ଆଜ୍‌ଲାନ୍‌ ଶାହା କପ୍‌ ଦଳରେ ଓଡ଼ିଶାରୁ ଅମିତ୍‌, ଦିପ୍‌ସାନ୍‌, ନିଲମ୍‌ ଓ ଶିଳାନନ୍ଦ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ ୩ ତାରିଖରୁ ମାଲେସିଆର ଇଫୋରେ ଆୟୋଜିତ ୨୭ତମ ସୁଲ୍‌ତାନ ଆଜ୍‌ଲାନ ଶାହା କପ୍‌ ହକି ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି। ମଙ୍ଗଳବାର ଘୋଷିତ ୧୮ ଜଣିଆ ଦଳରେ ଓଡ଼ିଶାରୁ ୪ ଜଣ ସ୍ଥାନ ପାଇଥିଲା ବେଳେ ସର୍ଦାର ସିଂହ ଆନ୍ତର୍ଜାତିକ ହକିକୁ ପ୍ରତ୍ୟାବର୍ତନ କରିଛନ୍ତି। ଦଳକୁ ଯିବାଆସିବା ଲାଗିରହିଥିବା ସର୍ଦାର ଶେଷରେ ଗତବର୍ଷ ଜୁଲାଇରେ ବାଦ୍‌ ପଡ଼ିଥିଲେ। ହେଲେ ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସ ଖେଳିବା ପାଇଁ ସେ ଦୁଇ ସପ୍ତାହ ତଳେ ନିଜର ଇଛା ପ୍ରକାଶ କରିଥିଲେ। ଆନ୍ତର୍ଜାତିକ ପ୍ରତ୍ୟାବର୍ତନ ସାଙ୍ଗକୁ ଅଧିନାୟକ ପଦ ଫେରି ପାଇ ସେ ତାଙ୍କ ଇଛା ପୂରଣ କରିଛନ୍ତି। ମନ୍‌ଦୀପ୍‌ ସିଂହଙ୍କ ସ୍ଥାନରେ ସର୍ଦାର ଦଳର ନେତୃତ୍ୱ ନେବେ। ରମଣଦୀପ୍‌ ସିଂହଙ୍କୁ ଉପଅଧିନାୟକ ମନୋନୀତ କରାଯାଇଛି।

ତେବେ ପ୍ରମୁଖ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଦଳରେ ସ୍ଥାନ ପାଇନଥିଲା ବେଳେ ଅମିତ୍‌ ରୋହିଦାସ, ଦିପ୍‌ସାନ ତିର୍କି, ନିଲମ୍‌ ସଞ୍ଜୀବ ଖେସ୍‌ ଏବଂ ଉଦୀୟମାନ ଯୁବ ତାରକା ଶିଳାନନ୍ଦ ଲାକ୍ରା ସାମିଲ ହୋଇଛନ୍ତି। ହକି ଓଡ଼ିଶା ଦଳର ଯୁବ ତାରକା ଶିଳାନନ୍ଦ ଅନ୍ୟ ଦୁଇ ଖେଳାଳି ମନ୍‌ଦୀପ୍‌ ମୋରଥ ଓ ସୁମିତ୍‌ କୁମାରଙ୍କ ସହ ବରିଷ୍ଠ ଦଳରୁ ପଦାର୍ପଣ ସୁଯୋଗ ପାଇଛନ୍ତି। ସୁମିତ୍‌ ଏବେ ପୁରୁଷ ଦଳର ଜାତୀୟ ଶିବିରର ସଦସ୍ୟ ଥିଲା ବେଳେ ମନ୍‌ଦୀପ୍‌ ଓ ଶିଳାନନ୍ଦ କନିଷ୍ଠ ପୁରୁଷ ଦଳରୁ ଡକରା ପାଇଛନ୍ତି। ଏହି ତିନି ଖେଳାଳି ମଧ୍ୟ ଗତବର୍ଷ ସୁଲ୍‌ତାନ ଜୋହର୍‌ କପ୍‌ରେ କାଂସ୍ୟ ବିଜେତା ଭାରତୀୟ ଯୁବ ଦଳର ସଦସ୍ୟ ଥିଲେ। ଭାରତ ୬ ଦଳୀୟ ସୁଲ୍‌ତାନ ଆଜ୍‌ଲାନ ଶାହା କପ୍‌ରେ ବିଶ୍ୱ ମାନ୍ୟତାର ଶୀର୍ଷ ଅଷ୍ଟ୍ରେଲିଆ, ଦ୍ୱିତୀୟ ମାନ୍ୟତା ଆର୍ଜେଣ୍ଟିନା, ଇଂଲଣ୍ଡ, ଆୟର୍ଲାଣ୍ଡ୍‌ ଏବଂ ଆୟୋଜକ ମାଲେସିଆ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ଫାଇନାଲ୍‌ ମ୍ୟାଚ୍‌ ମାର୍ଚ ୧୦ ତାରିଖରେ ଖେଳାଯିବ। ଦଳ: ସୁରଜ କାର୍‌କେରା, କୃଷ୍ଣ ବି ପାଠକ (ଗୋଲ୍‌ରକ୍ଷକ), ଅମିତ୍‌ ରୋହିଦାସ, ଦିପ୍‌ସାନ ତିର୍କି, ବରୁଣ କୁମାର, ସୁରେନ୍ଦ୍ର କୁମାର, ନିଏମ୍‌ ସଞ୍ଜୀବ ଖେସ୍‌, ମନ୍‌ଦୀପ୍‌ ମୋର୍‌ (ରକ୍ଷଣଭାଗ), ଏସ୍‌କେ ଉଥପ୍ପା, ସର୍ଦାର ସିଂହ, ସୁମିତ୍‌, ନୀଳକାନ୍ତ ଶର୍ମା, ସିମ୍ରନ୍‌ଜିତ୍‌ ସିଂହ (ମଧ୍ୟଭାଗ), ଗୁର୍‌ଜାନ୍ତ ସିଂହ, ରମଣଦୀପ୍‌ ସିଂହ, ତଲ୍‌ଓ୍ଵିନ୍ଦର ସିଂହ, ସୁମିତ୍‌ କୁମାର ଓ ଶିଳାନନ୍ଦ ଲାକ୍ରା (ପୂରୋଭାଗ)।

ସମ୍ବନ୍ଧିତ ଖବର