ଆକାଶଦୀପଙ୍କ ହ୍ୟାଟ୍ରିକ୍‌ ବେକାର: ଶେଷ ମିନିଟ୍‌ରେ ହାରିଲା ଭାରତ

ଆଡିଲେଡ୍‌: ଆକାଶଦୀପ ସିଂହଙ୍କ ହ୍ୟାଟ୍ରିକ୍ ଗୋଲ୍‌ ସତ୍ତ୍ବେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ହକି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଭାରତ ୪-୫ ଗୋଲ୍‌ରେ ହାରିଯାଇଛି। ଦୁଇଟି ବିଳମ୍ବିତ ଗୋଲ୍ ବରଣ କରି ଭାରତ ବିଜୟ ସୁଯୋଗ ହାତଛଡ଼ା କରିଥିଲା। ତଥାପି ବିଶ୍ବର ଏକନମ୍ବର ମାନ୍ୟତାପ୍ରାପ୍ତ ଦଳ ବିପକ୍ଷରେ ସେମାନଙ୍କ ପରିବେଶରେ ବଢ଼ିଆ ଖେଳି ଉଚ୍ଚ ପ୍ରଶଂସିତ ହୋଇଛି ୫ ନମ୍ବର ମାନ୍ୟତା ଦଳ ଭାରତ। ଆକାଶଦୀପ ୧୦, ୨୭ ଓ ୫୯ତମ ମିନିଟ୍‌ରେ ତି‌ନିଟି ଗୋଲ୍ ଦେଇ ଭାରତକୁ ସୁଯୋଗ ଦେଇଥିଲେ। ଅଧିନାୟକ ହର୍ମନପ୍ରୀତ୍ ସିଂହ ୩୧ତମ ମିନିଟ୍‌ରେ ଗୋଟିଏ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ଦେଇଥିଲେ। ଅଷ୍ଟ୍ରେଲିଆ ପାଇଁ ଲାଚଲନ୍ ସାର୍ପ (୫ ମିନିଟ୍‌), ନାଥନ ଏଫ୍ରାମସ୍‌ (୨୧ ମିନିଟ୍‌), ଟମ୍ କ୍ରେଗ୍ (୪୧ ମିନିଟ୍‌)ଏବଂ ବ୍ଲେକ୍‌ ଗୋଭର୍ସ (୫୭ ଓ ୬୦ ମିନିଟ୍‌) ଗୋଲ୍ ଦେଇଥିଲେ। ପେନାଲ୍ଟି କର୍ଣ୍ଣର ସ୍ପେଶାଲିଷ୍ଟ ବ୍ଲାକ୍ ଗୋଭର୍ସ ପ୍ରଥମରୁ ବିଫଳ ହୋଇଥିଲେ ମଧ୍ୟ ଶେଷ ୩ଟିରୁ ୨ଟି‌ ଗୋଲ୍ ଦେଇ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲେ। ବିଶେଷକରି ମ୍ୟାଚ୍‌ ୪-୪ରେ ଶେଷ ହେବାକୁ ଯାଉଥିବା ବେଳେ ଅନ୍ତିମ ମିନିଟ୍‌ରେ ଗୋଭର୍ସ ପେନାଲ୍ଟି କର୍ଣ୍ଣରରୁ‌ ଗୋଲ୍ ଦେବା ସହ ଘରୋଇ ଦଳକୁ ବିଜୟୀ କରିଥିଲେ। ଏଥି ସହିତ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫାଇନାଲ୍‌ ପରାଜୟର (୦-୭) ପ୍ରତିଶୋଧ ନେବାରେ ଭାରତ ବିଫଳ ହୋଇଥିଲା।

ଶନିବାର ପ୍ରଥମରୁ ହିଁ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ଖେଳିଥିଲା। ପଞ୍ଚମ ମିନିଟରେ ସାର୍ପଙ୍କ ସଟ୍‌ ଭାରତୀୟ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେଶଙ୍କୁ ପରାସ୍ତ କରିବାରୁ ଘରୋଇ ଦଳ ଆଗୁଆ ହୋଇଯାଇଥିଲା। ଏହା ପରେ ଆମିତ ରୋହିଦାସ ସୃଷ୍ଟି କରିଥିବା ସୁଯୋଗ ସର୍କଲ ଭିତରେ ପ୍ରତିପକ୍ଷ ଡିପେଣ୍ଡରଙ୍କ ଦ୍ବାର ଏଡ଼ାଇ ଦିଆଯାଇଥିଲା। ଏହାପରେ ଆକାଶଦୀପଙ୍କ ସୋ ଆରମ୍ଭ ହୋଇଥିଲା। ହାର୍ଦିକ ସିଂହଙ୍କ ଚମତ୍କାର ଷ୍ଟିକ୍‌ଚାଳନାରୁ ଆକାଶଦୀପ ପ୍ରଥମ ଗୋଲ୍ ଦେଇଥିଲେ। ଦ୍ବିତୀୟ କ୍ବାର୍ଟର ଷଷ୍ଠ ମିନିଟ୍‌ରେ ନାଥନ୍‌ ପୁଣି ଅଷ୍ଟ୍ରେଲିଆକୁ ଆଗୁଆ କରି ଦେଇଥିଲେ। ଏହ‌ାର ୬ ମିନିଟ୍ ପରେ ଆକାଶଦୀପଙ୍କ ଦ୍ବିତୀୟ ଗୋଲ୍ ଭାରତକୁ ୨-୨ ସ୍ତରକୁ ନେଇ ଆସିଥିଲା। ପ୍ରଥମାର୍ଦ୍ଧର ଶେଷ ମିନିଟରେ ଅଷ୍ଟ୍ରେଲିଆର ପେନାଲ୍ଟି କର୍ଣ୍ଣରକୁ ଭାରତର ଦ୍ବିତୀୟ ଗୋଲ୍‌ରକ୍ଷକ କୃଷ୍ଣ ବାହାଦୂର ପାଠକ ମଧ୍ୟ ନିଷ୍ଫଳ କରିଦେଇଥିଲେ। ପାର୍ଶ୍ବ ପରିବର୍ତନ ପରେ ପ୍ରଥମ ଥର ପାଇଁ ଭାରତକୁ ଆଗୁଆ କରିଥିଲେ ଅଧିନାୟକ ହର୍ମନପ୍ରୀତ୍‌।

ଏହା ପରେ ଭାରତକୁ ମିଳିଥିବା ଲଗାତାର ପେନାଲ୍ଟି କର୍ଣ୍ଣର କିନ୍ତୁ ବେକାର ଯାଇଥିଲା। ୪୧ତମ ମିନିଟରେ ଅଷ୍ଟ୍ରେଲିଆ ପାଇଥିବା ପିସିକୁ ଶ୍ରୀଜେଶ ରୋକି ଦେଇଥିଲେ ମଧ୍ୟ ରିବାଉଣ୍ଡରୁ କ୍ରେଗ୍ ଗୋଲ୍ କରି ଦେଇଥିଲେ। ଘରୋଇ ଦଳ ଏହା ପରେ ଏକାଧିକ ପିସି ପାଇଥିଲେ ମଧ୍ୟ ଗୋଲ୍ କରିପାରିନଥିଲା। କିନ୍ତୁ ଶେଷ ୫ ମିନିଟରେ ଭାରତ ଖରାପ ‌ଖେଳିଥିଲା ଏବଂ ଜର୍ମନପ୍ରୀତ୍‌ ସିଂହ ଅନାବଶ୍ୟକ ଭାବେ ଗ୍ରିନ୍ କାର୍ଡ ପାଇ ଅବଶିଷ୍ଟ ସମୟ ଖେଳିପାରିନଥିଲେ। ଏହ‌ାର ଫାଇଦା ଅଷ୍ଟ୍ରେଲିଆକୁ ମିଳିଥିଲା। ଗୋଭର୍ସ ୫୭ତମ ମିନିଟରେ ପିସିରୁ ଗୋଲ୍ ଦେଇଥିଲେ। ୫୯ତମ ମିନିଟରେ ଆକାଶଦୀପ ନିଜ ତୃତୀୟ ଗୋଲ୍ ଦେଇ ମ୍ୟାଚ୍‌କୁ ୪-୪ ସ୍ତରକୁ‌ ନେଇ ଆସିଥିଲେ। ଅନ୍ତିମ ମିନିଟ୍‌ରେ‌ ଗୋଭର୍ସଙ୍କ ପିସି ଗୋଲ୍‌ ଭାରତକୁ ପରାଜୟ ଲାଗି ବାଧ୍ୟ କରିଥିଲା। ୫ ମ୍ୟାଚ୍‌ ଶୃଙ୍ଖଳାର ଅବଶିଷ୍ଟ ୪ ମ୍ୟାଚ୍‌ ନଭେମ୍ବର ୨୭, ୩୦ ଏବଂ ଡିସେମ୍ବର ୩ ଓ ୪ ତାରିଖରେ ଖେଳାଯିବ।

ସମ୍ବନ୍ଧିତ ଖବର