୨୦୦୭ ଅଘଟଣରେ ଆଫ୍ରିଦି ମାରିଲେ ମୋହର, ଆସିଫଙ୍କୁ ବ୍ୟାଟ୍‌ରେ ପିଟିଥିଲେ ଅଖତର

ଲାହୋର: ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ୨୦୦୭ ମସିହାର ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅବସରରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର ନିଜ ଦଳର ଅନ୍ୟତମ ଦ୍ରୁତ ବୋଲର ତଥା ସାଥୀ ଖେଳାଳି ମହମ୍ମଦ ଆସିଫଙ୍କୁ ବ୍ୟାଟ୍‌ରେ ପିଟିଥିଲେ। ଏହି ଅଶୋଭନୀୟ ଘଟଣା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ବିଶ୍ବକପ୍ ଭଳି ମହତ୍ବପୂର୍ଣ୍ଣ ପ୍ରତିଯୋଗିତା ମଝିରୁ ହିଁ ଅଖତରଙ୍କୁ ସ୍ବଦେଶ ଫେରାଇ ଆଣିଥିଲା। ଯାହା ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସବୁଠାରୁ ବିବାଦୀୟ ଘଟଣା ବିବେଚିତ ହୋଇଥିଲା। ନିଜ ଊଗ୍ର ସ୍ବଭାବ ଓ ବିବାଦୀୟ ଆଚରଣ ପାଇଁ ଅଧଡଜନେରୁ ଅଧିକ ଥର ବାସନ୍ଦ ହୋଇଥିବା ଅଖତର ନିଜ ଆତ୍ମଜୀବନୀ ‘କଣ୍ଟ୍ରଭର୍ସିଆଲି ୟୋର୍ସ’ରେ ଏହି ଘଟଣା ବିଷୟରେ ବିସ୍ତୃତ ବିବରଣୀ ଦେଇ ଏଥିଲାଗି ନିଜ ପୂର୍ବ ଅଧିନାୟକ ସାହିଦ ଆଫ୍ରିଦିଙ୍କୁ ଦାୟୀ କରିଥିଲେ। ସେହିଭଳି ‌ସେ ପ୍ରକୃତରେ ଆଫ୍ରିଦି ଓ ଆସିଫ ଦୁଇ ଜଣଯାକଙ୍କୁ ବ୍ୟାଟ୍‌ରେ ଆକ୍ରମଣ କରିଥିଲେ। ଆଫ୍ରିଦି ଅଳ୍ପ‌କେ ବର୍ତ୍ତି ଯାଇଥିଲା ବେଳେ ଆସିଫଙ୍କ ଜଙ୍ଘରେ ବ୍ୟାଟ୍ ଖୁବଜୋରରେ ବାଜିଥିଲା ଏବଂ ସେ ସେହିଠାରେ ଟଳି ପଡ଼ିଥିଲେ।

ଆଗରୁ କିନ୍ତୁ ମୁଁ କେବେ ବି ଏଭଳି ବ୍ୟବହାର ବିଶେଷ କରି ଡ୍ରେସିଂ ରୁମ୍‌ରେ କରିନଥିଲି ବୋଲି ଅଖତର ନିଜ ପୁସ୍ତକରେ ଲେଖିଥିଲେ। ହେଲେ ଆଫ୍ରିଦି ହିଁ ଘଟଣାକୁ ଫେଣେଇ ଫେଣେଇ ବହୁତ ବଡ଼ କରି ଦେଇଥିଲେ ବୋଲି ଅଖତର ଅଭିଯୋଗ କରିଥିଲେ। ଆଫ୍ରିଦି ଏବେ ଏହି ମାମଲାରେ ମୁହଁ ଖୋଲିଛନ୍ତି। ଅଖତରଙ୍କ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଅବଶ୍ୟ ପ୍ରକୃତରେ ଏଭଳି ଏକ ଘଟଣା ଘଟିଥିଲା ବୋଲି ସ୍ବୀକାର କରିଛନ୍ତି। ଏକ ସାକ୍ଷତକାର ଅବସରରେ ଆଫ୍ରିଦି କହିଛନ୍ତି ଯେ କୌଣସି ଏକ କଥାକୁ ‌ନେଇ ଆସିଫ୍‌ ମଜା କରିବାକୁ ଯାଇ ମୋତେ ସମର୍ଥନ କରିଥିଲେ। ଯାହାକୁ ନେଇ ଅଖତରଙ୍କ ପାରା ଚଢ଼ି ଯାଇଥିଲା। ସେଥିପାଇଁ ଏହି ଅପ୍ରୀତିକର ଘଟଣା ଘଟିଥିଲା। ହେଲେ ଅଖତର ଏକ ଖୋଲା ହୃଦୟର ବ୍ୟକ୍ତି। ଏହି ଅବସରରେ ଆଫ୍ରିଦି ନିଜ ପିଲାବେଳ କଥା ବି ମନେ ପକାଇଥିଲେ। ସେ କହିଥିଲେ ‘‘ମୁଁ ଯେତେବେଳେ ୧୪ ଓ ୧୮ ବର୍ଷରୁ କମ୍ ବୟସ ବର୍ଗରେ ଖେଳୁଥିଲି କ୍ରିକେଟ୍ ହିଁ ମୋ ଦୁନିଆ ଥିଲା। ପରଦିନ ମ୍ୟାଚ୍ ଥିଲେ ପୂର୍ବଦିନ ରାତିରେ ମୁଁ କିଟ୍ ପିନ୍ଧି ଶୋଉଥିଲି କାରଣ ମୁଁ ପଡ଼ିଆରେ ବିଳମ୍ବରେ ପହଞ୍ଚିବାକୁ ଚାହୁନଥିଲି। ସେତେବେଳେ ସାମାଜିକ ଗଣାମଧ୍ୟମ ନଥିଲା। ଏଣୁ ଲୋକମାନେ ଡନ୍ ଓ ଜଙ୍ଗ୍ ଖବର କାଗଜରେ ପ୍ରକାଶ ପାଇଥିବା ମୋ ଫଟୋକୁ ଦେଖାଇ ‌ମୋ ବାପାଙ୍କୁ ମୋତେ କ୍ରିକେଟ୍ ଖେଳିବାକୁ ଛାଡ଼ିବାକୁ ଅନୁ‌ରୋଧ କରୁଥିଲେ।’’

ସମ୍ବନ୍ଧିତ ଖବର