ଆଜ୍‌ଲାନ୍‌ ଶାହାରେ ପୁଣି ହାରିଲା ଭାରତ

ଇପୋ (ମାଲେସିଆ): ସୁଲ୍‌ତାନ ଆଜ୍‌ଲାନ୍‌ ଶାହା ହକିରେ ଭାରତ ଦ୍ୱିତୀୟ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନାଠୁ ୨-୩ ଗୋଲ୍‌ରେ ହାରିଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌କୁ ଇଂଲଣ୍ଡ ସହ ୧-୧ରେ ଅମୀମାଂସିତ ରଖିଥିଲା। ହେଲେ ପ୍ରତିଯୋଗିତାରେ ତିଷ୍ଠି ରହିବା ପାଇଁ ନିଶ୍ଚିତ ବିଜୟ ଆବଶ୍ୟକ କରୁଥିବା ଭାରତ ମଙ୍ଗଳବାର ତୃତୀୟ ମ୍ୟାଚ୍‌ରେ ୨-୪ ଗୋଲ୍‌ରେ ବିଶ୍ୱର ଶୀର୍ଷ ମାନ୍ୟତା ଅଷ୍ଟ୍ରେଲିଆ ନିକଟରୁ ହାରିଯାଇଛି। ଏଥି ସହିତ ଭାରତର ଫାଇନାଲ୍‌ ଖେଳିବା ଆଶା ମଧ୍ୟ ଧୂଳିସାତ୍‌ ହୋଇଛି। ଏହି ୬ ଦଳୀୟ ପ୍ରତିଯୋଗିତାରେ ଫାଇନାଲ୍‌ ପୂର୍ବରୁ ପ୍ରତ୍ୟେକ ଦଳ ୫ ଲେଖାଏଁ ମ୍ୟାଚ୍‌ ଖେଳିବାକୁ ଥିଲା ବେଳେ ଭାରତ ଏବେ ବି ବିଜୟ ପାଇଁ ସଂଘର୍ଷ କରୁଛି। ୩ ମ୍ୟାଚ୍‌ ଖେଳିଥିବା ଭାରତ ୨ ପରାଜୟ ଓ ଗୋଟିଏ ଅମୀମାଂସିତ ଜରିଆରେ ୧ ପଏଣ୍ଟ୍‌ ପାଇ ତାଲିକାର ପଞ୍ଚମ ସ୍ଥାନକୁ ଖସିଯାଇଛି। ଆସନ୍ତାକାଲି ସର୍ଦାର ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ଚତୁର୍ଥ ମ୍ୟାଚ୍‌ରେ ଆୟୋଜକ ମାଲେସିଆକୁ ଭେଟିବ।
ମଙ୍ଗଳବାର ଅଷ୍ଟ୍ରେଲିଆ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲା। ଏପରିକି ତୃତୀୟ କ୍ୱାର୍ଟର ଶେଷ ବେଳକୁ ଭାରତ ୦-୪ ଗୋଲ୍‌ରେ ପଛୁଆ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପାଇଁ ମାର୍କ ନୋଲେସ୍‌ (୨୮ ମିନିଟ୍‌), ଆରାନ୍‌ ଜାଲେସ୍କି (୩୫ ମିନିଟ୍‌), ଡାନିଏଲ୍‌ ବିଲେ (୩୮ ମିନିଟ୍‌) ଏବଂ ବ୍ଲାକେ ଗୋଭର୍ସ (୪୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଭାରତକୁ ଚାପରେ ପକାଇ ଦେଇଥିଲେ। ହେଲେ ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ରମଣଦୀପ୍‌ ସିଂହ (୫୨, ୫୩ ମିନିଟ୍‌) ଦୁଇ ମିନିଟ୍‌ ଅନ୍ତରରେ ଲାଗ ଲାଗ ଦୁଇଟି ଗୋଲ୍‌ କରି କେବଳ ପରାଜୟ ବ୍ୟବଧାନ କମାଇଥିଲେ। ଭାରତ ପ୍ରଥମ କ୍ୱାର୍ଟରରେ ତିନିଟି ସୁଯୋଗ ହାତଛଡ଼ା କରିଥିଲା। ଯାହା ଦଳ ପରାଜୟର ଅନ୍ୟତମ କାରଣ ହୋଇଥିଲା। ୩ ମ୍ୟାଚ୍‌ ଖେଳି ସାରିଥିବା ଅଷ୍ଟ୍ରେଲିଆ ସଂପ୍ରତି ୯ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି।

ସମ୍ବନ୍ଧିତ ଖବର