ଭୁବନେଶ୍ୱର: ଢ଼େଙ୍କାନାଳର ଜିରାଳରେ ଚାଲିଥିବା ନବମ ଅଜିତ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାରେ ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ବିଜେତା ହୋଇଛି। ସୋମବାର ଫାଇନାଲ୍ରେ ରାମେଶ୍ୱର ଯାଜପୁରର ଗୋଳକୁଣ୍ଡକୁ ରୋମାଞ୍ଚକ ଭାବେ ୩ ଓ୍ଵିକେଟ୍ରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଗୋଳକୁଣ୍ଡ ଦଳ ୨୫ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୨ ରନ୍ କରିଥିଲା। ପ୍ରଦୀପ ରାଉତ ୪୧ ବଲ୍ରୁ ୫୨ ରନ୍, ସୁଜିତ ବେହେରା ୩୮ ବଲ୍ରୁ ୩୦ ରନ୍ କରିଥିଲେ। ରାମେଶ୍ୱର ପକ୍ଷରୁ ଲାଲୁ ମହାନ୍ତି ୫ ଓଭରରେ ୨୧ ରନ୍ ଦେଇ ୩ ଓ୍ଵିକେଟ୍, ସୁବ୍ରତ ବେହେରା ୫ ଓଭରରେ ୨୦ ରନ୍ ଦେଇ ୨ ଓ୍ଵିକେଟ୍ ନେଇଥିଲେ।
ଜବାବରେ ରାମେଶ୍ୱର ୨୪.୧ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରି ନେଇଥିଲା। ରଣଜୀ ତାରକା ପରେଶ ପଟେଲ୍ ୩୨ ବଲ୍ରୁ ୫୩ ରନ୍, କୃଷ୍ଣ ଚନ୍ଦ୍ର ବାରିକ ୩୧ ବଲ୍ରୁ ୩୩ ରନ୍, କୁନାଲ ମଲ୍ଳିକ ୨୪ ବଲ୍ରୁ ୨୪ ରନ୍, ଲାଲୁ ମହାନ୍ତି ୧୬ ବଲ୍ରୁ ୨୨ ରନ୍, ଦୀପକ ମଙ୍ଗରାଜ ୭ ବଲ୍ରୁ ୨୧ ରନ୍ କରି ଦଳକୁ ବିଜୟୀ କରାଇଥିଲେ। ଗୋଳକୁଣ୍ଡ ପକ୍ଷରୁ ବସନ୍ତ ପ୍ରଧାନ ୫ ଓଭରରେ ୨୯ ରନ୍ ଦେଇ ୨ ଓ୍ଵିକେଟ୍ ନେଇଥିଲେ। ପରେଶ ପଟେଲ୍ ଫାଇନାଲ୍ ମ୍ୟାଚ୍ ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କଠାରୁ ଅଧିନାୟକ ବିଶ୍ୱଜିତ୍ ଭୂୟାଁ ବିଜେତା ଟ୍ରଫି ଓ ପୁରସ୍କାର ରାଶି ଗ୍ରହଣ କରିଥିଲେ।