ଭାରତ ୩୬ରେ ଅଲଆଉଟ ହୋଇଥିବାରୁ ମୁଁ ଖୁସି : ସୋଏବ ଅଖତର

ଆଡିଲେଡ୍ : ଆଡିଲେଡ୍ ପିଙ୍କ ବଲ ଟେଷ୍ଟରେ ଭାରତ ମାତ୍ର ୩୬ ରନରେ ଅଲଆଉଟ ହେବାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତର । ଅଖତର କହିଛନ୍ତି ଯେ ବିରାଟ କୋହଲିଙ୍କ ଦଳ ପାକିସ୍ତାନର ସର୍ବନିମ୍ନ ସ୍କୋରଠାରୁ ମଧ୍ୟ କମରେ ଅଲଆଉଟ ହେବା ନେଇ ସେ ବହୁତ ଖୁସି ।

୨୦୧୩ରେ ଜୋହାନ୍ସବର୍ଗଠାରେ ଦକ୍ଷିଣଆଫ୍ରିକା ବିପକ୍ଷ ଟେଷ୍ଟରେ ପାକିସ୍ତାନ ୪୯ରନରେ ଅଲଆଉଟ ହୋଇଯାଇଥିଲା । ପାକିସ୍ତାନର ଏହି ଲଜ୍ଜାଜନକ ରେକର୍ଡକୁ ଭାରତ ଭାଙ୍ଗିଥିବାରୁ ସେ ବହୁତ ଖୁସି ବୋଲି ଅଖତର କହିଛନ୍ତି । ଏପରି ଲଜ୍ଜାଜନକ ପ୍ରଦର୍ଶନ ପାଇଁ ଭାରତକୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

 

ଅଖତର କହିଛନ୍ତି, ସେ ଗତ କାଲି ମ୍ୟାଚ ଦେଖନଥିଲେ । କିନ୍ତୁ ଟିଭି ଖୋଲିବାବେଳକୁ ସ୍କୋର ଦେଖି ଭାବିଲେ ଯେ ଭାରତ ୩୬୯ କରି ନିଜ ସ୍ଥିତିକୁ ସୁଦୃଢ କରିନେଇଛି । ପରେ ଟିଭି ସ୍କ୍ରିନକୁ ନିରୀଖେଇ ଦେଖିବା ପରେ ଜଣାପଡ଼ିଲା ଯେ ତାହା ୩୬୯ ନଥିଲା ବରଂ ତାହା ଥିଲା ୩୬-୯ । ତେବେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ ଭାରତୀୟ ବ୍ୟାଟିଂର ଏପରି ଦୁରାବସ୍ଥା ଏକ ଭଲ ଖବର ନୁହେଁ ବୋଲି ସେ ସ୍ବୀକାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଡିଲେଡ ମ୍ୟାଚକୁ ଅଷ୍ଟ୍ରେଲିଆ ୮ ଓ୍ବିକେଟରେ ଜିତିନେଇଛି ।

ସମ୍ବନ୍ଧିତ ଖବର