୧୯୮୨: ଆଜୁରୀଙ୍କୁ ତୃତୀୟ ସ୍ୱର୍ଣ୍ଣ

ସ୍ପେନ୍‌ରେ ଆୟୋଜିତ ୧୯୮୨ ମସିହା ବିଶ୍ୱକପ୍‌ରେ ପାଓଲୋ ରୋସି ଥିଲେ ନାୟକ ଏବଂ ଇଟାଲୀ ତୃତୀୟ ଥର ହୋଇଥିଲା ବିଜେତା। କିନ୍ତୁ ୧୯୩୮ ମସିହା ପରେ ଅର୍ଥାତ୍‌ ୪୪ ବର୍ଷ ପରେ ପୁଣି ବିଶ୍ୱ ମୁକୁଟ ପାଇଥିଲା। ପୂର୍ବ ସଂସ୍କରଣ ଭଳି ଫାଇନାଲ ସ୍କୋର ୩-୧ରେ ଶେଷ ହୋଇଥିଲା ଆଜୁରୀ ଦଳ ସପକ୍ଷରେ। ଫ୍ରାନ୍‌ସ ବିପକ୍ଷରେ ପେନାଲଟି ସୁଟ୍‌ ଆଉଟ୍‌ରୁ ବର୍ତି ଫାଇନାଲକୁ ଆସିଥିବା ଜର୍ମାନି ମଧ୍ୟ ତୃତୀୟ ଥର ବିଜେତା ହେବାରୁ ବଞ୍ଚିତ ହୋଇଥିଲା। ପୋଲାଣ୍ଡକୁ ତୃତୀୟ ଓ ଫ୍ରାନ୍‌ସକୁ ଚତୁର୍ଥ ସ୍ଥାନ ତ ମିଳିଥିଲା କିନ୍ତୁ ବ୍ରାଜିଲ ଥିଲା ଏ ବିଶ୍ୱକପ୍‌ର ସବୁଠାରୁ ଚମତ୍କାର ଦଳ। ପ୍ରଥମ ଥର ପାଇଁ ୨୪ଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ଏହି ସଂସ୍କରଣରେ ରୋସିଙ୍କ ହ୍ୟାଟ୍ରିକ୍‌ ପୂର୍ବରୁ ଚମତ୍କାର ଫୁଟ୍‌ବଲ ଖେଳିଥିଲା ବ୍ରାଜିଲ। ୬ଟି ଗୋଲ୍‌ ଦେଇଥିବା ପାଓଲୋ ରୋସି ଉଭୟ ଗୋଲ୍‌ଡେନ ବଲ୍‌ ଏବଂ ଗୋଲ୍‌ଡେନ୍‌ ଜୋତା ହାସଲ କରିଥିଲେ। ଦଳ ସଂଖ୍ୟା ୧୬ରୁ ସିଧାସଳଖ ୨୪କୁ ବଢ଼ିଥିବା ବେଳେ ମ୍ୟାଚ୍‌ ୫୨ରେ ପହଞ୍ଚିଥିଲା ଏବଂ ମୋଟ ୧୪୬ ଗୋଲ୍‌ ସ୍କୋର ହୋଇଥିଲା। ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ୬ଟି ନବାଗତ ଦଳ ଆଲ୍‌ଜେରିଆ, କାମେରୁନ୍‌, ଏଲ୍‌ ସାଲଭାଡୋର, ହଣ୍ଡୁରାସ, କୁଏତ ଓ ନ୍ୟୁଜିଲାଣ୍ଡ ପଦାର୍ପଣ କରିଥିଲେ। ପୂର୍ବ ଦୁଇଥର ଉପବିଜେତା ରହିଥିବା ନେଦରଲାଣ୍ଡ୍‌କୁ ଅଧିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଥିବା ବେଳେ ନବାଗତ ଦଳ ଆଲ୍‌ଜେରିଆ ୨-୧ରେ ୟୁରୋପୀୟ ବିଜେତା ଜର୍ମାନିକୁ ଏବଂ ଗତ ବିଶ୍ୱକପ୍‌ ବିଜେତା ଆର୍ଜେଣ୍ଟିନାକୁ ବେଲଜିୟମ ବାର୍ସିଲୋନାରେ ହରାଇବା ବଡ଼ ବିପର୍ଯ୍ୟୟ ଥିଲା। ଶେଷରେ କିନ୍ତୁ ୟୁରୋପୀୟ ଦଳ ପ୍ରଧାନ୍ୟ ବିସ୍ତାର କରିଥିଲେ।
ଏହି ବିଶ୍ୱକପ୍‌ରେ ଆୟୋଜକ ସ୍ପେନ୍‌ ଦ୍ଵିତୀୟ ରାଉଣ୍ଡ୍‌ରେ ପଶ୍ଚିମ ଜର୍ମାନି ନିକଟରୁ ୧-୨ରେ ହାରିବା ଏବଂ ଇଂଲଣ୍ଡ ସହ ଗୋଲଶୂନ୍ୟ ଡ୍ର’ ରଖିବା ପରେ ଏଲିମିନେଟ୍‌ ହୋଇଯିବା ବଡ଼ ବିପର୍ଯ୍ୟୟ ହୋଇଥିଲା। ବିଜେତା ଆର୍ଜେଣ୍ଟିନା ମଧ୍ୟ ଏହି ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଦଳକୁ ଇଟାଲିଠାରୁ ୧-୨ରେ ଏବଂ ବ୍ରାଜିଲ୍‌ ନିକଟରୁ ୧-୩ରେ ହାରିବାକୁ ପଡ଼ିଥିଲା। ଡିଏଗୋ ମାରାଡୋନାଙ୍କୁ ଲାଲ୍‌ କାର୍ଡ ଦେଖାଇ ବିଦା କରାଯିବା ମଧ୍ୟ ଆର୍ଜେଣ୍ଟିନା ପାଇଁ ମହଙ୍ଗା ପଡ଼ିଥିଲା।

ସମ୍ବନ୍ଧିତ ଖବର