କ୍ରିକେଟ୍‌ର ଭବିଷ୍ୟତ ନେଇ ଆକାଶ ଆଦୌ ଚିନ୍ତିତ ନାହାନ୍ତି

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ କ୍ରୀଡ଼ା ଜଗତ ପୂରା ସ୍ଥାଣୁ ପାଲଟିଛି। ‌କ୍ରିକେଟ୍ ପଡ଼ିଆ ବି ଖାଲି ରହିଛି। କରୋନା ବିପଦ ମାଡ଼ି ଆସିବା ପରେ ଅଧିକାଂଶ କ୍ରିକେଟ୍ ପ୍ରତିଯୋଗିତା ଅଟକି ଯାଇଛି। ହେଲେ କ୍ରିକେଟ୍‌ର ଭବିଷ୍ୟତ ନେଇ ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାଷ୍ୟକାର ଆକାଶ ‌ଚୋପ୍ରା ବିଶେଷ ଚିନ୍ତିତ ନାହାନ୍ତି। କିଛି ଦିନ ଭିତରେ ସ୍ବାଭାବିକ ସ୍ଥିତି ଫେରିବ ଏବଂ କ୍ରିକେଟ୍ ପଡ଼ିଆ ପୁଣି ଚଳଚଞ୍ଚଳ ହେବା ସହ ଦର୍ଶକଙ୍କର ମନୋରଞ୍ଜନ କରିବ ବୋଲି ଆକାଶ ଦୃଢ଼ତାର ସହ କହିଛନ୍ତି। ” ମୁଁ ଜାଣିଛି ସାଂପ୍ରତିକ ସ୍ଥିତିରେ ଖେଳ ପ୍ରାଥମିକତା ତାଲିକାରେ କିଛିଟା ତଳେ ଅଛି। ହେଲେ ଏହା ଏକ ବଡ଼ ଶିଳ୍ପ ଏବଂ କେବେ ନା କେବେ ଏହାକୁ ଖୋଲିବାକୁ ହେବ।

କାରଣ ଖେଳ ଉପରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ନିର୍ଭର କରେ। ଖେଳ ଆରମ୍ଭ ହେଲେ ଚକ୍ର ପୁଣି ଚାଲିବ, ନ ହେଲେ ଆହୁରି କିଛି ଦିନ ଅପେକ୍ଷା କରିବାକୁ ହେବ। କିଛି ସମୟ ବନ୍ଦ ରହିଲେ ମୁଁ ବିଶେଷ ଚିନ୍ତିତ ନୁହେଁ, ହେଲେ ଏମିତି ଅନେକ ‌ଲୋକ ଅଛନ୍ତି, ଯେଉଁମାନେ ବହୁ ସମସ୍ୟା ଓ ବାଧାବିଘ୍ନର ସମ୍ମୁଖୀନ ହେବେ। ଉଦାହରଣ ସ୍ବରୂପ ଯଦି ଆଇପିଏଲ୍ ନ ହୁଏ, ଅନେକ ‌ଲୋକ କ୍ଷତି ସହିବେ ଏବଂ ନିଜ ଋଣ ପରିଶୋଧ କରିବାକୁ ସକ୍ଷମ ହେବେନି ” ବୋଲି ଆକାଶ କହିଛନ୍ତି। ସେହିଭଳି କ୍ରିକେଟ୍ ବଲ୍‌ରେ ଲାଳ ଓ ଝାଳ ବ୍ୟବହାର ନେଇ ଚାଲିଥିବା ବିତର୍କ ଉପରେ ମତ ପ୍ରକାଶ କରି ସେ କହିଛନ୍ତି ଯେ ଏ ବିଷୟରେ ଏବେ କିଛି କହି ହେବନି। ସେହିଭଳି କୁକାବୁରା କଂପାନି ଉଦ୍ଭାବନ କରିଥିବା ୱାକ୍ସ ଆପ୍ଲିକେଟର ବିଷୟରେ ଏବେ କିଛି କହିବା ଠିକ୍ ହେବନି। ଏହା ସଂପ୍ରତି ପରୀକ୍ଷାମୂଳକ ପର୍ଯ୍ୟାୟରେ ରହିଛି। କ୍ରିକେଟର ଭବିଷ୍ୟତ ନେଇ ମୁଁ ଚିନ୍ତିତ ନାହିଁ। ମୁଁ ଭଲ ଭାବରେ ଜାଣିଛି କ୍ରିକେଟ୍ ସଫଳ ପ୍ରତ୍ୟାବର୍ତ୍ତନ କରିବାକୁ ପୂରା ସକ୍ଷମ। ଏକାଠି ହୋଇ ଆମେ ସମସ୍ତେ ଏହି ବିପଦକୁ ସଫଳତାର ସହ ମୁକାବିଲା କରି ପାରିବା।

ସମ୍ବନ୍ଧିତ ଖବର