ମାଞ୍ଚେଷ୍ଟର୍: ମାଞ୍ଚେଷ୍ଟର୍ ଟେଷ୍ଟ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ଯୁଗଳ ଝଟ୍‌କା ଲାଗିଛି। ବର୍ମିଂହାମରେ ଟିମ୍ ଇଣ୍ଡିଆ, ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ଏକମାତ୍ର ବିଜୟ ହାସଲ କରିବାରେ ନିର୍ଣ୍ଣାୟକ ଭୂମିକା ନେଇଥିବା ଦ୍ରୁତ ବୋଲର ଆକାଶ ଦୀପଙ୍କ ସହ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳି ନଥିବା ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ଫିଟନେସ୍ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ସଂରକ୍ଷିତ ବୋଲର୍‌ ଭାବେ ହରିୟାଣାର ଡାହାଣ ହାତୀ ଦ୍ରୁତ ବୋଲର୍ ଅଂଶୁଲ କମ୍ବୋଜଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଆକାଶ ଦୀପ ରୋମାଞ୍ଚକ ଲର୍ଡସ ଟେଷ୍ଟ୍‌ରେ ଆହତ ହୋଇଥିଲେ। ଇଂଲଣ୍ଡ ଦ୍ବିତୀୟ ପାଳିର ୩୦ତମ ଓଭରରେ ହ୍ୟାରି ବ୍ରୁକ୍‌ଙ୍କ ସହ ଧକ୍କା ହେବା ପରେ ତାଙ୍କ କଟିଦେଶରେ ଆଘାତ ଲାଗିଥିଲା। ଏହି କାରଣରୁ ମଧ୍ୟ ଆକାଶ ଦୀପ ତୁରନ୍ତ ପଡ଼ିଆ ଛାଡ଼ିଥିଲେ ଏବଂ ଅଧିନାୟକ ଶୁବମନ୍ ଗିଲ୍ ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବୋଲିଂ ପାଇଁ ଡାକିଥିଲେ। ଆକାଶ ଦୀପ କିଛି ସମୟ ପରେ ପଡ଼ିଆକୁ ଓହ୍ଲାଇଥିଲେ ମଧ୍ୟ ଆଉ ବୋଲିଂ କରି ନଥିଲେ। ସେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରି ନଥିବାରୁ ଦଳ ଏବେ ଚିନ୍ତାରେ ରହିଛି। ଅନ୍ୟପକ୍ଷରେ ଅର୍ଶଦୀପ ଅଭ୍ୟାସ କରୁଥିଲା ବେଳେ ଆହତ ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ୍ ଦଳକୁ ଡାକରା ପାଇଥିବା କମ୍ବୋଜ ଭାରତୀୟ-ଏ’ ଦଳ‌ରେ ସାମିଲ ହୋଇ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।

Advertisment

ଟ୍ରେନ୍‌ରେ ମାଞ୍ଚେଷ୍ଟର୍ ପହଞ୍ଚିଲା ଟିମ୍ ଇଣ୍ଡିଆ

ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାର ଅତି ଗୁରୁତ୍ବପୂର୍ଣ୍ଣ ଚତୁର୍ଥ ଟେଷ୍ଟ୍ ଖେଳିବାକୁ ଟିମ୍ ଇଣ୍ଡିଆ ରବିବାର ଟ୍ରେନ୍ ଯୋଗେ ଲଣ୍ଡନରୁ ମାଞ୍ଚେଷ୍ଟର୍ ପହଞ୍ଚିଛି। ରେଳଷ୍ଟେସନ୍‌ରେ ପାଦ ଥାପିବା ମାତ୍ରେ ଭାରତୀୟ ଖେଳାଳିଙ୍କୁ ସେଠ‌ାରେ ଝିପି ଝିପି ବର୍ଷା ସ୍ବାଗତ କରିଛି। ଏଣୁ ସେମାନେ ପୂର୍ବ ନିର୍ଦ୍ଧାରିତ ଫାଟକରେ ଷ୍ଟେସନ୍ ବାହାରକୁ ନବାହାରି ପଛବାଟ ଦେଇ ହୋଟେଲକୁ ଚାଲି ଯାଇଥିଲେ। ଦଳୀୟ ବସ୍ ଧରିବା ଲାଗି ଭାରତୀୟ ଖେଳାଳି କିନ୍ତୁ ବର୍ଷାରେ ପାଖାପାଖି ୩୦୦ ମିଟର ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲେ। ଅଧିନାୟକ ଶୁବମନ୍ ଗିଲ୍ କିଛି କ୍ଷଣ ବାହାରେ ରହିଥିଲେ ମଧ୍ୟ ଅନ୍ୟ ଖେଳାଳିମାନେ ଦୌଡ଼ାଦୌଡ଼ି ହୋଇ ଦଳୀୟ ବସ୍ ଭିତରକୁ ଚାଲିଯାଇଥିଲେ। ଲର୍ଡସରେ ହୃଦୟ ଭଙ୍ଗା ପରାଜୟ ବରଣ କରିବା ପରେ ଭାରତୀୟ ଖେଳାଳିମାନେ ଆଜି ପର୍ଯ୍ୟନ୍ତ ଲଣ୍ଡନରେ ଥିଲେ। ଲଣ୍ଡନ ନିକଟସ୍ଥ ଛୋଟ ଟାଉନ୍‌ ବେକେନହାମ୍‌ଠାରେ ଅଭ୍ୟାସ ବି କରିଥିଲେ। ସୋମବାରଠାରୁ ଭାରତୀୟ ଦଳ ଚତୁର୍ଥ ଟେଷ୍ଟ୍ ଲାଗି ମା‌ଞ୍ଚେଷ୍ଟର୍‌ ଓଲ୍ଡ ଟ୍ରଫୋର୍ଡଠାରେ ଅଭ୍ୟାସ କରିବେ। ପ୍ରଥମ ଅଭ୍ୟାସ ଅଧିବେଶନ ବନ୍ଦ ଦ୍ବାର ଭିତରେ କରାଯିବ ଏବଂ ଗଣମାଧ୍ୟମକୁ ଦୂରେଇ ରଖାଯିବ।

ଐତିହାସିକ ମାଇଲ୍‌ଖୁଣ୍ଟ ଅପେକ୍ଷାରେ ରାହୁଲ

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍‌ ଅବସରରେ ଭାରତୀୟ ଓପନର୍‌ କେଏଲ୍ ରାହୁଲ ଏକ ଐତିହାସିକ ମାଇଲଖୁଣ୍ଟ ଛୁଇଁବା ଦ୍ବାର ଦେଶରେ ରହିଛନ୍ତି। ଏହି ୩୧ ବର୍ଷୀୟ ରାହୁଲ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୯,୦୦୦ ରନ୍‌ ପୂରଣ ପାଇଁ ମାତ୍ର ୬୦ ରନ୍ ଦୂରରେ ରହିଛନ୍ତି। ସମସ୍ତ ଫର୍ମାଟ୍‌ରେ ସେ ୨୧୮ ମ୍ୟାଚ୍‌ ଖେଳି ୩୯.୭୩ ହାରରେ ୮,୯୪୦ ରନ୍‌ ସଂଗ୍ରହ କରିଛନ୍ତି। ଭାରତ ସମ୍ପ୍ରତି ତେନ୍ଦୁଲକର-ଆଣ୍ଡରସନ୍‌ ଟ୍ରଫି ଶୃଙ୍ଖଳାରେ ୧-୨ରେ ପଛୁଆ ରହିଛି। ରାହୁଲ କିନ୍ତୁ ଚମତ୍କାର ପ୍ରଦର୍ଶନ ଜାରି ରଖି ପ୍ରଥମ ୩ ଟେଷ୍ଟ୍‌ରୁ ୬୨.୫୦ ହାରରେ ୩୭୫ ରନ୍ ସଂଗ୍ରହ କରିଛନ୍ତି। ଏହା ଭିତରେ ୨ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ ରହିଛି।

ଟେଷ୍ଟ୍‌ରେ ରାହୁଲ ୬୧ ମ୍ୟାଚ୍‌ରୁ ୧୦ ଶତକ ସହ ୩୫.୨୬ ହାରରେ ୩,୬୩୨ ରନ୍ ଏବଂ ଦିନିକିଆରେ ୮୫ ମ୍ୟାଚ୍‌ରୁ ୭ ଶତକ ସହ ୪୯.୦୮ ହାରରେ ୩,୦୪୩ ରନ୍‌ ସଂଗ୍ରହ କରିଛନ୍ତି। ଟ୍ବେଣ୍ଟି-୨୦ରେ ସେ ୭୨ ମ୍ୟାଚ୍‌ରୁ ୩୭.୭୫ ହାରରେ ୨,୨୬୫ ରନ୍ ସଂଗ୍ରହ କରିବା ସହ ଭାରତର ଚତୁର୍ଥ ଅଗ୍ରଣୀ ବ୍ୟାଟର୍ ଅଛନ୍ତି। ମୋଟ ଉପରେ ସେ ଇଂଲଣ୍ଡରେ ୧୨ ଟେଷ୍ଟ୍‌ରୁ ୪୧.୨୦ ହାରରେ ୯୮୯ ରନ୍ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୪ ଶତକ ଓ ୨ ଅର୍ଦ୍ଧଶତକ ରହିଛି। ଚଳିତ ଗସ୍ତରେ ରାହୁଲ ୬୭୦ ବଲ୍ ଖେଳି ୧୯୯୦ ମସିହା ପରେ ଭରାତୀୟ ଓପନର୍‌ଙ୍କ ମଧ୍ୟରେ ଚତୁର୍ଥକୁ ଉନ୍ନୀତ ‌ହୋଇଛନ୍ତି। ୨୦୨୧ ଗସ୍ତରେ ସେ ସର୍ବାଧିକ ୭୩୫ ବଲ୍‌ ଖେଳିଥିବାରୁ ଏବେ ନିଜ ରେକର୍ଡକୁ ପଛରେ ପକାଇବା ସୁଯୋଗ ରହିଛି। ୨୦୧୪ରେ ମୁରଲୀ ବିଜୟ ୧୦୫୪ ବଲ୍‌ ଏବଂ ରୋହିତ ଶର୍ମା ୮୬୬ ବଲ୍‌ ଖେଳି ଶୀର୍ଷ ଦୁଇ ସ୍ଥାନରେ ଅଛନ୍ତି। ଚଳିତ ଗସ୍ତରେ ମଧ୍ୟ ରାହୁଲ ଗୋଟିଏ ଶୃଙ୍ଖଳାରୁ ସର୍ବାଧିକ ରନ୍ ସଂଗ୍ରହ ରେକର୍ଡକୁ ଟପିବା ସମ୍ଭାବନା ରହିଛି। ୨୦୧୬-୧୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୪ ଟେଷ୍ଟ୍‌ରୁ ୩୯୩ ରନ୍ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୯ ଶତକ ଓ ୫୮ ଅର୍ଦ୍ଧଶତକ ହାସଲ କରିବା ସହ ସର୍ବକାଳୀନ ଭାରତୀୟ ତାଲିକାରେ ୧୬ତମ ସ୍ଥାନରେ ରହିଛନ୍ତି। ୨୦୨୨ ଟ୍ବେଣ୍ଟି-୨୦ ପରଠାରୁ ସେ ଏହି ସଂକ୍ଷିପ୍ତ ଫର୍ମାଟରେ ଖେଳିନାହାନ୍ତି।

ମା‌‌ଞ୍ଚେଷ୍ଟର୍ ୟୁନାଇଟେଡ୍ ଖେଳାଳିଙ୍କ ସହ ଖେଳିଲେ ଗିଲ୍, ପନ୍ତ, ସିରାଜ
ମାଞ୍ଚେଷ୍ଟର୍ ପହଞ୍ଚିବା ପରେ ଭାରତୀୟ ଖେଳାଳିମାନେ ତୁରନ୍ତ ସେଠାକାର ପ୍ରତିଷ୍ଠିତ ତଥା ଲୋକପ୍ରିୟ ଫୁଟବଲ୍ କ୍ଲବ୍ ‘ମାଞ୍ଚେଷ୍ଟର୍ ୟୁନାଇଟେଡ୍’ର ଘରୋଇ ପଡ଼ିଆକୁ ଯାଇ ଫୁଟବଲ୍ ଖେଳିଥିଲେ। ଅଧିନାୟକ ଶୁବମନ୍ ଗିଲ୍ ଓ ଉପଅଧିନାୟକ ଋଷଭ ପନ୍ତ ଏହ‌ି ଦଳର ଖେଳାଳିଙ୍କ ସହ ଢେର ସମୟ ଧରି ଫୁଟ୍‌ବଲ୍ ଖେଳିଥିଲେ। ସିରାଜ ମାଞ୍ଚେଷ୍ଟର୍ ୟୁନାଇଟେଡ୍‌ର ପୂର୍ବତନ ଅଧିନାୟକ ତଥା ଚର୍ଚ୍ଚିତ ରକ୍ଷଣଭାଗ ଖେଳାଳି ହ୍ୟା‌ରି ମ୍ୟାଗୁରେଙ୍କୁ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ଗିଲ୍ ବି ବ୍ରୁନୋ ଫର୍ଣ୍ଣାଣ୍ଡିଜ୍, ଅମଦ ଡିଏଲୋଙ୍କ ସହ ଫଟୋ ଉଠାଇଥିଲେ। ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା କିଛି ସମୟ ପାଇଁ ମାସନ୍ ମାଉଣ୍ଟ୍ ଓ ମାଗ୍ୟୁରେଙ୍କ ସହ ଅଲୋଚନା କରିଥିଲେ। ଅନ୍ୟପକ୍ଷରେ ପ୍ରଶିକ୍ଷକ ଗୌତମ ଗମ୍ଭୀର ମାଞ୍ଚେଷ୍ଟର୍ ୟୁନାଇଟେଡ୍ ପ୍ରବନ୍ଧକ ରୁବେନ୍ ଆମୋରିମ୍‌ଙ୍କ ସହ ଫଟୋ ପୋଜ୍ ଦେଇଥିଲେ। ମାଞ୍ଚେଷ୍ଟର୍ ୟୁନାଇଟେଡ୍‌ର ତାରକାଙ୍କ ସହ ଭାରତୀୟ ଖେଳାଳିଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି।