ମୋର୍ଗାନ୍‌ଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର ନେଇ କାର୍ତ୍ତିକଙ୍କ ଉପରେ ଆକାଶ ଓ ଇର୍ଫାନ ଖପ୍ପା

କାର୍ତିକ ନିସ୍ବାର୍ଥପର: ମୋର୍ଗାନ୍‌

ନୂଆଦିଲ୍ଲୀ : ଆବୁଧାବିରେ ମୁମ୍ବାଇ ଇଣ୍ତିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ ଅଧିନାୟକ ଦୀନେଶ କାର୍ତ୍ତିକ ତାଙ୍କ ପଦରୁ ଇସ୍ତଫା ଦେବା ଘଟଣାକୁ ନେଇ ଦୁଇ ପୂର୍ବତନ କ୍ରିକେଟର ଇର୍ଫାନ ପଠାନ୍‌ ଓ ଆକାଶ ଚୋପ୍ରା ଚିନ୍ତା ପ୍ରକଟ କରିଛନ୍ତି। ଚଳିତ ସ˚ସ୍କରଣର ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକ ପାଇଁ କାର୍ତ୍ତିକ ତାଙ୍କ ଦାୟିତ୍ବକୁ ଇ˚ଲଣ୍ଡର ଅଧିନାୟକ ଇଅନ ମୋର୍ଗାନଙ୍କୁ ହସ୍ତାନ୍ତର କରିଛନ୍ତି। ଯଦି ବି କୋଲ୍‌କାତା ପଏଣ୍ଟ୍‌ ଟେବୁଲର ଶୀର୍ଷ ୪ ମଧ୍ୟରେ ରହିଛି, ତଥାପି କାର୍ତ୍ତିକ ଚାପ ଅନୁଭବ କରୁଛନ୍ତି। ଦଳର ବ୍ୟାଟି˚ କ୍ରମକୁ ନେଇ କିଛି ବିଶେଷଜ୍ଞ ସମାଲୋଚନା କରିବାରୁ କାର୍ତ୍ତିକ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ଯେଉଁ ସମୟରେ ସେ ତାଙ୍କ ଦାୟିତ୍ବ ଖସାଇଛନ୍ତି, ତାହା ଆଦୌ ଠିକ୍‌ ନୁହେଁ ବୋଲି ଆକାଶ ଚୋପ୍ରା କହିଛନ୍ତି। ସେହିପରି କୋଲ୍‌କାତା ଏବେ ଭଲ ଖେଳୁଥିଲା ବେଳେ ପ୍ଲେ ଅଫ୍‌ର ନିକଟତର ହୋଇଛି। ହେଲେ ପ୍ରତିଯୋଗିତାର ମଝି ସମୟରେ ଏମିତି ନେତୃତ୍ବ ଛାଡ଼ିଦେବାର ଆବଶ୍ୟକତା କ’ଣ ଥିଲା ବୋଲି ଇର୍ଫାନ ପଠାନ ପ୍ରଶ୍ନ କରିଛନ୍ତି।

ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ କାର୍ତ୍ତିକ ବର୍ତ୍ତମାନ ତାଙ୍କ ବ୍ୟାଟି˚ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି। ତାଙ୍କ ଭଳି ଜଣେ ନେତୃତ୍ବଙ୍କୁ ପାଇ ଦଳ ଭାଗ୍ୟବାନ ମଣୁଛି। ତେଣୁ ଏଭଳି ସମୟରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ଏଥିପାଇଁ ବହୁତ ସାହସ ଦରକାର। ଯଦି ବି ଏହି ନିଷ୍ପତ୍ତିକୁ ନେଇ ଆମେ ମଧ୍ୟ ଚକିତ ଥିଲୁ, ତଥାପି ତାଙ୍କର ଆଗ୍ରହକୁ ଆମେ ସମ୍ମାନ ଦେଉଛୁ ବୋଲି କୋଲ୍‌କାତା ଦଳର ସିଇଓ ଭେଙ୍କି ମଇଶୁର କହିଛନ୍ତି। ଏହି ସ˚ସ୍କରଣରେ କାର୍ତ୍ତିକ ୭ ମ୍ୟାଚରୁ ୧୦୮ ରନ୍‌ ସ˚ଗ୍ରହ କରିଛନ୍ତି। ଯେଉଁଥିରେ ୫୮ ହେଉଛି ତାଙ୍କର ବ୍ୟକ୍ତିଗତ ସର୍ବାଧିକ ରନ୍‌।

କାର୍ତିକ ନିସ୍ବାର୍ଥପର: ମୋର୍ଗାନ୍‌
କୋଲ୍‌କାତା ନାଇଟ୍ ରାଇଡର୍ସର ଅଧିନାୟକ ପଦରୁ ଓହରିଯିବା ଦୀନେଶ କାର୍ତିକଙ୍କ ପାଇଁ ଏକ ଅବିଶ୍ବସନୀୟ ତଥା ନିସ୍ବାର୍ଥପର ନିଷ୍ପତ୍ତି ବୋଲି କହିଛନ୍ତି ନୂଆ ଅଧିନାୟକ ଇଅନ୍ ମୋର୍ଗାନ୍‌। ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ରଖି ଦଳକୁ ଆଗକୁ ନେବାର ଏହା ଏକ ଶ୍ରେଷ୍ଠ ଉଦାହରଣ। ‘ହଁ ମୁଁ ଗତକାଲି ଡିକେ (ଦୀନେଶ କାର୍ତିକ)ଙ୍କ ନିଷ୍ପତ୍ତି ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି।‌‌‌ ସେ ଅଧିନାୟକ ପଦ ଛାଡ଼ି ନିଜ ବ୍ୟାଟିଂ ଉପରେ ଏକାଗ୍ରତା ରଖିବାକୁ ଚାହୁଁଥିବା ମୋତେ ସୂଚନା ଦେଇଥିଲେ। ଦଳ ପାଇଁ ମଧ୍ୟ ଏହା ଶ୍ରେଷ୍ଠ ବିକଳ୍ପ ହେବ ବୋଲି ସେ ଅନୁଭବ କରିଥିଲେ’ ବୋଲି ମୋର୍ଗାନ୍ ପ୍ରକାଶ କରିଛନ୍ତି। ଅଧିନାୟକ ହେବା ସତ୍ତ୍ବେ ସେ ଅସୀମ ସାହସ ଓ ନିସ୍ବାର୍ଥପର ଭାବେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ମୋର୍ଗାନ୍ ପ୍ରକାଶ କରିଥିଲେ। ଦଳର ନେତୃତ୍ବ ନେବାର ସୁଯୋଗ ନିଶ୍ଚିତ ଖୁସିର ବିଷୟ ବୋଲି କହିଥିଲେ ଏହି ବିଶ୍ବକପ୍‌ ବିଜେତା ଇଂଲଣ୍ଡ ଅଧିନାୟକ।

ସମ୍ବନ୍ଧିତ ଖବର