତ

ଅଜିତ୍‌ ଲକ୍ଷ୍ମଣ ଓ୍ଵାଦେକର ୧୯୪୧ - ୨୦୧୮

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ହରାଇବାର ଗୋଟିଏ ଦିନ ପୂର୍ବରୁ ଦେଶ ମଧ୍ୟ ମହାନ କ୍ରିକେଟର୍‌ ଅଜିତ ଓ୍ଵାଦେକରଙ୍କୁ ହରାଇଛି। ଯେଉଁ ଅଗଷ୍ଟ ମାସ ଭାରତ ସ୍ୱାଧୀନତାର ସ୍ମ୍‌ୃତି ରଖିଛି ସେହି ଅଗଷ୍ଟରେ ବି ଭାରତୀୟ କ୍ରିକେଟ୍‌ର ବିଦେଶ ମାଟି ସଫଳତାର ଛାପ ରହିଛି। ଏବେ ସେହି ପବିତ୍ର ମାସ ଓ ସ୍ମରଣୀୟ ସ୍ୱାଧୀନତା ଦିବସରେ ହିଁ ଦେଶ ହରାଇଛି ବିଦେଶ ମାଟିରେ ସଫଳ କ୍ରିକେଟ୍‌ କର୍ଣ୍ଣଧାର ଓ୍ଵାଦେକରଙ୍କୁ। ଭାରତୀୟ କ୍ରିକେଟ୍‌କୁ ନୂଆ ଶିଖରରେ ପହଞ୍ଚାଇଥିବା ପୂର୍ବତନ ଅଧିନାୟକ ଓ୍ଵାଦେକରଙ୍କର ବୁଧବାର ମୁମ୍ବାଇରେ ୭୭ ବର୍ଷ ବୟସରେ ପରଲୋକ ହୋଇଛି। ପତ୍ନୀ ରେଖା, ୨ ପୁଅ ଏବଂ କନ୍ୟାକୁ ଛାଡ଼ିଯାଇଛନ୍ତି ଓ୍ଵାଦେକର। ଲଗାତାର ଦ୍ୱିତୀୟ ଦିବସରେ ମହାନାୟକଙ୍କୁ ହରାଇ ଭାରତ ମଧ୍ୟ ଶୋକରେ ବୁଡ଼ିଛି। ଭାରତୀୟ କ୍ରିକେଟ୍‌ରେ ପୁନଃଜାଗରଣ ଆଣିଥିବା ଅଜିତ ଓ୍ଵାଦେକର ଦୀର୍ଘ ଦିନର ଅସୁସ୍ଥତା ପରେ ବୁଧବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର େଓ୍ଵଷ୍ଟଇଣ୍ଡିଜ୍‌ ଏବଂ ଇଂଲଣ୍ଡରେ ଟେଷ୍ଟ୍‍ ଶୃଙ୍ଖଳା ଜିତିଥିଲା। ତାଙ୍କ ଏକମାତ୍ର ଶତକ ବଳରେ ଭାରତ ମଧ୍ୟ ନ୍ୟୁଜିଲାଣ୍ଡକୁ ହରାଇ ବିଦେଶ ମାଟିରେ ସର୍ବପ୍ରଥମ ଟେଷ୍ଟ୍‍ ଶୃଙ୍ଖଳା ବିଜୟ ପାଇଥିଲା। ଭାରତ ପାଇଁ ୩୭ ଟେଷ୍ଟ୍‍ ଖେଳି ୩୧.୦୭ ହାରରେ ୨୧୧୩ ରନ୍‌ କରିଥିବା ଓ୍ଵାଦେକର ସେହି ଏକମାତ୍ର ମ୍ୟାଚ୍‌ ବିଜୟୀ ଶତକ (୧୪୩) େଓ୍ଵଲିଂଟନ୍‌ ଟେଷ୍ଟ୍‍ରେ ହାସଲ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୨୩୭ ମ୍ୟାଚ୍‌ ଖେଳି ସେ ୧୫,୩୮୦ ରନ୍‌ କରିଥିଲେ। ୧୯୬୭-୬୮ ନ୍ୟୁଜିଲାଣ୍ଡ୍‌ ଗସ୍ତର ଏହି ସଫଳତା ପରେ ହିଁ ଓ୍ଵାଦେକର ଅଧିନାୟକ ଦୌଡ଼ରେ ସାମିଲ ହୋଇଥିଲେ। ସେତେବେଳେ ମନସୁର୍‌ ଅଲୀ ଖାନ୍‌ ପଟୌଦୀଙ୍କ ଅଧିନରେ ଭାରତ ବିଶ୍ୱ କ୍ରିକେଟ୍‌ରେ ପ୍ରାଧାନ୍ୟ ଆରମ୍ଭ କରୁଥିଲା। ପଟୌଦୀଙ୍କ ଅନୁପସ୍ଥିତିରେ ୧୯୭୦-୭୧ ମସିହାରେ େଓ୍ଵଷ୍ଟଇଣ୍ଡିଜ୍‌ ଗସ୍ତ କରିଥିବା ଓ୍ଵାଦେକରଙ୍କ ଦଳ ୧-୦ରେ ସାର୍‌ ଗାରିଫିଲ୍‌ଡ ସୋବର୍ସଙ୍କ ଦଳକୁ ପରାସ୍ତ କରି ଶୃଙ୍ଖଳା ଜିତିଥିଲା। ଦିଲ୍ଲୀପ ସରଦେଶାଇ ଏବଂ ପ୍ରଥମ ପଦାର୍ପଣକାରୀ ସୁନୀଲ ଗାଭାସ୍କରଙ୍କ ବ୍ୟାଟିଂ ବଳରେ ଏହା ସମ୍ଭବ ହୋଇଥିଲା। ସେହିଭଳି ଇଂଲଣ୍ଡ ଗସ୍ତର ଓଭାଲ୍‌ ଟେଷ୍ଟ୍‍ରେ ଭଗବତ ଚନ୍ଦ୍ରଶେଖରଙ୍କ ୬/୩୮ ବୋଲିଂ ଚିତ୍ର ବଳରେ ଓ୍ଵାଦେକରଙ୍କ ଦଳ ମଧ୍ୟ ସମାନ ୧-୦ ବ୍ୟବଧାନରେ ଶୃଙ୍ଖଳା ଜିତି ଇତିହାସ ରଚିଥିଲା।

୧୯୭୨-୭୩ରେ ଘରୋଇ ପରିବେଶରେ ମଧ୍ୟ ଓ୍ଵାଦେକରଙ୍କ ଦଳ ଆଉ ଏକ ଟେଷ୍ଟ୍‍ ଶୃଙ୍ଖଳା ଜିତିଥିଲା। କିନ୍ତୁ ୧୯୭୪ ଇଂଲଣ୍ଡ ଗସ୍ତରେ ୦-୩ରେ ପରାଜୟ ତାଙ୍କ ଖେଳ ଜୀବନର ଅନ୍ତ ଘଟାଇଥିଲା। ଲର୍ଡସରେ ମାତ୍ର ୪୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଭାରତ। ଯାହାକି ଏବେ ବି ଭାରତର ସର୍ବନିମ୍ନ ଟେଷ୍ଟ୍‍ ସ୍କୋର୍‌ ହୋଇରହିଛି। ଗସ୍ତ ପରେ ଓ୍ଵାଦେକର ଅଧିନାୟକ ପଦରୁ ବିତାଡିତ ହୋଇଥିଲେ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଯାଇଥିଲେ। ସେ ମାତ୍ର ୨ ଦିନିକିଆ ଖେଳିଥିଲେ ମଧ୍ୟ ଦେଶର ପ୍ରଥମ ଦିନିକିଆ ଅଧିନାୟକ ଥିଲେ। ୧୯୯୨ରେ ମଧ୍ୟ ଓ୍ଵାଦେକର ଭାରତୀୟ ଦଳର ପ୍ରଥମ ଆନୁଷ୍ଠାନିକ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲେ। ଇଂଲଣ୍ଡକୁ ତାଙ୍କ ପ୍ରଶିକ୍ଷିତ ଦଳ ୩-୦ରେ ଘରୋଇ ମାଟିରେ ହରାଇଥିଲା। ୨୦୧୧ ମସିହାରେ ବିସିସିଆଇ ତାଙ୍କୁ ଜୀବନବ୍ୟାପୀ ସେବା ପୁରସ୍କାର ସ୍ୱରୂପ ସିକେ ନାଇଡୁ ଟ୍ରଫି ପ୍ରଦାନ କରିଥିଲା। ତାଙ୍କ ପ୍ରବଂଧକ ଦାୟିତ୍ୱ ସମୟରେ ୧୯୯୬ ବିଶ୍ୱକପ୍‌ରେ ଭାରତ ସେମିଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲା। ପରବର୍ତୀ ସମୟରେ ମଧ୍ୟ ଓ୍ଵାଦେକର ମୁଖ୍ୟ ଚୟନକର୍ତା ହୋଇଥିଲେ। ଲାଲା ଅମରନାଥ ଏବଂ ଚନ୍ଦୁ ବୋର୍ଡେଙ୍କ ପରେ ଖେଳାଳି, ପ୍ରବଂଧକ, ପ୍ରଶିକ୍ଷକ ଏବଂ ଚୟନକର୍ତା ହେବାରେ ସେ ତୃତୀୟ ଥିଲେ। ଦିନିକିଆରେ ସଚିନ ତେନ୍ଦୁଲକରଙ୍କୁ ପାଳି ଆରମ୍ଭ କରାଇବାରେ ଓ୍ଵାଦେକରଙ୍କ ଉଲ୍ଲେଖନୀୟ ଭୂମିକା ରହିଥିଲା।

ସମ୍ବନ୍ଧିତ ଖବର