ଅର୍ଜୁନଙ୍କୁ ଟ୍ବିଟର୍‌ କଟାକ୍ଷରୁ ବଞ୍ଚାଇଲେ ଆକାଶ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ସିନେମା ଦୁନିଆରେ ପ୍ରିୟାପ୍ରୀତି ଚାଲୁଥିବାର ଅଭିଯୋଗ ଉଠିଛି। ପ୍ରତିଭାମାନଙ୍କୁ ଠିକଣା ଭାବେ ବିକଶିତ କରାଯାଉନାହିଁ ବୋଲି ଅଭିଯୋଗ ମଧ୍ୟ ଆସିଛି। କିନ୍ତୁ ଏଭଳି ଅଭିଯୋଗ କ୍ରିକେଟ୍‌ ଦୁନିଆକୁ ପ୍ରଭାବିତ କରିନଥିବା ଅଧିକାଂଶ ସମୟରେ ପ୍ରମାଣିତ ହୋଇଛି। ତା’ ନ ହେଲେ ରାଞ୍ଚିରୁ ମହେନ୍ଦ୍ର ସିଂହ ଧୋନି ଏବଂ ବରୋଦାରୁ ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ଭାରତୀୟ ଦଳକୁ ଆସିପାରି ନଥା’ନ୍ତେ। କିନ୍ତୁ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଏକ ତୁଳନାତ୍ମକ ଅଭିଯୋଗ କିଂବଦନ୍ତି ବ୍ୟାଟସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ପୁଣି ଥରେ ଅଡୁଆ ପରିସ୍ଥିତି ଆଣିଦେଇଛି। ଗତବର୍ଷ ମୁମ୍ବାଇ ୧୫ ବର୍ଷରୁ କମ୍‌ ଦଳରେ ଅର୍ଜୁନଙ୍କୁ ନିଆଯିବା ପରେ ଜଣେ ପ୍ରଶଂସକ ନିକଟରେ ପ୍ରଣବ ଧନାୱାଡେଙ୍କ ୧୦୦୯ ରନ୍‌ ପାଳିକୁ ଉଦାହରଣ ଭାବେ ରଖିଥିଲେ। ‘ସଚିନଙ୍କ ପୁଅ ବୋଲି ଅର୍ଜୁନଙ୍କୁ ସୁଗୋଗ ମିଳିଲା, କିନ୍ତୁ ଜଣେ ଅଟୋ ଡ୍ରାଇଭରର ପୁଅ ବୋଲି ପ୍ରଣବଙ୍କୁ ମିଳିଲାନି’ ବୋଲି ଏକ ଗ୍ରାଫିକ୍‌କୁ ସାମାଜିକ ଗଣମାଧ୍ୟମରେ ଜଣେ ପ୍ରଶଂସକ ଛାଡ଼ିବା ପରେ ଏହା ଅର୍ଜୁନଙ୍କ ପ୍ରତି କଟାକ୍ଷ ଭଳି ଥିଲା। ପୂର୍ବରୁ ଅନ୍ୟତମ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କରଙ୍କ ପୁଅ ରୋହନ ଗାଭାସ୍କରଙ୍କୁ ମଧ୍ୟ ଭାରତୀୟ ଦଳରେ ନିଆଯାଇଥିଲା। ତେବେ ପୂର୍ବତନ କ୍ରିକେଟର୍‌ ତଥା ଭାଷ୍ୟକାର ଆକାଶ ଚୋପ୍ରା ସ୍ବର ଉଠାଇବା ଫଳରେ ଅର୍ଜୁନ ଆଶ୍ବସ୍ତ ହୋଇଥିବେ।

ଆକାଶ ଚୋପ୍ରା ତାଙ୍କ ଯୁକ୍ତିରେ ଦର୍ଶାଇଛନ୍ତି ‘ଯଦି ଆପଣ ଖୋଲା ହୃଦୟରେ ଦେଖିବେ, ସୁନିଲ ଗାଭାସ୍କରଙ୍କ ପୁଅ ରୋହନଙ୍କ ଚୟନ ପ୍ରିୟାପ୍ରୀତିରେ ହୋଇଥିବା କୁହାଯାଇପାରିବ ନାହିଁ। କାରଣ ରୋହନ ସେତେ କ୍ରିକେଟ୍ ଖେଳିପାରିନଥିଲେ, କାହା ଅନୁକମ୍ପା ନୁହେଁ ବେଙ୍ଗଲ ପାଇଁ ଘରୋଇ କ୍ରିକେଟ୍‌‌ରେ ଭଲ ‌ଖେଳିବା ପରେ ସେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିଲେ। ସେହିଭଳି ଯୁବ ଖେଳାଳି ଅର୍ଜୁନ ତେନ୍ଦୁଲକରଙ୍କୁ ମଧ୍ୟ ସମର୍ଥନର ଆବଶ୍ୟକତା ରହିଛି। ଭଲ ଖେଳି ସେ ଭାରତୀୟ କନିଷ୍ଠ ଦଳକୁ ଆସିଥିଲେ। ଅନ୍ୟପକ୍ଷରେ ଧନୱାଡେଙ୍କ ଚର୍ଚିତ ପାଳି ବିପକ୍ଷ ଦଳର ବୋଲିଂ ଏବଂ ଖେଳାଯାଇଥିବା ପଡିଆର ଆକାରକୁ ନେଇ ଅନେକ ପ୍ରଶ୍ନ ରହିଛି। ସୁନିଲ ଗାଭାସ୍କର ତାଙ୍କ ପୁଅକୁ ଭାରତୀୟ ଦଳରୁ ଖେଳାଇନଥିଲେ, ସଚିନ‌ ତେନ୍ଦୁଲକର ମଧ୍ୟ ତାଙ୍କ ପୁଅକୁ‌ କୌଣସି ଭାବେ ଅବାଟ ଦେଇ ଆଗକୁ ଯିବାକୁ ଦେଇନାହାନ୍ତି। ସର୍ବୋଚ୍ଚ ସ୍ତରରେ କ୍ରିକେଟ୍‌ ଖେଳିବା ପାଇଁ କୌଣସି ସାଲିସ୍‌ର ସୁଯୋଗ ନାହିଁ। ତେଣୁ କରି ଅନ୍ୟ କ୍ଷେତ୍ର କଥା ତୁଳନା କଲେ କ୍ରିକେଟ୍‌ରେ ପ୍ରିୟାପ୍ରୀତି ରହିଥିବା ମୁଁ ବିଶ୍ବାସ କରୁନି ବୋଲି ଚୋପ୍ରା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର